Unknown

 

 

 

 

 

 

 

 

 

କଳ୍ପଲତା

ଚିନ୍ତାମଣି ମହାନ୍ତି

 

(ବଙ୍ଗଳାଶ୍ରୀ)

ପ୍ରଥମ ସର୍ଗ

 

ପୁରାଣ-ପ୍ରସିଦ୍ଧ            ଉତ୍କଳେ ବିଦିତ

ପୌରାଣିକ ଋଷିକୂଲ୍ୟା,

ପ୍ରକୃତି-ସୁନ୍ଦରୀ            ସୀମନ୍ତ ପରାଏ

ତଟନୀକୂଳେ ଅତୁଲ୍ୟା ।

 

ବଡ଼ଗଡ଼ ମାଳ            ଦ୍ୱାରପାଳରୂପୀ

ଋଷିମାଳ ଶୈଳସୁତା,

ମୁକ୍ତାଶୂକ୍ତିମତୀ            ମୌକ୍ତିକ ସଲିଳା

ମୁନିକନ୍ୟା ସ୍ନାନେ ପୁତା ।

 

କୁଳବାଳାକୁଳ            ମହତ୍ତ୍ୱ ମର୍ଯ୍ୟାଦା

ସମ୍ଭାଳି ରଖିଲା ପ୍ରାଏ,

ଅନ୍ତଃସ୍ରୋତା, ସ୍ରୋତ-ସମ୍ପଦେ ନିଦାଘେ

ସେକତେ ଆଚ୍ଛାଦିଥାଏ ।

 

ବେନି ପାଶେ ବନ      ମଧ୍ୟେ ଶୈବଳିନୀ

ନଭେ ଛାୟାପଥ ଯଥା,

ଅବା ସେ ତଟନୀ      ଗଞ୍ଜାମ ଅଞ୍ଚଳେ

ମନୋରଥ କଳ୍ପଲତା !

 

ଅଖିଳ ଉତ୍କଳେ            ଅନ୍ୟତମ ତୀର୍ଥ

ପରମ ପୂଜ୍ୟ ପାବନ

ଥାଉ ଆନ କଥା            ଅମରେ ତା ନୀରେ

ଇଚ୍ଛନ୍ତି ସାନ ତର୍ପଣ ।

 

ଥିଲା ତାର ତୀରେ            ପଦ୍ମପୁର ନାମେ

ଜନପଦ ପୁରାତନ,

ମର୍ତ୍ତ୍ୟ-ମନ୍ଦାକିନୀ-            ପୁଳିନ-ପଦେଶେ

ହସ୍ତିନାପୁର ଯେସନ ।

 

ବଜ୍ରପାଣି ନାମେ            ନରପତି ତହିଁ

କରୁଥିଲେ ରାଜପଣ,

ଭାରତୀ କମଳା            କରିଥିଲେ ତାଙ୍କୁ

ସମାନ ଭାବେ ବରଣ ।

 

ଗାଙ୍ଗେୟ ସଙ୍କାଶ            ମହା ମହେଷ୍ୱାସ

ଅବ୍ୟର୍ଥ ତାଙ୍କର ଲକ୍ଷ୍ୟ,

ଆତୁର ମାରଣ            ନୁହେଁ ତାଙ୍କ ଅସ୍ତ୍ର

ବରଞ୍ଚ ଆତୁର ପକ୍ଷ ।

 

ପ୍ରାକୃତ ପାର୍ଥିବ            ଭୁଷଣେ ସେ ଘୃଣା

କରୁଥିଲେ ଅତିଶୟ,

ମଣ୍ଡିଥାନ୍ତି ଦେହେ            ଦୟାଦାକ୍ଷିଣ୍ୟାଦି

ନିସର୍ଗ ଭୂଷାନିଚୟ ।

 

ମଣୁଥିଲେ ରାଏ            ଆପଣାକୁ ସଦା

ପ୍ରଜାକୁଳ ପ୍ରତିନିଧି,

ମଧୁ ଋତୁ ପ୍ରାୟ            ନାତିଶୀତଉଷ୍ଣ

ତାହାଙ୍କ ଶାସନ ବିଧି ।

 

ରାଜକର ସହ            ଆକର୍ଷୁ ଥିଲେ ସେ

ପ୍ରଜାହୃଦ-ଭକ୍ତି-ଦିତ୍ତ,

ଓଟାରନ୍ତି ଯଥା            ବାରି ସଙ୍ଗେ ରବି

ସରୁ ସରୋଜିନୀ ଚିତ୍ତ ।

 

ନ ଧରନ୍ତି ସେହୁ            ରାଜଦଣ୍ଡ ଖାଲି

ପରଜା ଶାସନ ପାଇଁ,

ନିଜେ ସୁଦ୍ଧା ତହିଁ            ଶାସିତ ସତତ

ହେଉଥାନ୍ତି ନରସାଇଁ ।

 

ନୃମଣି-ବାଞ୍ଛିତ            ଗୁଣେ ବିଚକ୍ଷଣ

ବ୍ରତଧର୍ମପରାୟଣ,

ଯାଚକ ଯାଚନା            ରବେ ମୁଖରିତ

ନିରତେ ତାଙ୍କ ପ୍ରାଙ୍ଗଣ ।

 

କର୍ମଯୋଗୀ, କର୍ମେ            ରତ ଥାଇ କରି

ହରିପଦେ ଆତ୍ମଦାନ,

ଅର୍ପୁଥିଲେ ପୁଣି            ସେ ଦାନ ଦକ୍ଷିଣା-

ରୂପେ କର୍ମଫଳମାନ ।

 

ସଦା ଶାନ୍ତିପ୍ରିୟ,            ଶରୀରେ ତାଙ୍କର

ନ ହୁଏ କବଚ ଘେନା,

ଧାତବ କଞ୍ଚୁକେ            କି କାର୍ଯ୍ୟ ତାର ଯେ

ଦୁର୍ବଳର ବଜ୍ରସେହା ।

 

ମୃତ୍ତିକା ଉପରେ            ରାଜତ୍ୱ ସିନା ସେ

କରୁଥିଲେ ଯଶୋଧନ,

ମାତ୍ର ତାଙ୍କ ହୃଦେ            ବୈରାଗ୍ୟ-ନୃପତି

କରୁଥିଲା ରାଜପଣ ।

 

ପୁଷ୍ପାକର ନାମେ            ଅଭିହିତ ଥିଲେ

ତାହାଙ୍କ ପଟ୍ଟକୁମର,

ସତ୍ସଙ୍ଗ ସଦ୍‌ଗୁଣ            ସଂଜାତ କିବା ସେ

ଉପରୁପୀ ପୁଷ୍ପାକର ।

 

ଅଥବା କାୟାରୁ            ଛାୟା ଜାତ କିମ୍ୱା

ଶବ୍‌ଦୁ ଜାତ ପ୍ରତିଧ୍ୱାନ,

ଅବା ସାଧନାରୁ            ସାଫଲ୍ୟ, କିଅବା

ମାନସୁ ସମ୍ଭୁତ ଜ୍ଞାନ ।

 

ସେ ନୃପ-ନନ୍ଦନେ            ଦେଖି ଲୋକେ ମନେ

ଆଣୁଥିଲେ ଏହି ପାଞ୍ଚେ,

ବିଶ୍ୱ ଶୋଭାସାର            ଗୋଳି ଅବା ବିଧି

ଢାଳିଛି ବିନୋଦ-ଛାଞ୍ଚେ !

 

ଅଥବା ଆହ୍ଳାଦ            ଉପାଦାନେ ରଚି

ଉପି ସେହି ଆହ୍ଳାଦରେ,

ନେତ୍ର-ରସାୟନ            ଅନୁରାଗ-ଝାଳ

ଚଢ଼ାଇଚି ତା ଉପରେ ।

 

ଉପମାର ପ୍ରତି-            ଉପମା ସୁଦ୍ଧା ସେ

କୁମାର ନିକଟେ ନିନ୍ଦ୍ୟ,

ଶୋଭା-କ୍ଷୀରସିନ୍ଧୁ            ସାର ନବନୀତ

ଶୋଭା-ସର-ଅରବିନ୍ଦ ।

 

ସୁଲକ୍ଷଣ ସହ            ସର୍ବ ଶୁଭଗୁଣ

ଆଶ୍ରିଥିଲେ ତାଙ୍କୁ କାୟା,

ଦେବ କି ମାନବ            ଚିହ୍ନି ନୁହନ୍ତେ ସେ

ନ ଥିଲେ ପଲକ ଛାୟା ।

 

ରତ୍ନ ଅଳଙ୍କାର            ସିନା ଖାଲି ଧାତୁ

ଅସ୍ଥି ପ୍ରସ୍ତର ବିକାର,

ଏଣୁ ତାହା ସ୍ଥାନ            ନିସର୍ଗ ମାଧୁରୀ

କରିଥିଲା ଅଧିକାର ।

 

ଫୁଟି ଉଠୁଥାଏ            ବଦନ-ମଣ୍ଡଳେ

ଉତ୍ସାହର କୋଟି ପ୍ରଭା,

ହୃଦୟ ଗାମ୍ଭୀର୍ଯ୍ୟ            ଶୌର୍ଯ୍ୟ, ଧୈର୍ଯ୍ୟ, ବୀର୍ଯ୍ୟ

କଳି କେ ପାରିବ ଅବା ?

 

ଆଭାସି ଉଠଇ            କଥାକେ କଥାକେ

ଔଦାର୍ଯ୍ୟ ପାଣ୍ଡିତ୍ୟ ସହ,

ସାହିତ୍ୟ-ସଙ୍ଗୀତ-            ରସେ ଜେନାମଣି

ରତ ଥିଲେ ଅହରହ ।

 

ବୟସ୍ୟ ତାଙ୍କର            ଥିଲେ ପ୍ରିୟତର

ରସରାଜ, ଜୟଧ୍ୱଜ,

ପ୍ରଥମ ପୁରୋଧା            ନନ୍ଦନ, ଦ୍ୱିତୀୟ

ସଚିବ ଜ୍ୟେଷ୍ଠ ଆତ୍ମଜ ।

 

ତିନି ମିତ୍ରଙ୍କର            ଏକବୟଃ ଏକ

ମନ ପୁଣି ଏକଭାବ,

ବିନୟ, ସୌଜନ୍ୟ,            ସାରଲ୍ୟ କିଅବା

ମିଳିଥିଲେ ଏକଠାବ ।

 

ଅବା ମିଳିଥିଲେ            ଅମୃତ ମିଳନେ

ସ୍ୱାସ୍ଥ୍ୟ, ଶାନ୍ତି, ଅବସର,

ଅଥବା କୁସୁମ-            ଧନୁ, ଋତୁରାଜ,

ଶୋଭାଖଣି ଶଶଧର ।

 

ଆକୃତିରେ ଭିନ୍ନ            ହେଲେ ହେଁ ତିନିହେଁ

ମାତ୍ର ଏକ ପ୍ରକୃତିରେ,

ଏକ ହୋଇଥିଲା            କ୍ଷୀର ନବାତ କି

ମିଶାମିଶି ହୋଇ ନୀରେ ?

 

ଯୋଗ୍ୟ ସହଚର            ଥିଲେ ପରସ୍ପର

କି କ୍ରୀଡ଼ା କିବା ପଠନେ,

ମିଳିଥିଲା ଅବା            ସୌହାର୍ଦ୍ଦ୍ୟ ମମତା,

ପ୍ରେମ ନିସର୍ଗ ମିଳନେ ।

 

ଅତ୍ୟଳ୍ପ ସମୟେ            ସକଳ ବିଦ୍ୟାରେ

ହେଲେ ସର୍ବେ ଧୁରନ୍ଧର,

ମାତ୍ର ଯୁବରାଜ            ପୁଷ୍ପାକର ହେଲେ

ଅଧିକେ ସୁଯୋଗ୍ୟତର ।

 

ସର୍ବବିଦ୍ୟା ମଧ୍ୟେ            ସାହିତ୍ୟେ ତାଙ୍କର

ଅଭିରୁଚି ସମଧିକ,

ତେଣୁ ଆନ ରସ            ଅପେକ୍ଷା ହେଲେ ସେ

ସକାବ୍ୟ-ରସେ ରସିକ ।

 

କଳ୍ପନା-ଦେବୀଙ୍କ            ଚାଟଶାଳୀରେ ସେ

ପଢ଼ୁଥିଲେ ନିତି ପାଠ,

ନିସର୍ଗ ପ୍ରତିଭା            ବଳେ କିଛିକାଳେ

ହେଲେ ତହିଁ ବଡ଼ଚାଟ ।

 

ତନ୍ନ ତନ୍ନ କରି            ପଢ଼ୁଥିଲେ ସଦା

ପ୍ରକୃତି ବିରାଟଗ୍ରନ୍ଥ,

ଅବହିତ ଚିତ୍ତେ            ଘେନି ନବନବ

ସେ ପ୍ରକୃତିଠାରୁ ସନ୍ଥ ।

 

ଯୋଗୀ ପ୍ରାୟ ବୀର            ନିକାଞ୍ଚନ-ପ୍ରିୟ

ବସି ନିତି ନିକାଞ୍ଚନେ,

ରତ ଥାନ୍ତି ମୁଦେ            ସାହିତ୍ୟ ସନ୍ଦର୍ଭେ

ବିବିଧ ଗ୍ରନ୍ଥାଲୋଚନେ ।

 

ସଂସ୍କୃତ-କବିତା-            ସରୋଜ-ସବିତା-

କାଳିଦାସ ଗ୍ରନ୍ଥାବଳୀ,

କବିରବି ମାଘ            ଭାରବିଙ୍କ ଗ୍ରନ୍ଥ

ପଠନେ ସେ କତୂହଳୀ ।

 

କେବେ ଭାଷାକାବ୍ୟ            ଅର୍ଥେ ରତ ଥାନ୍ତି

ବସିଣ ବନ୍ଧୁ ଗହଣେ,

କେବେ ବା ନିଯୁକ୍ତ            କୌତୁକ ଅନ୍ତରେ

କବିତା ପାଦପୂରଣେ ।

 

ଏକାନ୍ତେ ବସିଣ            କେବେ ଅବା ମଗ୍ନ

ଭାରତୀ-ଭାବ-ସାଗରେ,

ଗଣ୍ଡପାଣି ହୋଇ            ନିର୍ନିମେଷ ନେତ୍ରେ

ଏକାଗ୍ରେ ସାନୁରାଗରେ ।

 

ପଶୁପକ୍ଷୀ ସ୍ୱର                  ଶୁଣି ଦୈବେ ଯଦି

ଭାଙ୍ଗି ଯାଉଥିଲା ଧ୍ୟାନ,

ହେଉଥିଲେ ତେବେ            କ୍ରୋଧ ଘୃଣା ଦୁଃଖ

ବିରକ୍ତିବଶେ ଅଜ୍ଞାନ ।

 

କଳ୍ପନା ମାତ୍ରକେ            କାର୍ଯ୍ୟ ଯେବେ ଆପେ

ଯାଉଣ ଥାନ୍ତା ନିର୍ବାହି,

ପ୍ରତେ ହୁଏ ତେବେ            ସେ ରବକରୀଏ

ପାଉ ନ ଥାଆନ୍ତେ ତ୍ରାହି !

 

ଭୁଲି ଯାଉଥିଲେ            କ୍ଷୁଧାତୃଷା ସେହୁ

ସାହିତ୍ୟ-ମୋଦକେ ମାତି,

ଯେତେ ଘାରୁଥିଲା ସେ ନିଶା,            ତେତେ ସେ

ସେବୁଥିଲେ ଦିନରାତି ।

 

କରୁଥିଲେ ତାଙ୍କ            ପାଣ୍ଡିତ୍ୟେ କବିତ୍ୱେ

ପଣ୍ଡିତ କବିଏ ପୂଜା,

ମାତ୍ର ସେ ନିରତେ            ପୂଜୁଥିଲେ ହୃଦ-

ପଦ୍ମାସନେ ଶ୍ୱେତଭୁଜା ।

 

ସେ ମହାପୂଜାରେ            ପାର୍ଥିବ ପଦାର୍ଥ

ଲାଗେ ନାହିଁ କଦାଚନ,

ଭକ୍ତି ତହିଁ ପୁଷ୍ପ            ପ୍ରୀତି-ଗଙ୍ଗାଜଳ

ଅନୁରାଗହିଁ ଚନ୍ଦନ ।

 

ଜ୍ଞାନ ଘୃତଦୀପ            ବିନୟ ଯେ ଧୂପ

ଅହ୍ମଣିଆ ସ୍ତବାବଳୀ,

କୃତଜ୍ଞତାବ୍ୟଞ୍ଜୀ            ଆତ୍ମସମର୍ପଣ

ସେ ପୂଜାର ପୁଷ୍ପାଞ୍ଜଳି ।

 

ଏହି ଆଧ୍ୟାତ୍ମିକ            ପୂଜାଫଳେ ଦିନେ

ନିଶୀଥେ ଶ୍ୱେତବସନା,

କୁମାର ଶୟନ-            କକ୍ଷେ ଆବିର୍ଭୂତା

ହେଲେ ହୋଇ ସୁପ୍ରସନ୍ନା ।

 

ସପ୍ତସ୍ୱରା ସ୍ୱର୍ଣ୍ଣ-            ବିପଞ୍ଚୀ ପରଶେ

ଭଙ୍ଗାଇ ତାଙ୍କ ସୁଷୁପ୍ତି,

ବୋଇଲେ ବାତ୍ସଲ୍ୟେ            ଉଠ ବତ୍ସ ମୁଁ ତୋ

ସେବାରେ ଲଭିଛି ତୃପ୍ତି ।

 

‘ଘେନ ଏହି ବୀଣା            ମୃତ୍ୟୁଭୟଜିଣା

ଯୋଗ୍ୟ ତୁ ବାଦନେ ଏହା,’

ଏତେ ବୋଲି ବୀଣା            ଅର୍ପି ଅନ୍ତର୍ଦ୍ଧାନ

ହେଲେ ଦେବୀ ଶୁଭ୍ର ଦେହା ।

 

ସାରସ୍ୱତ ବରେ            ହେଲେ ସୁପ୍ରତିଭ

ଅଧିକରେ ପୁଷ୍ପାକର,

ସ୍ୱଭାବ ତେଜସ୍ୱୀ            ସୂର୍ଯ୍ୟକାନ୍ତେ କିବା

ସମ୍ପାତ ଭାସ୍କର କର ?

 

କିଶୋର ବୟସେ            ବହୁ ଉପାଦେୟ

କାବ୍ୟ କଲେ ପ୍ରଣୟନ,

ଅଳ୍ପକାଳେ ତାଙ୍କ            କବି-କୀର୍ତ୍ତିମାନ

ଚୌଦିଗେ ହେଲା ଆଚ୍ଛନ୍ନ ।

 

ତାତ୍କାଳିକ କବି-            ମଣ୍ଡଳୀ ମଧ୍ୟେ ସେ

ଉଜ୍ଜ୍ୱଳ ଦୀପକ ମଣି,

କଳ୍ପନା-କମଳ-            କାନନ-ସବିତା

ରମ୍ୟ କାବ୍ୟ-ରତ୍ନଖଣି ।

 

ସାହିତ୍ୟ ଜଟିଳ            ସମସ୍ୟା ମୀମାଂସା

କରୁଥିଲେ ସେ ପଲକେ,

ଶିକ୍ଷାର୍ଥେ ତାହାଙ୍କ            ପାଶେ ଆସୁଥିଲେ

କବି, ସାହିତ୍ୟ-ସେବକେ ।

 

ନବୀନ ଯୌବନେ            ବିବେକି-ପ୍ରହରୀ

ହୃଦୟ ଥିଲେ ଜଗାଇ,

ତାହା ଭୟେ ତହିଁ            ବିଳାସ-ବ୍ୟସନ

ପ୍ରବେଶି ପାରନ୍ତି ନାହିଁ ।

 

କ୍ଷତ୍ରିୟ ପ୍ରତାପ            ପ୍ରକାଶୁଥିଲେ ସେ

ଦୁଷ୍ଟ ରିପୁଗଣ ପ୍ରତି,

ବୟସେ ଆକାରେ            ସାନ ସିନା ମାତ୍ର

ପ୍ରକୃତିରେ ବୃଦ୍ଧଯତି ।

 

ସାକ୍ଷାତ ଦେବତା            ପିତୃମାତଅପଦେ

ବଚସ୍କର ଭୃତ୍ୟ ପରି,

ଖଟିଥାନ୍ତି ସଦା            ଭକ୍ତିପ୍ଳୁତ ଚିତ୍ତେ

ଦୃଢ଼ତା ନିଷ୍ଠା ଆଚରି ।

 

ଭାବୀ ରାଜା ବୋଲି            ବିରାଟ ଗୁମାନ-

ମୁକୁଟ ନ ବହି ମାଥେ,

ନିର୍ବିକାର ହୃଦେ            ମିଶୁଥିଲେ ସଙ୍ଗୀ

ପ୍ରାୟ ପ୍ରଜାପୁତ୍ର ସାଥେ ।

 

ଜଗତେ ଦୁର୍ଜୟ            ଅସାଧ୍ୟ ସାଧକ

ଯୌବନ, ଧନ, କ୍ଷମତା,

ମାତ୍ର ଏ ତିନିହେଁ            ପୁଷ୍ପାକର ପାଶେ

ପୋତିଲେ ତଳକୁ ମଥା ।

 

ପ୍ରକୃତି-ରଞ୍ଜନ            ଗୁଣ ତାହାଙ୍କର

ଥିଲା ଅତି ଅଦଭୁତ,

ଥାଉ ଆନ, ଚିର            ଶତ୍ରୁ ସୁଦ୍ଧା ତାଙ୍କ

ଗୁଣେ ହେଲେ ବଶୀଭୂତ ।

 

ଶତ୍ରୁ ମୁଖେ ଯାର            ପ୍ରଶଂସା ସେ ସିନା

ପ୍ରକୃତ ପ୍ରଶଂସ୍ୟ ଜନ,

ଧନ୍ୟ ତା ଜନମ            ଧନ୍ୟ ଜନ୍ମଭୂମି

ଶତଧନ୍ୟ ତା ଜୀବନ ।

 

ଅଶ୍ୱାରୋହଣେ ସେ            ଅଦ୍ଭୁତ କୌଶଳୀ

ସମକକ୍ଷ ତାହାଙ୍କର,

ଥିଲେ ଥିବ ସିନା            ମାତ୍ର ଥିଲା ନାହିଁ

ତାଙ୍କହୁଁ ଅଧିକତର ।

 

ଖରଗତି କାଳେ            ତାଙ୍କ ଅଶ୍ୱକ୍ଷୁର

ଶବଦ ନ ଶୁଭୁଥିଲେ,

ଉିଡ଼ିଯାଉଛି କି            ଦଉଡ଼ୁଛି ସେହୁ

ବାରି ନ ହୁଅନ୍ତା ତିଳେ ।

 

ପାରିଧିରେ ଦକ୍ଷ            ଥିଲେ ଯୁବାମଣି

ଅମୋଘ ତାଙ୍କର ବାଣ,

ଶ୍ୱାପଦ ବ୍ୟତୀତ            ନାଶୁ ନ ଥିଲେ ସେ

ନିରୀହ ପ୍ରାଣୀର ପ୍ରାଣ ।

 

ବୁଝୁଥିଲେ ବୀର            ନୁହେଁ କ୍ଷତ୍ରଧର୍ମ

ଇତର ପ୍ରାଣସଂହାର,

କ୍ଷମତା ନୁହେଁ ତା            କ୍ଷମତାର ସିନା

ଅଟେ ଅପବ୍ୟବହାର ।

 

ବଧଠାରୁ ଶ୍ଳାଘ୍ୟ            ମଣୁଥିଲେ ବଧ୍ୟ

ଜୀବର କ୍ରୀଡ଼ା ଦର୍ଶନେ,

ଏଣୁ ଲୁଚି ବସି            ଦେଖୁଥାନ୍ତି ପଶୁ

ଇଙ୍ଗିତ ଆଭାସେ ବନେ ।

 

କେବେ ବସିଥାନ୍ତି            ଉଟଜ ନିର୍ମାଣି

ପ୍ରତୀଚୀ ଶୈଳ ନିପାନେ,

କେବେ ଋଷିକୁଲ୍ୟା            ସଙ୍ଗମ ପ୍ରଦେଶେ

କେତକୀ-ବେଷ୍ଟିତ ସ୍ଥାନେ ।

 

ଯହିଁ ବେଳାଭୂମେ            ଗଭୀର ନିଶୀଥେ

ଶାର୍ଦ୍ଦୂଳର ରୁଦ୍ରସ୍ୱର,

ସ୍ୱଭାବ-ଭୀଷଣ            ସିନ୍ଧୁ ନାଦେ କରେ

ସବିଶେଷେ ଭୟଙ୍କର ।

 

ସିନ୍ଧୁବୀଚୀଚୁମ୍ୱୀ-            ବାତ-ବିଦୂଳିତ

ନାରିକେଳ-ତରୁଶାଖେ,

ଦୋଳି ଖେଳେ ରତ            ଥାନ୍ତି ମହାନନ୍ଦେ

ଚକ୍ରବାକୀ ଚକ୍ରବାକେ ।

 

ତହିଁ ଭୂତପୂର୍ବ            ଯବନେଶ୍ୱରଙ୍କ

ଜରାଜୀର୍ଣ୍ଣ ଭଗ୍ନ ଦୁର୍ଗ,

ମାନବ ଅଭାବେ            ଧରିଅଛି ଗର୍ଭେ

ବରାହ ଶମ୍ୱର ମୃଗ ।

 

ଯେଉଁ ଦୁର୍ଗଦ୍ୱାର            ଶତ୍ରୁର ଅଗମ୍ୟ

ଥିଲା ଅସ୍ତ୍ରୀ ପ୍ରହରଣେ,

ଜଗୁଆଳି ତହିଁ            ଏବେ ଭାଲୁ ଶିବା

ପରିଣତ ତାହା ବଣେ ।

 

ଆସେ ପାନ୍ଥମନେ            ବିଶ୍ୱ ନଶ୍ୱରତା

ବିଲୋକି ତା ଅଧୋଗତି,

ଗଢ଼େ ନର ସିନା            ମନୋମତ ଦ୍ରବ୍ୟ

ମାତ୍ର ତା ଭାଙ୍ଗେ ନିୟତି ।

 

କାଳ-ବୀଚୀ ସହ            ଜଳ-ବୀଚୀ ସେହି

ଦୁର୍ଗର ଅସ୍ଥିକଙ୍କାଳ,

ଧୋଇ କ୍ରମେ ତାକୁ            ଅନ୍ତଃସାରଶୂନ୍ୟ

କରୁଛି ହୋଇ ଉତ୍ତାଳ ।

 

ବହୁଦିନ ଭାଗ୍ୟ-            ତରୀ ନିମଜ୍ଜିତ

ଭବିତବ୍ୟ-ବାତ୍ୟା ବାଜି,

ମାତ୍ର ଦେହ-ତରୀ            ଅର୍ଦ୍ଧମଗ୍ନ ହୋଇ

ଭାସୁଅଛି ସୁଦ୍ଧା ଆଜି ।

 

କୋଟି ରତ୍ନଦୀପେ            ସମୁଜ୍ଜ୍ୱଳ ଯେହୁ

ପୁରୀ ଥିଲା ପୁରାକାଳେ,

ରଜନୀରେ ଏବେ            କ୍ଷୀଣାଲୋକ ତହିଁ

ଦେଖାନ୍ତି ଖଦ୍ୟୋତଜାଳେ ।

 

ଭାଗ୍ୟ ପ୍ରତିକୂଳେ            ଏହିପରି କେତେ

ରାଜେନ୍ଦ୍ର ରମ୍ୟ ଭବନ,

ହୋଇଅଛି ଆହା            ଏବେ ବିଜନତା-

ତପସ୍ୱିନୀ ତପୋବନ ।

 

କେ ଲଙ୍ଘିବ ଭବେ            ପ୍ରାକ୍ତନ ଶାସନ

ଜଙ୍ଗମ କିବା ସ୍ଥାବର,

କରିପାରେ ସେହୁ            ରାଜାକୁ ଭିଖାରୀ

ଭିଖାରୀକୁ ଦଣ୍ଡଧର ।

 

ଶୈବାଳ-ସଙ୍କୁଳ            ଜୀର୍ଣ୍ଣ ହୁର୍ମ୍ୟେ ତହିଁ

ପୁଷ୍ପାକର ହୋଇ ଛିଡ଼ା,

ଦେଖୁଥିଲେ ଦୁର୍ଗ-ପାଦେ,            ସିନ୍ଧୁବକ୍ଷେ

କୁରଙ୍ଗ ତରଙ୍ଗ-କ୍ରୀଡ଼ା ।

 

ଶୁଣି ମହାଗୂଢ଼            ପ୍ରକୃତି-କବିତା

ବାରିଧି ନାଦ ଛଳରେ,

ଖେଳୁଥିଲା କେତେ            ନବୀନ କବିତା-

କଲ୍ଲୋଳ ହୃଦ-ସାଗରେ ।

 

ପ୍ରକୃତି ବିରାଟ-            ମହାଦୃଶ୍ୟ ଦେଖି

ସମ୍ମୁଖଭାବେ ବିସ୍ତୃତ,

ମହାଭାବେ ବୁଡ଼ି            ହେଉଥିଲେ କ୍ଷଣ

କ୍ଷଣକେ ଆତ୍ମବିସ୍ମୃତ ।

 

ଅନନ୍ତ ଅପାର            ପାରାବାରେ ଚାହିଁ

କରୁଥିଲେ ଏ କଳ୍ପନା,

ଏହା ଜଳକଣା            ତୁଳନାରେ ସୁଦ୍ଧା

ନର ଅତି ଅତୁଳନା ।

 

ଚକ୍ଷୁସତ୍ତ୍ୱେ ଅନ୍ଧ            ନିର୍ବୋଧ ମାନବ

ଦେଖି ଏହା ଦେଖୁ ନାହିଁ,

ଅହୋ, କି ଆଶ୍ଚର୍ଯ୍ୟ            ନଗଣ୍ୟ କ୍ଷମତା

ବହି ସେ କରେ ବଡ଼ାଇ ।

 

ଦୁର୍ଜୟ ପ୍ରତାପୀ            ହୋଇ ସୁଦ୍ଧା ସିନ୍ଧୁ

ଲଙ୍ଘୁ ନାହିଁ ଗାରେ ସୀମା,

ତୁଚ୍ଛ ଅଧିକାରେ            ତୁଚ୍ଛ ନର ସିନା

ପ୍ରକାଶେ ତୁଚ୍ଛ ଗରିମା ।

 

ରାଜ-ନନ୍ଦନଙ୍କ            ମହିମା ବର୍ଣ୍ଣନା

କବି-ବଚନକୁ ବଳେ,

ପଟାନ୍ତର ତାଙ୍କୁ            ସେହି ଏକା ସିନା

ନୈତିକ ଚାରିତ୍ର୍ୟବଳେ ।

 

ବ୍ୟବହାର ନୀତି            ରାଜନୀତି ଧର୍ମ-

ନୀତି ଆଦି ନୀତିଗଣ

ପାଦପେ ବଲ୍ଲରୀ            ପ୍ରାୟ ଦୃଢ଼େ ତାଙ୍କୁ

କରିଥିଲେ ଆଲିଙ୍ଗନ ।

 

ଜନଶ୍ରୁତି-ଦୂତୀ-            ମୁଖୁ ରାଜା ରାଣୀ

ଶୁଣିଣ ପୁତ୍ର ସୁଖ୍ୟାତି,

ଅପାର ଆନନ୍ଦ            ସ୍ନେହରସେ ତାଙ୍କ

ଫୁଲି ଉଠୁଥିଲା ଛାତି ।

 

ଅପତ୍ୟ ସ୍ନେହରେ            ଗୁଣେ ପ୍ରଶଂସାକୁ

ମଣୁଥିଲେ କୋଟି ଗୁଣ,

ପାଣ୍ଠିରୁପେ ତାହା            ସ୍ଥାପି ପୁଣି ତହୁଁ

ଅର୍ପୂଥିଲେ ଲୋକେ ଋଣ ।

 

କୁମାରଙ୍କ ଗୁଣେ            ରାଜଦମ୍ପତିଙ୍କ

ପ୍ରତିଷ୍ଠା ଲୋକମୁଖରୁ,

ଉଠୁଥିଲା ଉଚ୍ଚେ,            ଫଳ ଯୋଗେ ସିନା

ହୁଏ ପ୍ରଶଂସିତ ତରୁ ।

 

ବୋଲୁଥିଲେ ଜନେ            ଧନ୍ୟ ହେମତାରା

ପ୍ରସବିଲେ ଏ କୁମର,

ପୌର୍ଣ୍ଣମାସୀ ଗର୍ଭୁ            ସମୁଦ୍ଭୁତ କିବା

କଳାପୂର୍ଣ୍ଣ କଳାକର ।

 

ରାଜରାଣୀକୁଳେ            ଧନ୍ୟ ତୁମ୍ଭେ ତୁମ୍ଭ

ଗର୍ଭ ମଣି-ଖଣି ସତୀ,

ଏଭଳି କୁମାର            ଅଙ୍କେ ଧରି ତୁମ୍ଭେ

ପୁତ୍ରବତୀ ଭାଗ୍ୟବତୀ ।

 

ଦ୍ୱିତୀୟ ସର୍ଗ

 

ଗଞ୍ଜମ-ହିମାଦ୍ରି-            ମହେନ୍ଦ୍ର ପୟରେ

ମହେନ୍ଦ୍ର ତନୟା *ଯହିଁ,

ବହି ଯାଉଅଛି            ତରତରେ ଯଥା

ନକୁଳ- ସାଧ୍ୱସ୍ତ ଅହି ।

* ସ୍ୱନାମପ୍ରସିଦ୍ଧ ନଦୀବିଶେଷ। ଏହା ମହେନ୍ଦ୍ର ପର୍ବତରୁ ନିର୍ଗତ ହୋଇଅଛି ।

 

ରତ୍ନଗଡ଼ ନାମେ            ସୁନ୍ଦର ନଗର

ଥିଲା ତହିଁ ପୁରାକାଳେ,

ଯା ବିପଣୀମାଳା            ସମୁଜ୍ଜ୍ୱଳ ସଦା

ମଞ୍ଜୁଳ ହୀରା-ପ୍ରବାଳେ ।

 

ସେ ନଗରବାସୀ            ଚାରି ଜାତି ପ୍ରଜା

ଧର୍ମଶୀଳ ଧନବାନ,

ଛୁଇଁଥିଲା ନାହିଁ            ତା ପବିତ୍ର ସୀମା

ଅସତ୍ୟ ଦୈନ୍ୟ ଅଜ୍ଞାନ ।

 

ଏକମନା ସର୍ବ            ନାଗରିକେ ଏକ

ପରିବାରଭୁକ୍ତ ପରି,

ଥାନ୍ତି ସୁଖେ ଦୁଃଖେ                  ପରସ୍ପର ପ୍ରତି

ସହାନୁଭୂତି ଆଚରି ।

 

ଭ୍ରାତୃଭାବେ ସର୍ବେ            ପ୍ରଣୟ-ଡ଼ୋରକୁ

ବିଶ୍ୱାସ-କଷେ କଷାଇ,

ବାନ୍ଧି ରଖିଥିଲେ            ହୃଦୟେ ହୃଦୟେ

ସୁଦୃଢ଼ ଗଣ୍ଠି ପକାଇ ।

 

ସମବେତ ଚେଷ୍ଟା            ବଳେ ସାଧୁଥିଲେ

ମାତା ମାତୃଭୂମି ହିତ,

ସଂହତିର ମହା-            ମହିମା ସକଳେ

ବିଶେଷେ ଥିଲେ ବିଦିତ ।

 

ପଡ଼ିଶା-ସୁଲଭ            ଦ୍ୱେଷରୋଷ ତେଜି

ଦେଶୋନ୍ନତି ଆତ୍ମୋନ୍ନତି,

ସାଧି ଭୁଞ୍ଜୁଥିଲେ            ଏ ମର୍ତ୍ତ୍ୟ-ମଣ୍ଡଳେ

ଅମର୍ତ୍ତ୍ୟ ସୁଖ-ସମ୍ପତ୍ତି ।

 

ରାଜଭକ୍ତ ସର୍ବେ            ପୂଜୁଥିଲେ ନୃପେ

ମହତୀ ଦେବତା ମଣି,

ଆଜ୍ଞାବହ ପଣେ            ଥିଲେ ପୁଣି ରାଜ-

ଆଦେଶର ପ୍ରତିଧ୍ୱନି ।

 

ନଗର ସୁଷମା            ମର୍ତ୍ତ୍ୟେ ଅନୁପମା

ଶୋଭାର ସେ ପାରାବାର,

ଉଠି ଆସିଛି କି            ବିଚିତ୍ର ବୈଭ୍ରାଜ

ଅଳକାର ଅଳଙ୍କାର ।

 

ସୁଧା-ଧବଳିତ            ତୁଙ୍ଗ ସୌଧମାଳା

ବିସ୍ତାରେ ଅପୂର୍ବ ପ୍ରଭା,

ଅବନୀ-ସୁନ୍ଦରୀ-            ପୁରନ୍ଦରୀ ଶିରେ

କି ସେ ମଲ୍ଲିଫୁଲ ଗଭା ?

 

ବେନି ପାଶେ ହର୍ମ୍ୟ            ମଧ୍ୟେ ରଙ୍ଗପଥ

ଯାଏ କି ସୁନ୍ଦର ଦେଖା,

ଜରତୀ-ପ୍ରକୃତି            ସଧବା ଚିହ୍ନ ସେ

ସୀମନ୍ତେ ସିନ୍ଦୂର-ରେଖା ।

 

ନରମନ, ସର-            ଜୀବନ, ଉଦ୍ୟାନ

ସୁନ୍ଦର ନିର୍ମଳ ଘାଟ,

ବସିଥିଲା ଗୃହେ            ପ୍ରାଙ୍ଗଣେ ସର୍ବତ୍ର

ଶୋଭା, ନିର୍ମଳତା ହାଟ ।

 

ଉଡ଼େ ଗୃହଚୂଡ଼େ            ଚିତ୍ର ବୈଜୟନ୍ତୀ

ସୁଧୀର ବାୟୁ ଲହରେ,

ଏ ପୁରୀ ସମାନ            ନାହିଁ ବୋଲି ଅବା

ହାତ ଚାଳି ନାହିଁ କରେ ।

 

ଶାଖା-ଦଣ୍ଡ ଟେକି            ଦଣ୍ଡାଶୀ ପରାଏ

ତରୁରାଜି ପଥପାଶେ,

ଅଟଳ ସାହସେ            ଧୈର୍ଯ୍ୟେ ଉଭା କିବା

ରାଜ୍ୟ ଶାନ୍ତିରକ୍ଷା ଆଶେ ।

 

ପ୍ରତିଗୃହ ଆଗେ            ପଲ୍ଲବ ପାଦପେ

ବନ୍ଧାହୋଇ ଛାମୁଣ୍ଡିଆ,

ନବବଧୂ ଶିରେ            ଓଢ଼ଣା ପରାଏ

ଦିଶେ ଅତି ବାହାରିଆ ।

 

କମ୍ପି ଉଠୁଥାଏ            ମୁହୁର୍ମୁହୁ ଯାନ-

ବାହନେ ରାଜ-ସରଣୀ,

ବିଳାସ ଭବନୁ            ଦେବାଳୟୁ ଉଠେ

ବାଦ୍ୟ ସଙ୍ଗୀତର ଧ୍ୱନି ।

 

ପ୍ରତ୍ୟେକ ଗୃହସ୍ଥ            ଗୃହ ଧନପୂର୍ଣ୍ଣ

ଧାନ୍ୟରେ ପୂର୍ଣ୍ଣ ଅମାର,

ସର୍ବମତେ ସେହୁ            ସୁରମ୍ୟ ନଗର

କମଳା କୋଠଭଣ୍ଡାର ।

 

ଶୂରସିଂହ ନାମେ            ଅରି-କରି-ସିଂହ

ସେ ନଗର ଦଣ୍ଡଧାରୀ,

ଯାଙ୍କ ସୁଶାସନେ            ଥିଲେ ନାହିଁ ରାଜ୍ୟେ

ଦରିଦ୍ର ଚୋର ଭିଖାରୀ ।

 

ହିମାଳୟ ପରି            ହୃଦୟ ତାଙ୍କର

ଉଦାର ସ୍ଥିର ଉନ୍ନତ,

ପଦବ୍ରଜେ ବୁଲି            ପ୍ରବୃତି ଅବସ୍ଥା

ହେଉଥିଲେ ଅବଗତ ।

 

କର୍ତ୍ତବ୍ୟ-ଜାହ୍ନବୀ-            ଜଳେ ଚିତ୍ତଶୁଦ୍ଧି

ସାଧୁଥିଲେ ହରଘଡ଼ି,

ଚିର ଦରିଦ୍ରର            ସଦ୍ୟ ଶୁଭାଦୃଷ୍ଟ

ଦେଉଥିଲେ ଦାନେ ଗଢ଼ି ।

 

ଜୀବନ ବ୍ୟତୀତ            ଅଦେୟ ତାଙ୍କର

କିଛି ହିଁ ତ ଥିଲା ନାହିଁ,

ଥିଲା ସିନା ପ୍ରାଣ            ନ ଥିଲାକୁ ଭାଗ୍ୟେ

ପ୍ରାର୍ଥୀ କେହି ତାହା ପାଇ ।

 

ଧନେ ମାନେ ବଡ଼            ଥାଇ ଆପଣାକୁ

ମଣୁଥିଲେ ସଦା ସାନ,

ସାନର ମାହାତ୍ମ୍ୟ            ବୁଝିବାକୁ ଏକା

ଭାଜନ ସିନା ମହାନ ।

 

ବଟ ବୀଜ ଛୋଟ,            କିନ୍ତୁ ତା ବିରାଟ

ପାଦପ ଉତ୍ପତ୍ତି ସ୍ଥାନ,

ପ୍ରଚ୍ଛନ୍ନେ ମହାନେ            ଧରେ ସାନ, ସେହୁ

ମହାନରୁ ମହୀୟାନ ।

 

ସାମ୍ୟଶାନ୍ତି ତାଙ୍କ            ସ୍ୱର୍ଣ୍ଣ ସିଂହାସନ

ରାଜଦଣ୍ଡ ଥିଲା ନ୍ୟାୟ,

ସତ୍ୟରୂପୀ ରତ୍ନ            ମୁକୁଟେ ମସ୍ତକ

ମଣ୍ଡିଥାନ୍ତି ନରରାୟ ।

 

ମନ୍ତ୍ରଣା-କୁଶଳ            ସଚିବପ୍ରବର

ବିଶୁଦ୍ଧ ନିରପେକ୍ଷତା,

ସଂଯମ ବାହନ            ବିନୟ ଯେ ଯାନ

ସୁପ୍ରଶସ୍ତି ପାଟଛତା ।

 

ରାଜକାର୍ଯ୍ୟେ ନ୍ୟସ୍ତ            ଥିଲା ଏକ ହସ୍ତ

ପୁଣ୍ୟାର୍ଜନେ ଆନ କର,

ଦେବା ପାଇଁ ଖାଲି            ନେଉଥିଲେ ନୃପ

ପରଜା ସକାଶୁ କର ।

 

ତୁଚ୍ଛ ରାଜଭୋଗ            ପାରିଥିଲା ନାହିଁ

କରି ତାଙ୍କ ତନୁ ଭୋଗ,

ଭୋଗ ବୋଲି ଯାକୁ            ବୋଲଇ ସଂସାର

ମଣନ୍ତି ସେ ତାକୁ ରୋଗ ।

 

ନାମେ ମାତ୍ର ସିନା            ରାଜ୍ୟାଧିପ ମାତ୍ର

ଫଳେ ରାଜ୍ୟାଶ୍ରମ ଋଷି,

ବିଷୟ-ଜଳୌକା            ଥିଲା ନାହିଁ ତାଙ୍କ

ଚରିତ୍ର-ଶୋଣିତ ଚୁଷି ।

 

ବିଶାଳ ରାଜ୍ୟର            ଅଧିକାରୀ ହୋଇ

ବିପୁଳ ବିଭବଶାଳୀ,

ମଣୁଥାନ୍ତି ସଦା            ନିଜକୁ ପ୍ରଜାଙ୍କ

ଧନ ପ୍ରାଣ ଜଗୁଆଳି ।

 

ଐଶ୍ୱର୍ଯ୍ୟ ମହିମା            ଅଦ୍ଭୁତ, ଦିଏ ସେ

ଚକ୍ଷୁଷ୍ମାନେ କରି ଅନ୍ଧ,

ମାତ୍ର ସ୍ଥାପିଥିଲା            ରତ୍ନଗଡ଼-ପତି-

କତି ପ୍ରତାପୀ ସମ୍ୱନ୍ଧ ।

 

ପ୍ରକାଶୁଣ ଥିଲେ            ଶତ୍ରୁ ପ୍ରତି କ୍ଷମା

ନ ବହି ମାନସେ ଈର୍ଷା,

ନର ପ୍ରାଣେ କ୍ଷମା            ଦେବତ୍ୱ ନିଶ୍ଚୟ

ପଶୁପଣ ପ୍ରତିହିଂସା ।

 

ଚାରୁଶୀଳା ନାମେ            ଥିଳେ ଅଭିହିତ

ତାହାଙ୍କ ସହଧର୍ମିଣୀ,

ନାରୀରୂପେ ଅବା            ପାତିବ୍ରତ୍ୟ ଧର୍ମ

ବିମଣ୍ଡିଥିଲେ ମେଦିନୀ ।

 

ଶୋଭାଦେବୀ ତାଙ୍କୁ            ଶୋଭାପଣେ ଊଣା

ସେ ଲାବଣ୍ୟ-ସିନ୍ଧୁ-ନିଧି,

କୋଟି ଚନ୍ଦ୍ରପ୍ରଭା-            ପୀୟୂଷ ଏକତ୍ର

କରିଥିଲା କିବା ବିଧି ।

 

ନୃପ ସନ୍ନିଧାନେ            ବିରାଜନ୍ତି ଦେବୀ

ଶୋଭାରାଣୀ ନୃପଦାରା,

ବସନ୍ତ ଅନ୍ତିକେ            ଧରା କିମ୍ୱା ଯଥା

ଚନ୍ଦ୍ର ପାଶେ ଚିତ୍ରା ତାରା ।

 

ଜାତ କଲେ ସଚୀ            ପାଣ୍ଡବ ସମାନ

ସୁନ୍ଦର ପଞ୍ଚକୁମାର,

କନ୍ୟା ପ୍ରାପ୍ତି ଆଶେ            ପାର୍ବତୀ ଉଦ୍ଦେଶ୍ୟେ

ପାଳୁଥିଲେ ଓଷାବାର ।

 

ମହାଭାଗ୍ୟବତୀ            ଶତ-ପୁତ୍ରବତୀ

ହେଲେ ହେଁ ରମଣୀଗଣ,

ମନରୁ ମରୁଛି            ପାରନ୍ତି କି ଭଲା

କନ୍ୟାଲିପ୍ସା କଦାଚନ ।

 

ଦିନେ ନିଶିଯୋଗେ            ସ୍ୱପନେ ଗିରିଜା

ବସି ରାଣୀ-ଶଯ୍ୟା ପାଶେ,

ବୋଇଲେ ଝିଅ ଲୋ            ଘେନ ମୋ ଆଶିଷ

ସୁମଧୁର ଧୀରଭାଷେ ।

 

କାୟମନୋବାକ୍ୟେ            ସେବାରେ ମୋତେ ତୁ

ତୁଷ୍ଟ କଲୁ ଚାନ୍ଦମୁହିଁ,

ସେ ସୁକୃତି ଫଳେ            ହେବି ଚାରୁଶୀଳେ

ତୋହର ଦୁହିତା ମୁହିଁ ।

 

ଏହା କହି ଖରେ            ଶର୍ବରୀ ଅନ୍ଧାରେ

ଶିବଦାତ୍ରୀ ଶିବଦାରା,

ମିଶିଗଲେ ଯଥା            ନୀଳ ଊର୍ମି କୋଳେ

ବାଡ଼ବ ଅନଳଧାରା ।

 

ନିଦ୍ରାନାଶେ ରାଣୀ            ସ୍ୱପ୍ନକଥା ହେଜି

ଲଭିଲେ ଅତି ସନ୍ତୋଷ,

ଘନ ଆଶା ଦାସୀ            ଚାତକିନୀ ଯଥା

ଗ୍ରୀଷ୍ମେ ଶୁଣି ଘନ-ଘୋଷ ।

 

ଭାବୀ କନ୍ୟା ଲାଭ            ଆଶାରେ କଲେ ସେ

ସୁଖ-ସରେ ସନ୍ତରଣ,

ଉତ୍ସବର ପୂର୍ବ            ଦିବସେ ଯେସନ

ଉତ୍ସବ-କର୍ତ୍ତାର ମନ ।

 

କେତେ କାଳ ପରେ            ପ୍ରସବିଲେ ରାଣୀ

ଅପ୍ସରାଜିତ ଦୁହିତା,

ଶୂକ୍ତିରୁ ମୁକୁତା            ସଞ୍ଜାତ କିବା ସେ

ବସୁନ୍ଧରା ଗର୍ଭୁ ସୀତା ।

 

ଅଥବା ବୁଦ୍ଧିରୁ            ପ୍ରତିଭା ଉଦ୍ଭବ

ପ୍ରାଚୀଗର୍ଭୁ କାବ୍ୟତାରା,

କିବା ଚନ୍ଦ୍ରମାରୁ            ଚନ୍ଦ୍ରିକା ରୂପସୀ-

ଜଗଜ୍ଜନ-ନେତ୍ରକାରା ।

 

ଅଥବା ସୁବର୍ଣ୍ଣ            ଲେଖନୀରୁ ଜାତ

ଶୁଭମୟା ବର୍ଣ୍ଣାବଳୀ,

ଅବା ଶୋଭା ସ୍ୱର୍ଣ୍ଣ-            ସରୁ ସମୁଦ୍ଭବ

କନକ କମଳ କଳି ।

 

ଯେ କନ୍ୟା ଉମାଙ୍କ            ଉପମୂର୍ତ୍ତି ତାକୁ

ଉପମା କିସ ସର୍ବଥା,

ବିଶ୍ୱ-ବିନୋଦିନୀ            ଆଶା ଉପରୂପ

କଲ୍ୟାଣ କାମନା ଯଥା ।

 

ରୂପ ଦେଖି ରମ୍ଭା            ଅପସରୀ ଯିବ

ବ୍ରୀଡ଼ାବଶେ ଅପସରି,

ସୁଗନ୍ଧ ଆବାସ            ହୋଇଥିଲେ ସୁନା

ହୁଅନ୍ତା କିଞ୍ଚିତ ସରି ।

 

ତରୁଣ ଅରୁଣ            ନିନ୍ଦା କରୁଅଛି

ଅଧର ଆରକ୍ତ ପ୍ରଭା,

ରୂପ-ପାରାବାରେ            ପ୍ରବାଳ-ତରଣୀ

ଭାସୁଅଛି ଆହା ଅବା ।

 

ଉପମାର କିବା            ଚାରା ହେବ ସେହୁ

ଚାରୁହାସ ସଙ୍ଗେ ତୁଲ,

ସମାନ ହୁଅନ୍ତା            ଫୁଟନ୍ତା ଯଦ୍ୟପି

ତଡ଼ିତ ଲତାରେ ଫୁଲ ।

 

ନିର୍ମାଣିଛି ଧାତା            କଳ୍ପନାରେ ନିଶ୍ଚେ

ଏହି ରୂପ-ରତ୍ନଲତା,

ଏହା ଭାଳି ବୁଧେ            ରାଜକୁମାରୀର

ନାମ ଦେଲେ କଳ୍ପଲତା ।

 

ଫଳେ ସେ ସୁରମ୍ୟ            ଅଦ୍ଭୁତ ଲତିକା

ଶୁଦ୍ଧାନ୍ତ-କୁସୁମବନେ,

ବିବିଧ ସୁନ୍ଦର            ଫୁଲ ଫୁଟିଥିଲା

ତା’ ମଧୁର ଅପଘନେ ।

 

ବଦନ ଅମଳ            ପାଟଳ କମଳ

ନେତ୍ର ନୀଳ ଇନ୍ଦ୍ରୀବର,

ଶ୍ରବଣ ପାଟଳୀ            ନାସା ଚିତଫୁଲ

ଗୋଲାପ ରକ୍ତ ଅଧର ।

 

ଦନ୍ତ କୁନ୍ଦକଢ଼ୀ            ପଦ୍ମ ହସ୍ତ ପଦ

ଅଙ୍ଗୁଳି ହେମ ଚମ୍ପକ,

ଅଗସ୍ତି ଲଲାଟ            କେତକୀ ସର୍ବାଙ୍ଗ

ନିଆଳୀପାଖୁଡ଼ା ନଖ ।

 

ଏହିପରି ବହୁ            ସୁମନୋଜ୍ଞ ପୁଷ୍ପେ

ଗଢ଼ା ସେ ପୁଷ୍ପ-ପିତୁଳୀ,

କି ଛାର ବା ନାରୀ            କୋଟୀ ବିଦ୍ୟାଧାରୀ

ଶୋଭାରେ ଯିବେ ମଉଳି ।

 

ବୟୋବୁଦ୍ଧି ସଙ୍ଗେ            ଶୋଭା ବିସ୍ତାରିଲା

ସୁନ୍ଦରୀ-ମୁକୁଟ-ଝରା,

ରତ୍ନଭୂଷାରାଶି            ଅଙ୍ଗେ ଲାଗି ତାର

ଦିଶିଲେ ସୁନ୍ଦରତରା ।

 

ଆଚ୍ଛାଦି ଦେଲେ ତା’            ନିସର୍ଗ ମାଧୁରୀ

କୃତ୍ରିମ ଭୂଷଣଗଣ,

ଅସୁନ୍ଦରେ ଭୂଷା            ଶୋଭା ଦିଏ ସିନା

ଘୋଡ଼ାଏ ସୁନ୍ଦରପଣ ।

 

ସ୍ୱଭାବ ଶୋଭାକୁ            ଦେଲା ଯଉବନ

ଶାଣିତ ପାଣିତ କରି,

ଚାଲିଯିବା ବେଳେ            ଶୋଭାଙ୍ଗୀ ଶ୍ରୀଅଙ୍ଗୁ

ଶୋଭା ପଡ଼ୁଥିଲା ଝରି ।

 

ନାକେ, ନାଗେ, ନରେ            ସୁନ୍ଦରୀ ସଂସାରେ

ସାର ସେ ନୃପ-ଦୁଲାଳୀ,

ଆନ ରାଜବାଳା            ସରସୀ ସରାଳୀ

ଏ ଯେ ମାନସ ମରାଳୀ ।

 

ଗୋଟିଏ ତଣ୍ଡୁଳେ            ଗଢ଼ା ସେ ରୂପସୀ

ଉପମାକୁଳ-ପ୍ରକମ୍ପା,

ଆନ ରାଜଜେମା            ମହୀଫୁଲ ଚମ୍ପା

ଏ ଯେ ସ୍ୱର୍ଗ ସ୍ଥିରଶମ୍ପା ।

 

ବର୍ଣ୍ଣ ବଇଭବେ            କନକ-କେତକୀ

ତାହା ପାଶେ ଅତି ଫିକା,

ଆନ ସୁନ୍ଦରୀଏ            ଦୀପ୍ତ ଦୀପଶିଖା

ମାତ୍ର ସେ ଚାରୁଚନ୍ଦ୍ରିକା ।

 

ସୁବେଣୀ ଚରମେ            ଲମ୍ୱମାନ ବେଣୀ

ସ୍ୱର୍ଣ୍ଣସେବତୀ-ସେବିତ,

ଉଆଁସ ଅନ୍ଧାର            ହୋଇଛି କି ମୁଖ-

ଶଶୀ ପଛେ ଲୁକ୍କାୟିତ ।

 

ରତ୍ନଖଚୀ ବକ୍ର-            ଡ଼ଉରା ମସ୍ତକେ

ଶୋଭେ ଘନେ ବିଦ୍ୟୁପରି,

ଅବା ସମୁଜ୍ଜ୍ୱଳ            ବିଶାଖା ନକ୍ଷତ୍ର

ଉଦେ ପ୍ରାଚୀ-ପୃଷ୍ଠୋପରି ।

 

ସାରସ୍ୱତ ଗୀର            ଅକ୍ଷମ ତାହାର

ବର୍ଣ୍ଣନେ ମୁଖ-ସୁଷମା,

ଚିର ଅମଳିନ            ହୋଇଥିଲେ ପଦ୍ମ

ଖଟନ୍ତା କିଛି ଉପମା ।

 

ଶୋଭା- ତିଳୋତ୍ତମା      କତୁରା କୁରୁଳି

ଅଳକା କି ମନୋହୁର,

ଫୁଲ୍ଲ କମଳକୁ            ବେଢ଼ିଛନ୍ତି କିବା

ତ୍ରିପାଶୁ ବହୁ ଭ୍ରମର ।

 

କପାଳେ କସ୍ତୁରୀ-            ଚିତା ଜାତ କରେ

ଅଦ୍ଭୁତ ଉପମା ମନେ,

ଭୟେ ଦ୍ୱାରି ରାହୁ            ଶରଣ ପଶିଛି

ସତେ କି ମୃଗଲାଞ୍ଛନେ ?

 

ବେନି ଶ୍ରୂତିମୂଳେ            ହୀରାଖଚୀ କାପ

ଆହା କି ଶୋଭା ପ୍ରକାଶେ,

ବସନ୍ତ ଆଗମେ            ଚିତ୍ରା ସ୍ୱାତୀ ଅବା

ଉଦେ ମୁଖ- ଇନ୍ଦୁ ପାଶେ ।

 

ଲଲାଟ କନକ-            କାକତ ତହିଁରେ

କି ସୁନ୍ଦର ଭୁରୁଦ୍ୱୟ,

କାକପଦୀ ଦେଇ            ଲେଖିଛି କି ବିହି

ଛାଡ଼ିଥିବା ବର୍ଣ୍ଣଚୟ ।

 

ନାସାଭୂଷା ମୋତି            ପ୍ରଶ୍ୱାସ-ଅନିଳେ

ଦୋଳି ପ୍ରକାଶଇ ପ୍ରଭା,

ଘୋଣାରୂପୀ ଦ୍ୱିଜ            ପୂର୍ଣ୍ଣ ଶଶଧରେ

ଆଳତି କରୁଛି ଅବା ।

 

ନୀଳଚେକାବୃତ            ବକ୍ଷେ ବିଲମ୍ବିତ

ବହୁ କେରା ମୋତିହାରା,

ନୀଳ ନଭସ୍ତଳେ            ବିରାଜେ କି ଆହା

ଧାଡ଼ିଏ ଧାଡ଼ିଏ ତାରା !

 

କାନ୍ତି-ପାରାବାର            ମନୋମଦ-ବୀଚି

ବାହୁ ଶୋହେ ବାଜୁବନ୍ଧେ,

ରତ୍ନଚୂଡ଼ୀ ସବୁ            ମାଣିକ୍ୟ ଅତୁଲ

ଜଡ଼ିଥାଏ ମଣିବନ୍ଧେ ।

 

ତାରୁ ସରୁ କମ            ହୀରକ ପଞ୍ଚମ

ଅତି ରମଣୀୟ ପଦେ,

ଜନକ-ପାଦପେ            ରଜତ-ଲତା କି

ଛନ୍ଦିଥିଲା ନାନା ଛନ୍ଦେ ।

 

ଚାଲିବା ସମୟେ            ରୁଣୁ ଝୁଣୁ ବାଜେ

ବାଜେଣୀ ହେମ-ପାହୁଡ଼,

କହେ କି ଗତିରେ            ଘଟାଇପାରେ ଏ

ମତ୍ତ ମରାଳୀ ପା-ହୁଡ଼,

 

ବାଜେ ତହିଁ ସଙ୍ଗେ            ମଧୁର ଆରବେ

ପ୍ରପଦେ ସ୍ୱର୍ଣ୍ଣ ଝୁଣ୍ଟିଆ,

ଝୁଣ୍ଟିଆ ନୁହେଁ ସେ            ରାଜ-ନନ୍ଦିନୀର

ବିଜୟ-ଘୋଷୀ ଖୁଣ୍ଟିଆ ।

 

ବୀଣା ପିକସ୍ୱରେ            ବାଣୀର ତୁଳନା

ଅଛି ପରମ୍ପରା ପ୍ରଥା,

ମାତ୍ର ସେ ତୁଳନେ            ହେବ ମାନହାନି

ଜେମା-ବାଣୀର ସର୍ବଥା ।

 

ପୀୟୁଷ-ପୂଟିତ            ଛଣା ପଣା ବୋଲି

ହୋଇଲେ ତାହା ଭକତ,

ସହସ୍ର ଅଂଶରୁ            ଏକାଂଶେ ବର୍ଣ୍ଣନା

ହୁଅନ୍ତା ନିକି ସଙ୍ଗତ ।

 

ରୂପ ଅନୁରୂପ            ଥିଲା ରୂପେଶ୍ୱରୀ

ଗୁଣଶୀଳର ଆଳୟ,

ପକ୍ୱ ସହକାର            ନାମ ରସ ଗନ୍ଧ

ସବୁ ସିନା ମଧୁମୟ ।

 

ରମଣୀ-ସୁଲଭ            ଦୟା ଧର୍ମ ମୈତ୍ରୀ

କୋମଳ ଭାବସମୂହ

ଆଶ୍ରିଥିଲେ ତାର            ହୃଦୟେ ଯେସନ

ରତ୍ନାକରେ ରତ୍ନବ୍ୟୂହ ।

 

ସଙ୍ଗୀତ-ସାହିତ୍ୟ            ଶିଳ୍ପକଳା ଆଦି

ଶିଖିଲା କରି ଯତନ,

ସୀତା ସାବିତ୍ରୀଙ୍କ            ଆଦର୍ଶ ଚରିତ

କରୁଥାଏ ଅଧ୍ୟୟନ ।

 

ବାତ୍ସଲ୍ୟ କରୁଣା            ଶାନ୍ତି ହାସ୍ୟରସେ

ତାହାର ଏକାନ୍ତ ପ୍ରୀତି,

ସେହି ରସେ ତେଣୁ            ସରସ କବିତା

ଲେଖୁଥାଏ ନିତି ନିତି ।

 

ସେ କବିତା ପାଠେ            କବି ଗ୍ରନ୍ଥକାରେ

ଲଭିଣ ବିସ୍ମୟ ମନେ,

ମଣୁଥିଲେ ଜେମା-            ରୂପେ ସମ୍ଳୂତା କି

କବିତା-ଦେବୀ ଆପଣେ ।

 

ରାଜକନ୍ୟା ସତ            ମାତ୍ର ନ ହୋଇଣ

ଇତର ଆମୋଦେ ରତ,

ନୀରୋଳେ ବସିଣ            କରୁଥାଏ ସୁଖେ

ସାହିତ୍ୟ-ସେବା ସତତ ।

 

ଗୁନ୍ଥୁଥାଏ ମାଳ            କବିତା-ଫୁଲେ ସେ

ଛଇଳା ଲାବଣ୍ୟଲୀଳା,

ସାରସ୍ୱତ କାବ୍ୟ-            କୁଞ୍ଜ-ବିକାସିନୀ

କଳନାଦିନା କୋକିଳା ।

 

ସହଚାରୀ ଥିଲେ            ସାମନ୍ତ-ଦୁହିତା

ସ୍ୱର୍ଣ୍ଣମୟୀ, ଶଶିପ୍ରଭା,

ଗଙ୍ଗାରେ ଯମୁନା            ସରସ୍ୱତୀ ମିଶି

ଏକ ହୋଇଥିଲେ ଅବା !

 

ବେନି ସଖୀ ସହ            ଶିଷ୍ଟ ମିଷ୍ଟାଳାପେ

ରତ ଥାଏ ମଦାଳସା,

କେବେ କରୁଥାଏ            ସୁସଙ୍ଗୀତ ଚର୍ଚ୍ଚା

କେବେ ଖେଳୁଥାଏ ପଶା ।

 

ଜେମାମଣି ମନ            ଜାଣି ସଖୀଦ୍ୱୟ

କରୁଥାନ୍ତି କାର୍ଯ୍ୟ ସଦା,

ଶକୁନ୍ତଳା ଯୋଗ୍ୟ-            ସଙ୍ଗିନୀ ଯେସନ

ଅନସୁୟା ପ୍ରିୟମ୍ବଦା ।

 

ନିଜ ପ୍ରତିବିମ୍ବ            ପରି ଦେଖେ ଜେମା

ସଖୀଙ୍କୁ ପ୍ରୀତି-ନୟନେ,

ସଖୀଏ ସୁଦ୍ଧା ସେ            ଋଣ ଦେଉଥିଲେ

ପରିଶୋଧି ପ୍ରତିକ୍ଷଣେ ।

 

ସୌହାର୍ଦ୍ଦ୍ୟ ମୂଲ୍ୟରେ            ଥିଲେ ପରସ୍ପରେ

ପରସ୍ପର ପଦେ ବିକା,

ବାହୁଲ୍ୟେ କି କାର୍ଯ୍ୟ            ଏକ ଆରେକକୁ

ମଣୁଥାନ୍ତି ପ୍ରାଣଧିକା ।

 

Unknown

ତୃତୀୟ ସର୍ଗ

 

ଦିନେ ପୁଷ୍ପାକର            ଗିରୀନ୍ଦ୍ର ମହେନ୍ଦ୍ର

ଦର୍ଶନେ ବଳାଇ ମତି,

ବିନୟେ ସ୍ୱାଭୀଷ୍ଟ            ନିବେଦି ଘେନିଲେ

ପିତୃପାଶୁଁ ଅନୁମତି ।

 

ଗହଣେ ଗମିଲେ            ସଖା-ପରିକର

ଅନୁଗତ ଆଦିକରି,

ପୌରନ୍ଦରୀ ମୁଖେ            ଚଳିଲେ ସକଳେ

ଆରୋହି ସୁଚିତ୍ର ତରୀ ।

 

ସ୍ରୋତ ଅନୁକୂଳେ            ଧାଇଁଲା ତରଣୀ

ଋଷିକୂଲ୍ୟା ବକ୍ଷସ୍ଥଳେ,

ସମୟେ-ସ୍ରୋତରେ            ଜୀବନ-ତରଣୀ

ଯେସନେ ପ୍ରଖରେ ଚଳେ ।

 

ଧାଇଁ ଧାଇଁ ଆସି            ଉଭ ଚୀରବର୍ତ୍ତୀ

ଫଳିତ ପୁଷ୍ପିତ ଗଛେ,

ଯୁବରାଜଙ୍କର            ବେନି ପାଶେ ଭେଟି

ଘୁଞ୍ଚି ଯାଉଥାନ୍ତି ପଛେ ।

 

ଜୁଣ-ପଠାଚାରୀ            ଗୋଯୁଥେ ନିରେଖି

ମତି-ଗତି ଜଳଯାନ,

ହେଉଥାନ୍ତି ଭୟ            ଉଦ୍‌ବେଗେ ଉତ୍ପୁଚ୍ଛେ

ଇତସ୍ତତଃ ଧାବମାନ ।

 

ଠାବେ ଠାବେ ନଦୀ            ଗଣ୍ଡେ ମୀନଜୀବୀ

ଟାଣୁଥାନ୍ତି ଟେକି ଜାଲ,

ଊର୍ଦ୍ଧ୍ୱେ ଚିଲା ମାରି            ଡେଇଁ ଯାଉଥାନ୍ତି

ରୋହିତ ବଦାଳକାଳ ।

 

ତଲାରୀ ମୁଣ୍ଡାଇ            ନଦୀ-ତୀରେ ବସି

କାହିଁ ବା ବଡ଼ଶୀଧାରୀ,

ଜୀବେ ଯମପ୍ରାୟ            ଅଲକ୍ଷିତ ଭାବେ

ମୀନାଳି ନିଏ ଓଟାରି ।

 

ସୁଜିନ-ପ୍ରକ୍ଷିପ୍ତ            ଶୂକ୍ତିପନ୍ତି ପରେ

ପଡ଼ି କରମାଳୀ କର,

ସ୍ରୋତସ୍ୱତୀ ସତୀ      ଜ୍ୟୋତିର୍ମୟ ନେତ୍ର

ପରାଏ ଦିଶେ ସୁନ୍ଦର ।

 

କାହିଁ ନଦୀତୀରେ            ମୁଖରେ ତେଣ୍ଟୋଇ

ନଦୀତୀର-ସହଚରୀ,

କାହିଁ ଅବା ଚକି            ମାରୁଥାନ୍ତି ଚିଲ

ଗାଙ୍ଗେଇ ମତ୍ସ୍ୟମତ୍ସରୀ ।

 

ବିମଳ ଧବଳ            ସୈକତ-ଶଯ୍ୟାରେ

ମାଡ଼ିଅଛି କେତେ ଲତା,

ନବୀନ ସଂସାରୀ            ନିର୍ମଳ ହୃଦୟେ

ନବ ନବ ଚିନ୍ତା ଯଥା ।

 

ଆନ କୂଳୁ ଉଠେ            ପ୍ରତିଧ୍ୱନି, ଜାତ

ହୁଅନ୍ତେ ଏ କୂଳୁ ସ୍ୱର,

ବିବେକ ଆହ୍ୱାନେ            ବୈରାଗ୍ୟ ଯେସନ

ପ୍ରଦାନେ ପ୍ରତି-ଉତ୍ତର ।

 

ନଗର ପ୍ରାନ୍ତର            ଶସ୍ୟକ୍ଷେତ୍ର ଲଙ୍ଘି

ଗତି ପଥେ ନାନା ସ୍ଥାନେ,

ପ୍ରଦୋଷ ସମୟେ            ଉପସ୍ଥିତ ତରୀ

ମଞ୍ଜୁଳ ଗଞ୍ଜା-ମୁହାଣେ ।

 

ଯହିଁ ଋଷିକୂଲ୍ୟା            ଶାଶ୍ୱତ ସମର

ରଚେ ମହାସିନ୍ଧୁ ସଙ୍ଗେ,

ଅଜାତି ତରଙ୍ଗ      ଗଭୀର ନିର୍ଘୋଷେ

ଉତ୍ତଙ୍ଗ ସିନ୍ଧୁ ତରଙ୍ଗେ ।

 

ବେନିଙ୍କ ସଂଘର୍ଷେ            ଭୀଷଣ ଭଉଁରୀ

ଘୂରେ ସଦା ସେହିଠାରେ,

ଗୋଡ଼ାଇ ଅଛନ୍ତି            ବେନିଏ ବେନିଙ୍କୁ

ଅବା ଖରେ ଚନ୍ତ୍ରାକାରେ ।

 

ଯୁବରାଜଙ୍କର            ଆଜ୍ଞା ଅନୁସରି

ସେଠାରେ ତୀରେ ତରଣୀ,

ଖଟାଇଲେ ନେଇ            ନାବିକନିକରେ

ଯାପନ ଆଶେ ରଜନୀ ।

 

କଳା ଧୂମରାଶି            ପରାଏ ବହଳେ

ବ୍ୟାପିଲ ସାନ୍ଧ୍ୟ ଅନ୍ଧାର,

ଶ୍ମଶାନ-ଶଙ୍ଖୁଆ-            ଶିବା ବଜାଇଲେ

କଣ୍ଠ-ଶଙ୍ଖ ବାରମ୍ବାର ।

 

କ୍ରମେ କ୍ରମେ ଉଇଁ            ଅସଂଖ୍ୟ ତାରାଳି

ପ୍ରକାଶିଲେ ନଭେ ପ୍ରଭା,

ଗୋଟି ଗୋଟି ଆସି            ବିମଣ୍ଡିଲେ କିବା

ଅମରେ ଅମର ସଭା ।

 

ଗଞ୍ଜା ଦୁର୍ଗୁ ଆସି            ଅନ୍ଧାର-ବାନ୍ଧବୀ

ଚିମଣୀ ପକ୍ଷିନିକର,

ଝଡ଼ିକୀଟ ପରି            ଉଡ଼ି କରୁଥିଲେ

ଅନ୍ଧକାରେ ଗାଡ଼ତର ।

 

କେତେ କ୍ଷଣ ପରେ      ଉଦେ ହେଲେ ନଭେ

କୁମୁଦିନୀ ତାରାଗଣ,

ଚରାଚର ବିଶ୍ୱ            କଲା ତହୁଁ ଦିବ୍ୟ

ସୁଷମା-ସଲିଳେ ସ୍ନାନ ।

 

ସହଯାତ୍ରୀ ସର୍ବେ      ଯଥାକାଳେ ହେଲେ

ଆହାରାନ୍ତେ ନିଦ୍ରାଗତ,

ମାତ୍ର ଯୁବରାଜ      ଦେଖୁଥିଲେ ସୃଷ୍ଟି-

ମାଧୁରୀ ରହି ଜାଗ୍ରତ ।

 

ସାରସ୍ୱତୋଦ୍ୟାନ      ଶୋଭା ପାନେ ଯାର

ନୟନ ସଦା ଆତୁର,

ଶୟନ କି ଛାର            କରିପାରେ ସେହୁ

ବୁଭୁକ୍ଷା ତୃଷ୍ଣା କତର ।

 

ନିଦ୍ରାଦାସ ସିନା            ଯେହୁ ଚିନ୍ତାଶୂନ୍ୟ

ଅଳସ ଭୋଗ-ପ୍ରତ୍ୟାଶୀ,

ମାତ୍ର ଯେ ଭାବୁକ      ସୃଷ୍ଟି-ଶୋଭାପାୟୀ

ନିଦ୍ରା ତାର କ୍ରୀତଦାସୀ ।

 

ଚାରୁ ଚନ୍ଦ୍ରିକିତ            ଉତ୍ତୁଙ୍ଗ ଭଙ୍ଗୁର

ତରଙ୍ଗ ନୃତ୍ୟ ପୁଲକେ,

ଦେଖୁଥିଲେ ନାବେ            ପୁଷ୍ପାକର ବସି

ଦ୍ୱିରଦ-ରଦ-ପଲଙ୍କେ ।

 

ଯେତେ ଉଠୁଥିଲେ            ଊର୍ଦ୍ଧ୍ୱେ ଶଶଧର

ତେତିକି ସିନ୍ଧୁ ଗର୍ଜନ,

ତରଙ୍ଗ-ତାଣ୍ଡବ            ବିଭୀଷିକା ଭାବ

ଲଭୁଥିଲା ବିବର୍ଦ୍ଧନ ।

 

ନିଶୀଥର ଘୋର            ଗଭୀର ଗର୍ଜନ

ମନେ ଉପୁଜାଏ ତ୍ରାସ,

ରବି-ବିରହିଣୀ            କମଳିନୀ ଧନୀ

ଛାଡ଼େ କି ଖର ପ୍ରଶ୍ୱାସ ।

 

ଚିର-ମୁଖରିତ      ସେ ସ୍ଥାନ, ନିଶୀଥେ

ଅଧିକେ ହୁଏ ମୁଖର,

ସବୁକାଳେ ତହିଁ            ପ୍ରବେଶ ନିଷିଦ୍ଧ

ନୀରବତା-ଦେବୀଙ୍କର ।

 

କୋଳାହଳ ମଧ୍ୟେ            ବସି ପୃଷ୍ଠାକର

କରୁଥିଲେ କି କଳ୍ପନା,

କି ମହାଶିକ୍ଷାର      ଘେନିଲେ ବା ସନ୍ଥ

ତାହାଙ୍କୁ ହିଁ ତାହା ଜଣା ।

 

ଏଥୁ ଅନନ୍ତରେ      କ୍ରମେ କ୍ରମେ ପାହି

ଆସିଲାକ ସେ ରଜନୀ,

ବିଜେ ଉଷାରାଣୀ            ନାସାରେ ବିମଣ୍ଡି

ଦୀପ୍ତ କୁଆଁତରା-ମଣି ।

 

ନଦୀ-ତୀରବନ,            ଉକାଟେ ରଟିଲେ

କଉଶିକ କୁମ୍ଭାଟୂଆ,

ହେମବର୍ଣ୍ଣବନ୍ତ            ହଳଦୀବସନ୍ତ

ପ୍ରଭାତ-ଡାକୁଆ କୁଆ ।

 

ସେ ଶବଦେ ଜାଗି            ନଦୀ-କୁଦଶାୟୀ

ମହିଷାକେ ହର୍ଷଭରେ,

ମୁରଲୀ ବଜାଇ            ଗ୍ରାମ୍ୟ ଗୀତମାନ

ଗାଇଲେ ଢମାଳୀ ସ୍ୱରେ ।

 

ଫେରିଗଲେ ବେଳା-            ବିହାରୀ ହରିଣେ

ତରତରେ ବନଭାଗେ,

ଭୀତିବ୍ୟଞ୍ଜୀ ବ୍ୟଗ୍ର            ଅନାଉଣି ଚାହିଁ

କେବେ ପଛେ କେବେ ଆଗେ ।

 

ଏ କାଳେ ନାବିକେ      କ୍ଷେପଣୀ ଚାଳନେ

ବାହିଲେ ତରଣୀ ସୁଖେ,

ଚାଲିଲା ସେ ସିନ୍ଧୁ-            ବୀଚି କାଟି କାଟି

ଯାମ୍ୟ ଦିଗ ଅଭିମୁଖେ ।

ଝାଉଁ-ଝଙ୍କାରିତ      କେତକୀ-ସେବିତ

ସୁରମ୍ୟ ଗୋପାଳପୁରେ *

ଦକ୍ଷ ଭାଗେ ରଖି            ଚଳିଲା ତରଣୀ

ସାଗରେ ତୀର ଅଦୂରେ ।

*ସମୁଦ୍ରକୁଳସ୍ଥ ସ୍ୱାସ୍ଥ୍ୟକର ସ୍ଥାନ

ଅଖିଳ ଗଞ୍ଜାମେ      ଟେକ ସେ ନଗରୀ

ସ୍ୱାସ୍ଥ୍ୟ-ସୁଖ ଧନମାନେ,

ଯା ସୁଯଶ-ଗୀତ            ଗାଏ ରତ୍ନାକର

ଉତ୍ତାଳ ତରଙ୍ଗ ତାନେ ।

କେତେ ଦୂରେ ଦିଶେ      ସୁବର୍ଣ୍ଣ-ପ୍ରସବା

ସୁବର୍ଣ୍ଣପୁର ସୁନ୍ଦର,

ପୁରାକାଳେ ତାହା            ଥିଲା ଗଞ୍ଜାମର

ସ୍ୱଦେଶୀ ପଣ୍ୟ ବନ୍ଦର ।

 

ଏଥୁ ଅନ୍ତେ ପୋତ            ହେଲା ଉପଗତ

ବାହୁଦା ସିନ୍ଧୁ ସଙ୍ଗମେ,

ଯେ ପବିତ୍ର ତୀର୍ଥେ      ସ୍ନାନମାତ୍ରେ ଦେହୁ

ରୋଗ ପାପ ଅପଗମେ ।

 

ତୀରରାତି ତରୀ            ପହୁଞ୍ଚିଲା ଯାଇ

ଉଦ୍ୟାନର ସନ୍ନିଧାନେ,

କଳ୍ପତରୁ ପ୍ରାୟ            ସଦା ଫଳବାନ

ଯାହାର ପାଦପମାନେ ।

 

ଥଣ୍ଟେ କାଠ ହାଣି            ମଧ୍ୟାହ୍ନ ସମୟ

ପ୍ରଚାରିଲା କାଠହୁଣା,

ମଧ୍ୟାକାଶେ ଉଠି            ଧରା ପରେ ରବି

ଝାଡ଼ିଲେ ଅନଳ-କଣା ।

 

ସିନ୍ଧୁବୀଚି-ବେଶୀ            ଦିଶେ ଧପ ଧପ

ସ୍ପର୍ଶି ଖର ରଶ୍ମିଚୟ,

ସହସା କି ଅବା            ବାଡ଼ବ ଅନଳ

ଘୋଟିଲା ସାଗରମୟ ।

 

ସମୁଦ୍ରସଞ୍ଚାରୀ            ବିବିଧ ବିହଗେ

ତପ୍ତ ଜଳେ ବୁଡ଼ି ବୁଡ଼ି,

ଆଭପ ସନ୍ତାପୁ            ଆତ୍ମରକ୍ଷା ପାଇଁ

ଉଦ୍ୟାନକୁ ଗଲେ ଉଡ଼ି ।

 

ଚିର-ଶୋକାକୁଳା            କୁରରୀ ଝୁରିଲା

ମର୍ମଭେଦୀ ଶୋକ ସ୍ୱରେ,

ପାଦପ ଛାୟାରେ      ଶୋଇଣ ଗୋଯୂଥେ

ରତ ହେଲେ ପ୍ରେମନ୍ଥରେ ।

 

ନିଛାଟ ବିରାଟ      ବେଳାରେ ଖେଳିଲା

ମାୟାବିନୀ ମରୀଚିକା,

ଇନ୍ଦ୍ରନୀଳକାନ୍ତ            ଦୂର ଶୈଳମାଳା

ସୁଷମା ଦିଶିଲା ଫିକା ।

 

ଭେଟିଲା ବୋଇତ            ନିସର୍ଗ ସୁନ୍ଦର

ଏ ଅନ୍ତେ ବାରୁଆ ଗ୍ରାମ,

ଦାମୋଦର ଦେବ            ପୁଣ୍ୟପୀଠ ଭୂମି

ନାରିକେଳେ ଅଭିରାମ ।

 

ସାୟାହ୍ନେ ନାବିକେ      ଖଟାଇଲେ ନେଇ

ଯୁବରାଜ ଆଜ୍ଞା ବହି,

ସାଗର ତରଙ୍ଗେ            ଅଙ୍ଗ ଢାଳିଦିଏ

ମହେନ୍ଦ୍ର-ତନୟା ଯହିଁ ।

 

ଯାମିନୀ ଅନ୍ତିମ      ଯାମେ ପୁଣି ଦେଲେ

ବହିତ୍ର ଛାଡ଼ି ନାବିକେ,

ଚଳିଲା ସେ ତେଜି            ମହାସିନ୍ଧୁ ବକ୍ଷ

ନଦୀରେ ପଶ୍ଚିମ ଦିକେ ।

 

ପ୍ରତ୍ୟୁଷେ ସକଳେ            ପହୁଞ୍ଚିଲେ ଯାଇ

ମହେନ୍ଦ୍ର ଅଚଳ ପାଶେ,

ମହେନ୍ଦ୍ର-ବାଞ୍ଛିତ            ମହେନ୍ଦ୍ର-ତନୟା

ନିସର୍ଗ ସୂତିକା-ବାସେ ।

 

ସ୍ୱଭାବେ ବସନ୍ତ            ଦଇବେ ସେ ଦିନ

ଆଚ୍ଛାଦିଥିଲା କୁହୁଡ଼ି,

ଗିରିବନସୀମା            ପ୍ରକୃତି ସୁଷମା

ରହିଥିଲା ସବୁ ବୁଡ଼ି ।

 

ଧୂଳିପୁଞ୍ଜ ପ୍ରାୟ            ଉଡ଼ି ବୁଲୁଥାଏ

ନଭେ ରେଣୁ ଆକାଶରେ,

ଚନ୍ଦନ ଚୂର୍ଣ୍ଣରେ            ଫଗୁ ରତି ଧାତା

ଫିଙ୍ଗେ କି ପ୍ରକୃତି ପରେ ।

 

କୁହେଳୀ କୋମଳ            ଆବରଣ ଭେଦି

କଳକଣ୍ଠ କୁହୁ ସ୍ୱନ,

ଆଗନ୍ତୁକ କର୍ଣ୍ଣେ            କରି ଦେଉଥିଲା

ବିଶୁଦ୍ଧ ସୁଧା ସେଚନ ।

 

ନେତ୍ର ଅନ୍ତରାଳେ            ବସି ବୃକ୍ଷଡ଼ାଳେ

କଣ୍ଠ-ତାନପୂରା ତାର,

କଜ୍ଜ୍ୱଳ-କୁନ୍ତଳା            କଜ୍ଜ୍ୱଳ ପତତ୍ରୀ

ଟଙ୍କାରୁଛି ବାରମ୍ବାର ।

 

ଘଡ଼ିକେ କୁକ୍କୁଟୀ            ଅନ୍ତର୍ହିତ ହେଲା

ଉଦେ ଦେଖି ବିକର୍ତ୍ତନ,

ବୈରାଗ୍ୟ ଆଗରେ            ଭବ-ବନ୍ଧନ ବା

ତିଷ୍ଠିପାରେ କେତେ କ୍ଷଣ ?

 

ଦିଶିଲା ଧରିଛି            ଦେବରୂପୀ ଗିରି

ଦେବ-ବିମୋହନ ବେଶ,

ଦେଖି ପୁଷ୍ପାକର            ମଧୁରିମା ତାର

ଲଭିଲେ ତୋଷ ବିଶେଷ ।

 

ପାରିଷଦବର୍ଗ            ସହ ଓହ୍ଲାଇଣ

ତରୁଣୀରୁ ଯୁବରାଜ,

ଗିରି ଆରୋହଣ            ମାନସେ ପିନ୍ଧିଲେ

କାନନ ଭ୍ରମଣ ସାଜ ।

 

ତୁଳିକା ପାଜାମା            ତୂଳା ଅଙ୍ଗରଖା

ଚୁଳାଭରା ଶିରାସ୍ତ୍ରାଣ,

ତୀକ୍ଷ୍ମ ଅସିଗର୍ଭ      ରୌପ୍ୟ ଅସିକୋଷ

କଟିତଟେ ଲମ୍ବମାନ ।

 

ବାମ କନ୍ଧେ ଧନୁ            ବାମେତରେ ଧରି

ଶରପୂର୍ଣ୍ଣ ଶରଧାର,

ଗିରି ଆରୋହଣେ            ସଖା ଅନୁଚର

ସଙ୍ଗରେ ହେଲେ ବାହାର ।      

 

ଆଗେ ଯୁବରାଜ      ମଧ୍ୟେ ପୌରୋଧେୟ

ପଶ୍ଚାତେ ମନ୍ତ୍ରୀ ନନ୍ଦନ,

ଯଶ ଧର୍ମ ବେନି            କରୁଅଛନ୍ତି କି

ସତ୍କର୍ମ ଅନୁଗମନ ।

 

କୁମ୍ଭୀରାକୃତିରେ             ଅଛି ଲମ୍ବମାନ

ବନ ମଧ୍ୟେ ଧରାଧର,

ପ୍ରଚେ ହୁଏ ଯେହ୍ନେ            ଭାସି ଉଠିଅଛି

ସାଗରେ ରୁଦ୍ର ହାଙ୍ଗର ।

 

ଗିରି ଉପକଣ୍ଠ            ବନେ କିଛି ଦୂରେ

ଯାଇ ଆରୋହିଲେ ଗିରି,

ଅଲକ୍ଷିତେ ପାନ୍ଥେ            ଟାଣିନେଲାକ୍ରମେ

ସେ ଶୈଳ ଚଟୁଳଶିରୀ ।

 

ସ୍ୱଭାବ ସୁନ୍ଦର            ମହେନ୍ଦ୍ର ଦ୍ୱିତୀୟେ

ଲଭିଛି ମଧୁ ସୁଷମା,

ସୁନ୍ଦରେ ସୁନ୍ଦର            ମିଶିଲା ଉତ୍ତାରୁ

କି ଅଛି ତାର ଉପମା ।

 

କାହିଁ ମଧୁ-ବଧୁ            ଅଶୋକ ଟାଣିଛି

ଓଢ଼ଣା ପୁଷ୍ପ-ସ୍ତବକେ,

କନକ-କନିକା-            ଅଙ୍ଗୁଳି ଟେକିଣ

କାହିଁ ବା ଉଭା ଚମ୍ପକେ ।

ପାଟ ଲୁଗା ପିନ୍ଧି      ପାଟ ଓତା ଘୋଡ଼ି

ପାଟପାଗ ବାନ୍ଧି ମାଥେ,

ମଣ୍ଡିଛନ୍ତି ନଗେ            କାହୁଁ ବ୍ରହ୍ମତରୁ *

ଶୋଭାଙ୍ଗୀ ଶାଳ୍ମକୀ ସାଥେ ।

*ପଳାଶ ଗଛ

କାହିଁ ଅବା ବନ-            ନାଗରୀ କବରୀ

ବିମଣ୍ଡିଛି ନାଗେଶ୍ୱର,

ବ୍ରହ୍ମଦର୍ଶୀ ଦ୍ୱିଜ            ପରାଏ ଓଁକାର

ଝଙ୍କାରେ ତହିଁ ଭ୍ରମର ।

ବସନ୍ତର ପାଟ-            ପତାକା ଉଡ଼ାଏ

ପଲ୍ଲବ ଛଳେ ମହୁଲ,

ଆକାଶେ କୃତ୍ତିକା      ଉଦେ ପ୍ରାୟ କେତେ

ଫୁଟିଛି କୁଟଳ ଫୁଲ ।

 

କାହିଁ ଛୁରିଅନା      ଗନ୍ଧେ ଆମୋଦିତ

ଅଚଳ-ମେଖଳା ବନ,

ପ୍ରତେ ହୁଏ ପାନ୍ଥେ            କରୁଛି କି ସତେ

ନନ୍ଦନବନେ ଭ୍ରମଣ ?

 

ସଦ୍ୟ ବିକଶିତ            ବକୁଳ କରୁଛି

ଆକୁଳ ଭ୍ରମରକୁଳ,

ନାସା ତୃପ୍ତିକାରୀ            ଶୀତଳ ସୁରଭି

ବିଭରେ କାହିଁ ଆଙ୍କୁଲ ।

 

ପତ୍ରହୀନ ଶାଖା            ପରେ ବସି ତାର

କୋକିଳ କାନନ-କବି,

ଦଣ୍ଡକେ ଘଡ଼ିକେ            କରି ଦେଉଅଛି

କବିତାମୟ ଅଟବୀ !

 

ପାଳଧୁଆ ଫଲୁ            ମଧୁ ପାନ କରି

କ୍ଷୁଦ୍ର କ୍ଷୁଦ୍ର ପକ୍ଷିଦକ,

ଭିଆଉଅଛନ୍ତି            ପରସ୍ପର ମଧ୍ୟେ

କେଳି-କଳି-କୋଳାହଳ ।

 

ମିଶି ତହିଁ ଝର            ଝର୍ଝର ଝଙ୍କାର

ହେଉଛି ପୃଥୁଳତର,

ବାଜୁଛି ଏକତ୍ରେ            ଏକକାଳେ ଯଥା

ବିବିଧ ବାଦ୍ୟନିକର ।

 

ବାଳ-ରବିକର      କଳେବରେ ବୋଳି-

ହୋଇ ପ୍ରଜାପତିମାନେ,

ଉଡ଼ି ଉଡ଼ି ନବ-            ଶିଶୁ ଇନ୍ଦ୍ରଧନୁ

ସୁଜୁଥିଲେ ସ୍ଥାନେ ସ୍ଥାନେ ।

 

ଏହିପରି ଶୋଭା-            ହଟ ଦେଖି ଦେଖି

ବେନି ପାରୁଶେ ପୁରତେ,

ଉଠୁଥିଲେ ଊର୍ଦ୍ଧ୍ୱେ      କ୍ଲେଶ ଭୁଲି ପାନ୍ଥେ

ବନ୍ଧୁର ଦୁର୍ଗମ ପଥେ ।

 

କେଉଁଠାରେ ବସି      କେଉଁଠାରେ ନଇଁ

କାହିଁ ଧରି ତରୁବର,

କୁତୁକିତ ମନେ      ବ୍ୟଗ୍ରେ ଗୌଣେ ପଥ

ହେଉଥାନ୍ତି ଅଗ୍ରସର ।

 

ଶୃଙ୍ଗ ପରେ ଶୃଙ୍ଗ            ଅତିକ୍ରମି କ୍ରମେ

ସର୍ବୋଚ୍ଚ ଶିଖରେ ଯାଇ,

ଦେଖିଲେ ସେ ସ୍ଥାନ            ଅମର-ଦୁର୍ଲଭ

ମର୍ତ୍ତ୍ୟେ ତା ତୁଳନା ନାହିଁ ।

 

ଅତି ଉଚ୍ଚ ଚୂଡ଼ା            ଭବ ଆର୍ତ୍ତନାଦ

ଶୁଭେ ନାହିଁ ତାର କତି,

ସ୍ୱର୍ଗର ବିଶୁଦ୍ଧ            ଶାନ୍ତି ତହିଁ ସଦା

ବହିଆଣେ ସଦାଗତି ।

 

ପରଶ ମାତ୍ରେ ସେ            ଶୂନ୍ୟେ ହରିନିଏ

ପାର୍ଥିବ ପ୍ରାକୃତ ଭାବ,

ପାପ-ଆତ୍ମା-ଲୌହ-      ପରଶମଣି ସେ

ଭ୍ରମେ ନର ମଣେ ଗ୍ରାବ ।

 

ସୂକ୍ଷ୍ମ ଚୂର୍ଣ୍ଣ କରି            ଉଡ଼ାଏ ସେ ସ୍ଥାନ

ଦାମ୍ଭିକ ଆତ୍ମପ୍ରାଧାନ୍ୟ,

ନାମ ଧରେ ସିନା            ସ୍ଥାବର, ମାତ୍ର ତା

ମହିମା ନୁହେଁ ସାମାନ୍ୟ ।

 

ଉପକ-ବିତାନେ            ତହିଁ ପୁଷ୍ପକର

କରିଣ ଉପବେଶନ

ଭାବିଲେ ସାର୍ଥକ      ହେଲା ଏତେ ଦିନେ

ନିଶ୍ଚେ ମୋ ନର-ଜୀବନ ।

 

ଥିଲେ ଥିବ ସ୍ୱର୍ଗ      ଅନୁଦ୍ଦେଶ୍ୟ ଦେଶେ

ଦେଖିଛି କିଏ ତା କାହିଁ,

ରିପୁ-ତାପ-ଦଗ୍‌ଧ            ଭବ-ମରୁଭୂମେ

ଏ ସ୍ଥଳ ଶୀତଳ ଛାଇ ।

 

କର୍ମ ସାଧନର            ଉପଯୁକ୍ତ ଧାମ

ମହାତୀର୍ଥ ସମ ଏହୁ,

ଏ ତୀର୍ଥେ ଭିତର            ବାହାର କଲୁଷ

ଧୋଇ ହୋଇଯାଏ ଦେହୁ ।

 

ନରକୁ ଦେବତା            କରିବାକୁ ଏକା

ଏ ସ୍ଥାନ ଭବେ ଭାଜନ,

ବିଷୟ-ବିଷମ-            ବ୍ୟାଧି-ନିମୀଜିତ

ନେତ୍ରେ ଅବ୍ୟର୍ଥ ଅଞ୍ଜନ ।

 

ସେ ଚଟୁଳ ଚୂଡ଼େ            ଭ୍ରମି ଯୁବରାଜ

ଲଭିଲେ ପ୍ରୀତି ଅମିତ,

ସଖାଦ୍ୱୟେ ନାନା            ମଧୁର ସମ୍ଭାଷେ

ହରି ନେଉଥିଲେ ଚିତ୍ତ ।

 

ଠାବେ ଠାବେ ସ୍ଥିତ            ମୁନି-ଅଧ୍ୟାସିତ

କେତେ ରମଣୀୟ ଦରୀ,

ଆଶ୍ରମେ ହରିଣେ      ଶୋଇଛନ୍ତି ଦ୍ୱାରେ

ଚିନ୍ତାଭୟ ପରିହରି ।

 

ଉପଭୀମ ପ୍ରାୟ            ତୋଳିଣ ମସ୍ତକ

ଭୀମସେନା ଦେବାଳୟ,

ଭୀମସେନ ବୀର            ରୁଦ୍ର କ୍ଷମତାର

ଦେଉଅଛି ପରିଚୟ ।

 

ପାର୍ଶ୍ୱଭାଗେ ତାର            ଧର୍ମଦ୍ୱାର ନାମେ

ଅଛି ଅପ୍ରଶସ୍ତ ହାର,

ଅକ୍ଲେଶେ ଧାର୍ମିକ      ଭେଦେ ତାକୁ, ପାପୀ

ହୋଇପାରେ ନାହିଁ ପାର ।

 

ସେହି ଦ୍ୱାରପଥେ            ଓହ୍ଲାଇଲେ ନିମ୍ନେ

ପୁଷ୍ପାକର ସଖା ସଙ୍ଗେ,

ମଞ୍ଜୁ ମଞ୍ଜୁଫଳା *      ନିକୁଞ୍ଜ ସେ ଶୃଙ୍ଗେ

ଶାଖା ତୋଳି ଦୋଳେ ରଙ୍ଗେ ।

*କଦଳୀ ଗଛ

ସୂଦୁର ଅତୀତୁ            ଅନ୍ୟ ପାଣ୍ଡବଙ୍କ

ମନ୍ଦିରେ ଅଛି ବିଦିତ,

ଅଦ୍ଭୁତ କୌଶଳେ            ଦେଖି ତା ନିର୍ମାଣ

ବିସ୍ମୟେ ହେଲେ ସ୍ତମ୍ଭିତ ।

ସର୍ବନିମ୍ନ ଶୃଙ୍ଗେ            ଅବତରି ପାନ୍ଥେ

ଭେଟିଲ ସୁରମ୍ୟ ସର,

ବିରାଜନ୍ତି ତହିଁ            ଗୋବର୍ଣ୍ଣ ଆକୃତି

ମହେଶ ଗୋକର୍ଣ୍ଣେଶ୍ୱର ।

ପୃଥାଦେବୀଙ୍କର            ପୃଥୁଳ ଦେଉଳ

ଅବସ୍ଥିତ ତହିଁ ପାଶେ,

ବସିଲେ ସକଳେ      ଆନନ୍ଦେ ସେଠାରେ

ଶ୍ରମ ମିଟାଇବା ଆଶେ ।

 

ବନ୍ଧୁ ବନ୍ଧୁ ମଧ୍ୟେ            ଦ୍ରଷ୍ଟବ୍ୟ ଦୃଶ୍ୟର

ଲାଗିଲା ସମାଲୋଚନା,

କଥା ପ୍ରସଙ୍ଗରେ            ଚଳୁଥାଏ କେତେ

ତୁଳନା ପ୍ରତିତୁଳନା ।

 

ମନ୍ତ୍ରିଜେ ପୁଚ୍ଛିଲେ            ପୁରୋହିତ-ସୂତ

ବୋଲିବଟି ବନ୍ଧୁକର,

କମକାଳଙ୍କୁତ            ଏ ସରି ସହିତେ

ହେବ କିଏ ପଟାନ୍ତର ?

 

ସେ ବୋଲେ ଏ ସର      ସରସ ଗଭୀର

ଶୀତଳ ଶାନ୍ତ ନିର୍ମଳ,

ତୁଳନା ଏହାର            ଯୁବରାଜଙ୍କର

ଉନ୍ନତ ହୃଦ କେବଳ ।

 

ଯୁବରାଜ ହୃଦେ            ଭାବରାଶି ପ୍ରାୟ

ଖେଳେ ଏଥି ଜଳଲତା,

ମଧୁର କବିତା            ସଦୃଶ କମଳ

ଉଠିଛି ଫୁଟି ସର୍ବଥା ।

 

ଶୁଣି ସାଧି ସାଧୁ            ପ୍ରଶଂସି କହିଲେ

ପୁରୋଧା ଜ୍ୟେଷ୍ଠ ଅଙ୍ଗଳ,

କେଉଁ କଥାରେ ବା            ପରାଜୟ ତାର

ନାମ ଯାର ଜୟଧୁଜ ।

 

ବୋଲେ ଜୟଧ୍ୱଜ            ରସରାଜ ବିନା

ଏ ରସ ଢାଳିବ କିଏ,

କାମ ନାମ ମଧ୍ୟେ            ଅସାମ୍ୟ ତୁମ୍ଭର

ଦେଖୁ ତ ନାହିଁ ଟିକିଏ ।

 

ନ ଦେଇ ଏ ବାକ୍ୟେ      ଲୟ ଯୁବରାଜ

ଗିରି ଊର୍ଦ୍ଧ୍ୱଚୂଡ଼ା ପ୍ରତି,

କବିନେତ୍ରେ ହେରି            ଲୁଟୁଥିଲେ ତାର

ନିସର୍ଗ ଶୋଭା-ସମ୍ପତ୍ତି ।

 

ଏହିପରି ଭାବେ            ନରେନ୍ଦ୍ର-ନନ୍ଦନ

ଅତିବାହି କାଳ ଦଣ୍ଡେ

ଲେଖିଲେ ଦେଉଳ      କାନ୍ଥେ ଏହା ଘେନି

ଗୈରିକ ପ୍ରସ୍ତର ଖଣ୍ଡେ-

 

‘‘ସଂସାର-ଶ୍ମଶାନେ            ବୈକୁଣ୍ଠ ବିମାନ

ତୁହି ରେ ମହେନ୍ଦ୍ର ଗିରି,

ଥରେ ଦେଖି ଆହା            ତୃପ୍ତ ହେବ କିଏ

ତୋ ଶୋକ-ପାସୋରା ଶିରୀ ।

 

ବିହରନ୍ତି ଯେହୁ      ତୋ ଶିଖେ ତୋ ଫଳ-

ଅଶନେ ତୋ ଜଳ ପାନେ,

ଭାଗ୍ୟବାନ ସିନା            ଅଟନ୍ତି ସଂସାରେ

ନରକୁଳେ ସେହିମାନେ ।

 

ସଂସାର ତାହାଙ୍କୁ            କରିପାରେ ନାହିଁ

ମାୟାମନ୍ତ୍ର ବଶଭକ୍ତ,

ରିପୁ-ଜଳୌକାଏ            ଶୋଷି ନ ପାରନ୍ତି

ତାହାଙ୍କ ଚରିତ୍ର-ରକ୍ତ ।

 

ହେଉନ୍ତୁ ପଛକେ            ଅଶିକ୍ଷିତ କିମ୍ବା

ହେଉନ୍ତୁ ପଛକେ ଦୀନ,

ରାଜପୁତ୍ର ହୋଇ            ମୁହିଁ ତାଙ୍କଠାରୁ

କୋଟି ଅଂଶେ ଭାଗ୍ୟହୀନ ।

 

କରି ଦେଇଅଛୁ            ସେମାନଙ୍କୁ ତୁହି

ଆଦର୍ଶ ନର ରଚନା,

ସେ ଭାଗ୍ୟ ପ୍ରତ୍ୟାଶା ମୋହ ପକ୍ଷେ ନିଶ୍ଚେ

ସ୍ୱପନେ ନତୁ କଳ୍ପନା ।’’

 

ଏମନ୍ତ ସମୟେ            ମୃଗୁଣୀ ଗୋଟିଏ

ପଳାଇଲା ସେହି ବାଟେ,

ଜୀବନ ବିକଳେ            ଶବଦ ଗତିରେ

ଧାଇଁଛି ଭୟ ଉଚ୍ଚାଟେ ।

 

ଗତି ଦେଖି ପ୍ରତେ            ହୁଅଇ ଏସନ

ଜ୍ୱଳନ୍ତ ଅନଳ-ହ୍ରଦେ,

ଧାବିତ ହେଲେ ସେ            ମୂଳୁ ନ ଲାଗିବ

ଉତ୍ତାପ ତାହାର ପଦେ ।

 

ଦେଖି ପୁଷ୍ପାକର            ସଖାଙ୍କୁ ସମ୍ବୋଧି

ଭାଷିଲେ କୋମଳେ ଖରେ,

ଦେଖ ଦେଖ ମୃଗୀ      ବିଦ୍ୟୁତ ବେଗରେ

ଧାଇଁଛି କାହା ଭୟରେ ।

 

ଏକାଳେ ଭୀଷଣ      ଶାର୍ଦ୍ଦୂଳ ସେଠାରେ

ଉପସ୍ଥିତ ଆଚମ୍ବିତେ,

ତହୁଁ ଯୁବରାଜ            ଧନୁଶର ଧରି

ଉଠିଲେ ନିର୍ଭୀକ ଚିତ୍ତେ ।

 

ଗତିପଥେ ତାର      ଉଭା ହୋଇ ବୀର

ଓଗାଳିଣ ତାକୁ ବାଟ,

ଅଧିଜ୍ୟେ ଟଙ୍କାର            ଦେଇ ବାରମ୍ବାର

ଛାଡ଼ିଲେ ଉଚ୍ଚେ କୁହାଟ ।

 

ନିରେଖି ସଶସ୍ତ୍ର      ପୁଷ୍ପାବରେ ବ୍ୟାଘ୍ର

ନ କଲା ଆଗକୁ ଗତି,

ଦୃଢ଼ତର ବନ୍ଧ      ଅଗ୍ରେ ଭେଟି ଯଥା

ସ୍ତବ୍ଧ ହୁଏ ସ୍ରତୋସ୍ୱତୀ ।

 

ମନୋରଥ ପଥେ      ବାଧା ପାଇ ସେହୁ

ବିକଟେ କଲା ଗର୍ଜନ,

ଢାଲ ଅସି ଧରି            ମନ୍ତ୍ରିସୁତ କଲେ

ପାର୍ଶ୍ୱଭାଗୁ ଆକ୍ରମଣ ।

 

ପଶୁ-କ୍ଷତ୍ରି ନର-            କ୍ଷତ୍ରି ମଧ୍ୟେ ତହୁଁ

ଲାଗିଲା ଘୋର ସମର,

କୋପେ ଯୁବରାଜ      ହାଣିଲେ ଶାର୍ଦ୍ଦୂଳେ

ଖରହସ୍ତେ ଖର ଶର ।

ବାଣ ପରେ ବାଣ            ଗୁନ୍ଥି ଦେଇଗଲେ

ନୃପସୂନୁ ମହାରଥୀ,

ଗଳି ଯାଉଥାଏ      ଦୀପିନ * ଦେହେ ତା

ବଲ୍ମୀକେ ଭୁଜଗ ଯଥା ।

*ବ୍ୟାଘ୍ର

ଶୈଳୁ ଝର ପ୍ରାୟେ            ପ୍ରବଳେ ବହିଲା

ସର୍ବାଙ୍ଗୁ ତାର ରୁଧିର,

ତଥାପି ଭ୍ରୁକ୍ଷେପ            ନାହିଁ ଅରି ପ୍ରତି

ନ ହେଲା ତିଳେ ଅଧୀର ।

ଥରେ ଥରେ ମାତ୍ର            ଲାଙ୍ଗୁଡ଼ କଚାଡ଼ି

ଛାଡ଼ୁଥିଲା ଘୋର ରଡ଼ି,

ପ୍ରତେ ହେଉଥିଲା            ଫାଟିଗଲା ଯଥା

ଗିରିବନ ଚଡ଼ଚଡ଼ି ।

 

ଆତଙ୍କେ ପକ୍ଷୀଏ            ଉଡ଼ିଯାଇ ନଭେ

କଲେ ମହା-କୋଳାହଳ,

ଲମ୍ଫ ଝମ୍ପ ମାରି            ମନ୍ଥି ପକାଇଲା

ବନସ୍ଥଳୀ ମହାବଳ ।

 

କ୍ଷୁରଧାର ତୀର            ଗୁଣରେ ବସାଇ

ଆବର୍ଣ୍ଣ ଓଟାରି ବୀର,

ଛାଡ଼ିଦେଲେ ତାହା      ଗ୍ରୀବାରେ ବାହାର

ହେଲା ଭେଦି ବ୍ୟାଘ୍ର ଶିର ।

 

ବାଣପାତ ମାତ୍ରେ            ଛୁଟିଆସି ବ୍ୟାଘ୍ର

ହେଲା ଯୁବରାଜ ଆଗେ,

ଖରେ ବୀରବର            ଆତ୍ମରକ୍ଷା କଲେ

ଘୁଞ୍ଚିଯାଇ ପାର୍ଶ୍ୱଭାଗେ ।

 

ଶାଣିତ ପାଣିତ            ଅର୍ଦ୍ଧଚନ୍ଦ୍ର ବାଣ

ନିକ୍ଷେପିଲଷ ପୁନର୍ବାର,

ବାମକର୍ଣ୍ଣ ଭେଦି      ହେଲା ସେ ଶାର୍ଦ୍ଦୂଳ

ଦକ୍ଷିଣ କର୍ଣ୍ଣେ ବାହାର ।

 

ପ୍ରାଣ ପରିହରି            ପଡ଼ିଲା ସେ ତହିଁ

କରିଣ ମୁଖ-ବ୍ୟାଦାନ,

ସଖୀଦ୍ୱୟେ ଆସି            ନରେନ୍ଦ୍ର-ନନ୍ଦନେ

କଲେ ସାଧୁବାନ ଦାନ ।

 

ବ୍ୟାଘ୍ର ଶିର ଚର୍ମ            ନବରେ ନେବାକୁ

ଦେଇ ଭୃତ୍ୟେ ଅନୁମତି,

ସଦଳେ ଆରୋହି            ନାବେ ଯୁବରାଜ

ଦୁର୍ଗମୁଖେ କଲେ ଗତି ।

 

ଚତୁର୍ଥ ସର୍ଗ

 

ବସନ୍ତ ସମୟ            ଅତି ରମଣୀୟ

ଋତୁକୁଳ-ଅଧିରାଜ,

ବିଜେ ଧରାଧାମେ            ଗହଣେ ଘେନିଣ

ନିଖିଳ ଶୋଭାସମାଜ ।

 

ଶୀତ ପାଣ୍ଡୁରତା            ପରିହରି ଏବେ

ସ୍ଥାବର କିମ୍ବା ଜଙ୍ଗମ,

ମଧୁ ସଙ୍ଗେ ସର୍ବେ            ଧରିଲେ ମଧୁର

ରୂପ ପ୍ରଭା- ମନୋରମ ।

 

ନାହିଁ ଶୈତ୍ୟ, ନାହିଁ            ଉଷ୍ଣତା କି ଅବା

ବର୍ଷାଋତୁ ଆବିଳତା,

ଭୁବନ-ମୋହନ            ମଧୁରିମା ଧରି

ହାସ୍ୟେ ରତ ତରୁଲତା ।

 

ଗଜବର ଗଣ୍ଡୁ            ଝରିଲା ଶୀତଳ

ପରିମଳ ମଦଧାରା,

ପ୍ରାନ୍ତରେ ବାଜିଲ            ଘନେ ଫୁଲଚୁଇଁ

କଣ୍ଠବାଦ୍ୟ-ଏକତାର ।

 

ଆମ୍ର-ମୁକୁଳର            ମଧୁର ଆମୋଦ

ମହକିଲା ଚାରିଆଡ଼େ,

ଖେଳାଏ କୁଞ୍ଚିତେ            ନୀଳ ଧୂମବେଣୀ

ମୃଗତୃଷ୍ଣ ଚକ୍ରବାଡ଼େ ।

 

ଜୀର୍ଣ୍ଣ ପ୍ରେମାବଳୀ            ପରିତ୍ୟାଗ କରି

ଲୋମାବୃତ ପ୍ରାଣିଗଣ,

ଧରିଲେ ଶରୀରେ            ଘନ ନବ ଲୋମ

ନିର୍ମଳ ସିଗ୍ଧ ଚିକ୍କଣ ।

 

ଚିର ପ୍ରତିକୂଳ            ଶିଶିର ନିଧନେ

ଫୁଲକୁଳ-ସାଆନ୍ତାଣୀ,

ସରୋଜିନୀ ଧନୀ            ହସିଲା ଆନନ୍ଦେ

ଭେଦି ସରୋବର ପାଣି ।

 

ମଧୁ ମଧୁକାଳେ            ସବୁ ମଧୁମୟ

ଦିବାରାତ୍ର ମଧୁମୟ,

ଆକାଶ ପୃଥିବୀ            ବାୟୁ ମଧୁମୟ

ମଧୁମୟ ଦୃଶ୍ୟଚୟ ।

 

ସଖୀ ପରିବାରୀ      ସହ ଦିନେ ପ୍ରାତେ

ରାଜବାଳା କଳ୍ପଲତା,

ଗୋକର୍ଣ୍ଣ-ଈଶ୍ୱର            ଦର୍ଶନ ମାନସେ

ପୁରୁ ହେଲେ ବହିର୍ଗତା ।

 

ଅସଂଖ୍ୟ ମରାଳୀ      ଧାଡ଼ି ଧାଡ଼ି ହୋଇ

ଗଲେ ଚିଲ୍ଲାମୁଖେ ଉଡ଼ି,

ଟଣା କି ପ୍ରଭାତ            ବିଜୟ-ତୋରଣା

ରଚନା ପାଇଁ ଦଉଡ଼ି ।

 

କରୁଥାଏ ନଭ            ମୁଖରିତ ତାଙ୍କ

ଲଳିତ ସ୍ୱର ମଧୁର,

ବାଜୁଛି କି ଆହା            ପଳାୟିତ ରାତ୍ରି-

ରାଣୀଙ୍କ ପଦେ ଘୁଙ୍ଗୁର !

 

ଉଡ଼ି ପଥେ ପଥେ            ଅଙ୍କି ଯାଉଛନ୍ତି

କେତେ ସ୍ଥାନେ କେତେ ଚିତ୍ର,

କାହିଁ ଶସ୍ୟକ୍ଷେତ୍ର            କାହିଁ ମେହେରାବି

କାହିଁ ବା ଧ୍ୱଜ ବହିତ୍ର ।

 

ଭାଡ଼ି ମଧ୍ୟୁ ପାରା            ଉଡ଼ି ଆସି ବସି

ଦେବାଳୟେ ଗୃହଚୂଳେ,

ଗଭୀରେ ଘୁମୁରେ            ଜ୍ୱରରୋଗୀ ଯଥା

କୁନ୍ଥାଏ ଶୀତ ଆକୁଳେ ।

 

ଚାଲିଛି କାନନ-            କୋଳେ କଳ୍ପଲତା

ସୁନ୍ଦରୀ-ମଉଳି-ଗଭା,

ବାମପାର୍ଶ୍ୱେ ଚାଲେ            ସଖୀ ସ୍ୱର୍ଣ୍ଣମୟୀ

ବାମେଚରେ ଶଶିପ୍ରଭା ।

 

ଅରଣ୍ୟାନୀ ଭେଦି            ଚାଲିଅଛି ପରା

ତିନୋଟି ସ୍ୱର୍ଣ୍ଣଲତିକା,

ଅଥବା ତ୍ରିଶାଖେ            ଖେଳି ଯାଉଅଛି

ବାରିଦ-କୋଳେ କ୍ଷଣିକା ।

 

ଅବା ସମୁଜ୍ଜ୍ୱଳ            ଭରଣୀ ନକ୍ଷତ୍ର

ଉଦେ କି ବନ-ଗଗନେ,

କିମ୍ବା ଏକ ନାଡ଼େ            ତିନି ସ୍ୱର୍ଣ୍ଣ ପଦ୍ମ

ଫୁଟିଛି ମାନସ-ବନେ ।

 

ଗତିକାଳେ ତାଙ୍କ            ବଳା ସାରସନ

ମଧୁରେ ହୁଏ କ୍ୱଣିତ,

ଶୁଣି ସେ ଶବଦ            ଝିଙ୍କାରୀଏ ହେଲେ

ନୀରବ ହୋଇ ଲଜ୍ଜିତ ।

 

ବନଦୁର୍ଗା ପ୍ରାୟ            ସମୁଜ୍ଜ୍ୱଳ ବନ

ଘେନିଣ ସଖୀକଳାପ,

ଭ୍ରମୁଛି ଛଇଳା            ବନଶୋଭା ହେରି

କରି କରି ପ୍ରେମାଳପ ।

 

ଜଗଜ୍ଜନ ନେତ୍ରେ            ଢାଳେ ଯାର ରୂପ

ଅନୁରାଗ-ସୁଧାଧାରା,

ଦେଖୁଛି ସେ ଆଜି            ବନସ୍ଥଳୀ ଶୋଭା

ବୁଲି ବୁଲି ବନସାରା ।

 

କନକ-କିରୀଟ-            ଧାରୀ ଆମ୍ରତରୁ

ବାତେ ହଲାଉଛି ମଥା,

ଉଡ଼ାଏ ତିନ୍ଦୁକ            ବନେ ଠାବେ ଠାବେ

ବସନ୍ତର ପାଟଛତା ।

 

ଶାଖେ ବସି ତାର            ଚିତ୍ରପୁଚ୍ଛ ଶିଖୀ

ବିସ୍ତାରିଛି ଶିଖାଜୂଟ,

ଥୋଇଛନ୍ତି ଅବା            ବନଦେବୀ ତହିଁ

ରତନ-ଖଚୀ ମୁକୁଟ ।

 

ମୂଳେ ବସି ତାର            ଚଞ୍ଚଳ ପ୍ରକୃତି

ଖର୍ବକାୟ ବାୟାପନ୍ତି,

ଶୁକ-ମୁଖ-ଚ୍ୟୁତ            ନୀବାର ତଣ୍ଡୁଳ

ଖୁଣ୍ଟି ଖୁଣ୍ଟି ଖାଉଛନ୍ତି ।

 

ଟୁଙ୍କୁଛନ୍ତି କୁଶ-            କ୍ଷେତ୍ରେ କୁଶାଙ୍କୁର

କାହିଁ ବା ମୃଗନିକର,

ଥରେ ଥରେ କାନ            ଡେରି ଶୁଣୁଛନ୍ତି

ଦରୀମୁଖୋତ୍ଥିତ ସ୍ୱର ।

 

ଉଠୁଅଛି କାହିଁ            ଅହି-ନକୁଳର

ଭୀଷଣ ରଣ-ତରଙ୍ଗ,

ଯୁଝୁଛନ୍ତି ଉଭେ            ପ୍ରାଣପଣେ କେହି

ଦେଉ ନାହିଁ ପୃଷ୍ଠଭଙ୍ଗ ।

 

ବିବିଧ ଭଙ୍ଗୀରେ            ଉଲ୍ଲମ୍ଫ ନକୁଳ

ପ୍ରକାଶି ବଳ-କୌଶଳ,

କ୍ରୋଧିତ ଫଣୀର            ତୀବ୍ର ଫଣାଚୋଟ

କଳାକ ହେଳେ ବିଫଳ ।

 

ସୂଚିସୂକ୍ଷ୍ମ ଦନ୍ତ-            ନଖାଘାତେ ତାକୁ

କରିଣ କ୍ଷତବିକ୍ଷତ,

ଖଣ୍ଡ ଖଣ୍ଡ କରି            ଛିଣ୍ଡାଇ ଶରୀର

ଶେଷେ କଲା ପ୍ରାଣେ ହତ ।

 

ବିକଟ କରୁଣ            ବୀଭତ୍ସ ଏ ଦୃଶ୍ୟ

ବଂଶବନ ମଧ୍ୟୁ ଦେଖି,

କି ଭାବି ମାନସେ            ଉଚ୍ଚାଟେ ଡାହୁକେ

ଡାକ ଦେଲେ କଣ୍ଠ ଟେକି ।

 

ଉଚ୍ଚ ତରୁଷଣ୍ଡେ            କାହିଁ ପେଣ୍ଡା ପେଣ୍ଡା

ଫୁଟିଛି ମଧୁମାଳତୀ,

ପ୍ରବାଳ-ପାଟକ            ପୁଷ୍ପହାସ କାହିଁ

ପ୍ରକାଶିଛି ନିଦ୍ରାବତୀ ।

 

ବୀରବେଶ ଧରି            କାହିଁ ପିଆଶାଳ

ତୋଳିଛି ନଭେ ମଉଳି,

ଦୋଳେ କର୍ଣ୍ଣେ ହେମ            ହୀରାଖଚୀ ପୁଷ୍ପ-

ସ୍ତବକ-ବୀରବଉଳି ।

 

ବସନ୍ତ ବରଣେ            ବଳାଇ ମାନସ

କାହିଁ ବା ସୁନାରୀବାର,

ହରଷ ଅନ୍ତରେ            ଗୁନ୍ଥୁଅଛି ବସି

ସ୍ୱର୍ଣ୍ଣ ବର୍ଣ୍ଣ ଫୁଲହାର ।

 

ସ୍ୱଭାବେ କୁସୁମ-            ସେହା ଅଙ୍ଗନାଏ

ପ୍ରବେଶି କୁସୁମବନେ,

ଫୁଲ ତୋଳି ତୋଳି            ବୁଲିଲେ ଚୌଦିଗେ

ମହା କୁତୁକିତ ମନେ ।

 

ଫୁଲର ମାହାତ୍ମ୍ୟ            ଫୁଲ ମୂଲ ସିନା

ବୁଝନ୍ତି ନାରୀ ମହୀରେ,

ଗୁଣ ବୁଝି ଗୁଣ            ପୁରସ୍କାରରୂପେ

ଧରନ୍ତି ଆଦରେ ଶିରେ ।

 

ଫୁଲ ତୋଳୁ ତୋଳୁ            ରହସ୍ୟ ପ୍ରସଙ୍ଗ

କରି ବହୁ ଉତ୍ଥାପନ,

ହାସ୍ୟ-ପରିହାସେ            କିଣି ନେଉଥିଲେ

ଏକ ଆରେକର ମନ ।

 

ସୁନ୍ଦରୀ-ମୁକୁଟ-            ଖରା ରାଜବାଳା

ପରିହାସ ରସେ ଛଳି,

ଡାକିଲେ ସଜନି,            ଦେଖ ଦେଖ ଖରେ

କଣ୍ଟାବଣେ ଆସି ମଲ୍ଲୀ ।

 

ଧାଇଁ ଗଲେ ତହୁଁ            ଜେମା ନିକଟକୁ

ସମ୍ମୁତ୍ସକେ ସଖୀଗଣେ,

ପରିହାସ ଜାଣି            ସକଳେ ଲଜ୍ଜିତ

ହେଲେ ଶେଷେ ମନେ ମନେ ।

 

ହସି ହସି ପୁଣି            ଭାଷିଲେ ଏସନ

ଜେମାମଣି ମତ୍ତକାଶୀ,

ମିଛ କଥା ନୁହେଁ            କଣ୍ଟାବଣେ ମଲ୍ଲୀ

ଫୁଟିଅଛି ଦେଖ ଆସି ।

 

ପ୍ରଶଂସି କହିଲା            ସଖୀ ଶଶିପ୍ରଭା

ଧନ୍ୟ ତୁ ଧନ୍ୟ ଚତୁରୀ,

ପଣ୍ଡିତ ବ୍ୟତୀତ            ପ୍ରକାଶିବ କିଏ

ଏଭଳି ଗୂଢ ଚାତୁରୀ !

 

ତୋ ହାସ୍ୟଚ୍ଛଟାରେ            ପରାଜିତ ହୋଇ

ବନେ ପଡ଼ି ମଲା ଭଳି,

ଭୃଙ୍ଗସ୍ୱରଚ୍ଛଳେ            କହୁଛି ଏ ମଲ୍ଲୀ

ରଖ ମୁଁ ଶରଣ ଗଲି ।

 

ପୁଚ୍ଛେ ସ୍ୱର୍ଣ୍ଣଦେହା             ସଖୀ ସ୍ୱର୍ଣ୍ଣମୟୀ

କହିବଟି ଜେମାମଣି,

ପଞ୍ଚାକ୍ଷରେ ହେବ            କୁସୁମର ନାମ

ଶରତ-ପ୍ରିୟ-ମିତଣୀ ।

 

ଆଦ୍ୟ ଦୁଇବର୍ଣ୍ଣ            ଶେଷ ତିନିବର୍ଣ୍ଣ

କରିଦେଲେ ବିଯୋଜିତ,

ହେବ ଦୁଇଗୋଟି            ରମ୍ୟ ଅଳଙ୍କାର

ରମଣୀକୁଳ-ବାଞ୍ଛିତ ।

 

ବୋଲେ ଜେମା ହସି            ପଡିଲି ମୁଁ ଆସି

ଭଲା ଅବଧାନେ ପାଲେ,

ସେ ଭାଷଣଦ୍ୱୟ            ତୋର ନାସେ ବକ୍ଷେ

ବିରାଜନ୍ତି ସଦାକାଳେ ।

 

କହେ ଶଶିପ୍ରଭା            ହସି ତହୁଁ ସଖି !

ବୁଝିଲୁ ତ ଜେମା ଗୁଣ,

କେଡ଼େ ଚାତୁରୀରେ                  ସମର୍ପିଲା ଭଲା

ତୋହୋ ଧନେ ତୋତେ ୠଣ ।

 

ବଚନ ଇଙ୍ଗିତୁ            ବୁଝାଯାଉଅଛି

ସଜନୀ କଳାକୁଶଳା,

ଚୋର ଜିଜ୍ଞାସିତ            ଜଟିଳ ପ୍ରଶ୍ନର

ଉତ୍ତର ‘‘ଦଣ୍ଡୀପୋହଳା’’ ।*

 

ବାକ୍ୟାଳାପେ ସର୍ବେ            ଅତିକ୍ରମି ପଥ

ଛୁଇଁଲେ ପର୍ବତ-ଊରୁ,

ଚଟୁଳ ଦେଉଳେ            ବିରାଜନ୍ତି ଯହିଁ

ଗୋକର୍ଣ୍ଣେଶ ଗୌରୀ-ଚାରୁ ।

 

ତହିଁ ସରକୂଳେ            ବସିଲେ ସକଳେ

ଆବରି ସରସୀ ଘାଟ,

ଆଚମ୍ବିତେ ଆହା            ବସିଗଲା କିବା

କାନନେ ଚନ୍ଦ୍ରମା ହାଟ ।

 

ତିନି ସଖୀ ପଛେ            ମଣ୍ଡଳାକୃତିରେ

ବସିଲେ ସେବକୀଗଣେ,

ସ୍ୱାତୀତାରା ପୃଷ୍ଠେ            ଶତଭିଷା ଅବା

ଉଇଁଲା ନଭ-ପ୍ରାଙ୍ଗଣେ ।

 

ମୁକ୍ତାପନ୍ତି ପ୍ରାୟ            ସ୍ରବିଲା ବଦନୁ

ଘର୍ମ କିଣିବା ଅସୀମ,

ବିନ୍ଦୁ ବିନ୍ଦୁ ହୋଇ            ବସି ଯାଇଛି କି

ଅମଳ କମଳେ ହିମ ।

 

କେତେ କ୍ଷଣ ପରେ            ପଶିଲେ ସରବେ

ସ୍ନାନ ଅର୍ଥେ ସରୋବରେ,

କୌତୁକେ ତୋଳିଲା      ରାଜବାଳା ବହୁ

କମଳ କମଳ-କରେ ।

 

ବୋଲେ ସଖୀ ଡାକି       ନ ଦିଅ ଗୋ ତାକୁ

କଷଣ ଶୋଭା-ପିତୁଳି,

ତୁମ୍ଭ ମୁଖେ କରେ            ସମାନ ନୋହି ସେ

ପଡିଛି ଲାଜେ ଝାଉଁଳି ।

 

ଜଣାଇବି କିସ            ଛାମୁରେ ଅଧିକ

ନାହିଁ କି ସୁନୀତି ଜାଣି,

କେଉଁ ପଉରୁଷ            ଲାଭ ହେବ ଏଥି

ମଡ଼ା ପରେ ଖଣ୍ଡା ହାଣି ।

 

ଆନ ସଖୀ କହେ            ନାହିଁ ନାହିଁ ଜେମା

ଦେଖାନ୍ତି ସଙ୍କେତ କରି,

ସୁନ୍ଦରୀ-ହୃଦୟ-            ସରୁ ଧୈର୍ଯ୍ୟ-ପଦ୍ମ

ଉପାଡିବେ ଏହିପରି ।

 

ଗେଲେ କେହି କହେ            ଧରିଲା କୁମ୍ଭୀର

ମୋତେ ରକ୍ଷା ନାହିଁ ଆଉ,

ଆନ ବୋଲେ ଗଜେ            ଗତିରେ ରଖିଛୁ

ତେଣୁ ନତ୍ର ସାଧେ ଦାଉ ।

 

କେ ବୋଲଇ ମୋତେ            ଭ୍ରମରେ ବେଢ଼ନ୍ତି

ରଖ ଆସି ତା ଆକ୍ରୋଶୁ,

ଆନ କହେ ସେ ତ            ଭ୍ରମର ଛଳନା

ଭ୍ରମରେ କିପାଇ ଦୋଷୁ ?

 

ସ୍ନାନ-ଜଳକେଳି            ସାରି ଏଥୁଅନ୍ତେ

ଉପସ୍ଥିତ ସର୍ବେ କୂଳେ,

ସଖୀ ସଙ୍ଗେ ଜେମା            ଆର୍ଦ୍ରବାସ ତେଜି

ପିନ୍ଧିଲେ ନୀତି ଦୁକୂଳେ ।

 

ଶିବାଳୟେ ଯାଇ            ଶିବ ଦୁର୍ଗାପଦେ

ନମ୍ରେ ହୋଇ ପ୍ରଣମିତ,

ପାଦୋଦକ ପାନେ            ମଣିଲେ ଆତ୍ମାକୁ

କୃତକୃତ୍ୟ ସୁପବିତ୍ର ।

 

ଷୋଡ଼ଶୋପଚାରେ            ସମର୍ପି ତାହାଙ୍କୁ

ସଭକ୍ତି ସପ୍ରୀତି ପୂଜା,

ପୁଷ୍ପାଞ୍ଜଳି ଦେଇ            ଇଷ୍ଟବର ମାଗି

ଫେରିଲେ ନୃପ-ତନୁଜା ।

 

ତଦନ୍ତେ ସକଳେ            ପ୍ରବେଶିଲେ ଯାଇ

କୁନ୍ତୀଦେବୀ ଶିଳାସଦ୍ମେ,

ଦର୍ଶନ ଶେଷରେ            ବିହିଲେ ପ୍ରଣତି

ତାଙ୍କ ପୁତ ପାଦପଦ୍ମେ ।

 

ବୋଇଲେ ନୃପଜା            ସଖୀଙ୍କୁ ସମ୍ବୋଧି

ଏ ଦେବୀ ପାଣ୍ଡପ-ମାତା,

ମହାରଥୀ ବର-            ପୁତ୍ରେ ଧରତ ଗର୍ଭେ

ଯୁଗେ ଯୁଗେ ମଞ୍ଚେ ଖ୍ୟାତା ।

 

ଆଦର୍ଶ ଜନନୀ            ଆଦର୍ଶ ଗୃହିଣୀ

ଏବେ ଏହାଙ୍କ ସମାନେ,

ଦେଖିବାର ଆଉ            ଭାରତମଣ୍ଡଳେ

ଶୁଣାଯାଉ ନାହିଁ କାନେ ।

 

ମରି ସୁଦ୍ଧା ଦେବୀ            ଲଭିଛନ୍ତି ମର୍ତ୍ତେ୍ୟ

ନିଜ ଗୁଣେ ଅମରତା,

ଉଡ଼ାଇ ଅଛନ୍ତି            ପ୍ରାତଃ-ସ୍ମରଣୀୟା

ହୋଇ ଭାବେ କୀର୍ତ୍ତି-ଛତା ।

 

ଭାରତ-ଲଳନା            ଗର୍ବ-ଗଣ୍ଠିଧନ

ଏହାଙ୍କୁ ନିଶ୍ଚୟ ଜାଣ,

ଏହାଙ୍କ ଆଦର୍ଶ            ପବିତ୍ର ଜୀବନୀ

ଗାଉଛି ଶାସ୍ତ୍ରପୁରାଣ ।

 

ଯେତେ କାଳ ଯାଏ            ଥିବ ରବିଶଶୀ

ଏ ଭାରତ ଦେବଧାମ,

ତେତେ କାଳାବଧି            ରହିବ ଅକ୍ଷୁଣ୍ଣ

ସତୀ ପୃଥା ପୁଣ୍ୟନାମ ।

 

ରମଣୀ-ମାହାତ୍ମ୍ୟେ            କରିଥିଲା ଯେଉଁ

ଦେଶ ଜଗତେ ସ୍ତମ୍ଭିତ,

ସେ ଦେଶ ରମଣୀ-            ଉନ୍ନତି-ପ୍ରବାହ

ରହିଛି ଆହା ସ୍ଥଗିତ !

 

ପ୍ରସବୁଣ ଥିଲା            ଯେ ଭାରତ-ଖଣି

ନାରୀ-ମଣି ପରମ୍ପରା,

ସେ ମହାଖଣିରୁ            ବାହାରୁଛି ଏବେ

ଆଲୋଡ଼ା ଗୋଡି ଖପରା ।

 

ଭାରତ-ରମଣୀ            ହରାଇଅଛନ୍ତି

ବହୁଦିନୁ ମନୁଷ୍ୟତା,

କେ ଜାଣି ବା ଶାପେ            ଉତ୍‌ଫଣା ଫଣିନୀ

ପାଲଟିଲେ ମହୀଲତା ।

 

ଥାଉ ଆନ, ନାରୀ-            ଶିକ୍ଷାକୁ ଏ ଦେଶ

ମଣୁଅଛି ଅମଙ୍ଗଳ,

ଭାରତେ ଏଭଳି            କୁସଂସ୍କାର ହାୟ

ଅଶୁଭ ଗ୍ରହର ଫଳ !

 

ଏହା କହି ବାଳା            ନୈରାଶ୍ୟବ୍ୟଞ୍ଜକ

ଦୀର୍ଘ ନିଃଶ୍ୱାସ ପକାଇ,

ଇତସ୍ତତଃ ଦୃଷ୍ଟି            ସଞ୍ଜାଳିଣ ଦେଲା

ମନ୍ଦିର କାନ୍ଥକୁ ଚାହିଁ ।

 

ଦେଖିଲା ତହିଁରେ            ଗୌରିକେ ଅଙ୍କିତ

କବିତା, କାବ୍ୟ-ପଣ୍ଡିତା,

ଲେଖି ଯାଇଥିଲେ            ବୀର ପୁଷ୍ପାକର

ପୂର୍ବରୁ ଯେଉଁ କବିତା ।

 

ବାରମ୍ବାର ତାହା            କଲାକ ଆବୃତ୍ତି

ଏକମନେ ଏକଧ୍ୟାନେ,

କେଉଁ ଭାବ-ଫୁଲ            ହୃଦ-ବନେ ତାର

ଫୁଟିଲା ସେହି ତା ଜାଣେ ।

 

ପୁଲକିତ ଗାତ୍ରେ            ଉତ୍କଣ୍ଠିତା ଚିତ୍ତ

ସଖୀଙ୍କୁ ଚାହିଁ ଲଳିତା,

ବୋଇଲା ସଜନି,            ଦେଖ ଦେଖ ଏଥି

ଲିଖିତ ଚାରୁ କବିତା !

 

ଆହା କି ଦୀନତା            କେଡ଼େ ଗୂଢ଼ଭାବ

ପୁଣି କେଡ଼େ ଅନୁତାପ,

ପଦ ପଦକରେ            ଭାସି ଉଠୁଅଛି

କରୁଣ ଆତ୍ମବିଳାପ !

 

ଲେଖକ ନିଜକୁ            ରାଜପୁତ୍ର ବୋଲି

ଅଛନ୍ତି ପଦ୍ୟେ ଚହ୍ନାଇ,

ସତେ କି ଏପରି            କବି ଭାବିରାଜା

ଅଛନ୍ତି ଗଞ୍ଜାମେ କାହିଁ !

 

ହୃଦୟ ତାଙ୍କର            କେଡ଼େ ସୁପ୍ରଶସ୍ତ

ଗଭୀର ପୁଣି ପାବନ,

କବି-କାବ୍ୟମାତା-            ଭାରତୀଙ୍କର ସେ

ପ୍ରିୟ ଶ୍ୱେତପଦ୍ମାସନ ।

 

ହେଉନ୍ତୁ ପଛକେ            ନରେନ୍ଦ୍ର-କୁମାର

ମାତ୍ର ସେ ପ୍ରକୃତ ଯତି,

କୁତ୍ସିତ ସଂସାର-            କାରାଗାରେ ବଦ୍ଧ

ନ ଥିବ ତାଙ୍କର ମତି ।

 

ମହେନ୍ଦ୍ର-ଗୌରବ            ମହେନ୍ଦ୍ର-ମାହାତ୍ମ୍ୟ

ଦିବ୍ୟ ଚିତ୍ତେ ଅନୁଭବି,

ଦେଇଛନ୍ତି ତହୁଁ            ଅମର ଆସନେ

ବସାଇ ତାହାକୁ କବି ।

 

ଭାଗ୍ୟବତୀ ନିଶ୍ଚେ            ଗଞ୍ଜାମ-ଜନନୀ

ଏଭଳି ନନ୍ଦନ ଧରି,

ଦେଖିଥିଲେ ମୁହିଁ            ନିଶ୍ଚୟ ତାହାଙ୍କୁ

ଗୁରୁପଦେ ଥନ୍ତି ବରି ।

 

ଲେଖିକା ପଣରେ            ରହି ତାହାଙ୍କର

ପୂଜିଣ ତାଙ୍କର ପାଦ,

ମଧୁର କବିତା            ଶୁଣି ଅହରହ

ଲଭନ୍ତି ମହା ଆହ୍ଲାଦ ।

 

ପ୍ରଣାମ ବ୍ୟାଜରେ            ତାଙ୍କ ଶ୍ରୀଚରଣେ

ଛୁଆଁଇ ମୋହର ଶିର,

ପବିତ୍ର କରନ୍ତି            ମୋର ଏ ମାନବ

ମାନସ ଆତ୍ମା ଶରୀର ।

 

ଯେଉଁ ଦେଶେ ଥାନ୍ତୁ                  ରାଜା ହେଉନ୍ତୁ ବା

ହେଉନ୍ତୁ ରାଜ-ସନ୍ତତି,

ବିସ୍ତୃତ ଭାରତୀ-            କଳ୍ପନା-ରାଜ୍ୟେ ସେ

ଏକଛତ୍ର ଚକ୍ରବର୍ତ୍ତୀ ।

 

ଏହି କାଳେ ଏକ            ଦାସୀ ଜଣାଇଲା

ପଦ୍ମପୁର ଯୁବରାଜ,-

ପୁଷ୍ପାକର ଏଥି            କିଛିଦିନ ପୂର୍ବେ

କରିଣ ଥିଲେ ବିରାଜ ।

 

ଜନଶ୍ରୁତି ମୁଖେ            ଏ ସନ୍ଦେଶ ମୁହିଁ

ଶୁଣିଥିଲି ଜେମାଦେଈ,

ପ୍ରତେ ହୁଏ ଚିତ୍ତେ            ଏ କବିତା ପଙ୍‌କ୍ତି

ଲେଖିଥିବେ ପରା ସେହି ।

 

ଏତେ ଦିନଯାଏଁ            ଶୁଣୁଥିଲା ଯାଙ୍କ

କବିତ୍ୱ ପ୍ରଶସ୍ତି କାନ,

ମାତ୍ର ନେତ୍ର ଆଜି            ଲଭିଲା ସେ ଉକ୍ତି

ଚାକ୍ଷୁସ ସତ୍ୟ ପ୍ରଣାମ ।

 

ଜେମା ସଙ୍ଗେ ସର୍ବେ            ଏକେ ଏକେ ତାହା

କଲେକ ଅନୁମୋଦନ,

ପଡ଼ିଗଲା ତହୁଁ            ପୁଷ୍ପାକର ନାମେ

ଶତକଣ୍ଠେ ଧନ୍ୟ ଧନ୍ୟ ।

 

ଆଦରେ ସେ ଗୀତ            ରତ୍ନଗଡ଼-ଜେମା

ଲେଖି ବୃକ୍ଷ ପଲ୍ଲବରେ,

ସଖୀ ପରିବାରୀ            ଘେନିଣ ଗହଣେ

ଫେରିଲେ ରାଜନବରେ ।

 

ପଞ୍ଚମ ସର୍ଗ

 

ପଦ୍ମପୁର-ପତି            ବଜ୍ରପାଣି ଘେନି

ଯୋଗ୍ୟ ପାରିଷଦ ମନ୍ତ୍ରୀ,

ପରିଚାଳୁଥିଲେ            ଶୁଭେ ରାଜ୍ୟ-ଯନ୍ତ୍ର

ଯଥା ବିଚକ୍ଷଣ ଯନ୍ତ୍ରୀ ।

 

କର୍ମଚାରୀ ପ୍ରତି            ଭାରାର୍ପଣ କରି

ନିଶ୍ଚିନ୍ତ ରହନ୍ତି ନାହିଁ,

ତନ୍ନ ତନ୍ନ କରି            କାର୍ଯ୍ୟର ସର୍ବାଂଶ

ଦେଖୁଥାନ୍ତି ନରସାଇଁ ।

 

ବୟସେ ସ୍ଥବିର            ହେଲେହେଁ ଉଦ୍‌ଯୋଗେ

ଉତ୍ସାହେ ଯୁବକ ସମ,

କର୍ତ୍ତବ୍ୟେ ସତତ            ପ୍ରକାଶୁଣ ଥିଲେ

ବିପୁଳ ‌ଧୈର୍ଯ୍ୟ ବିକ୍ରମ ।

 

ଇନ୍ଦ୍ରିୟ ଉପରେ            ପ୍ରଭୁତ୍ୱ ବିସ୍ତାର

ଜରାର ସିନା କେବଳ,

କି ଚାରା ତାହାର            ମାତ୍ର ସେ ଗ୍ରାସିବ

କର୍ମଯୋଗୀ ମନ ବଳ ।

 

ରାଜକାର୍ଯ୍ୟ ଶେଷେ            ଭୃତ୍ୟ ପାରିଷଦେ

ବିନେ ଭୂପ ଭାଗବତ,

ମେଲାଣି ଦେଇଣ            ମନ୍ତ୍ରୀ ସଙ୍ଗେ ଥିଲେ

କଥୋପକଥନେ ରତ ।

 

ଏହି କାଳେ ଜଣେ            ଭୃତ୍ୟ ଉପସ୍ଥିତ

ଧରି ବ୍ୟାଘ୍ର ଚର୍ମ ଶିର,

ନୃଦେବେ ସଚିବେ            ପ୍ରଣିପାତ ବିହି

ରହିଲା ବିନୟେ ଗିର ।

 

ମହେନ୍ଦ୍ର କାନ୍ତାରେ            ଏ ଭୀଷଣ ବ୍ୟାଘ୍ରେ

ଯୁବରାଜ ବୀରମଣି,

କିଛିଦିନ ପୂର୍ବେ            କରିଥିଲେ ବଧ

ବିପଦ ଭୟ ନ ଗଣି ।

 

ନୃପ-ମନେ ଆଣି            ଦେଲା ଏହି ବାଣୀ

ବିସ୍ମୟ ସଙ୍ଗେ ହରଷ,

ଉଲ୍ଲସି ଉଠିଲା            ବକ୍ଷ ତାହାଙ୍କର

ଶୁଣି ପୁତ୍ର-ଶୌଯ୍ୟଯଶ ।

 

ବାରମ୍ବାର ଚାହିଁ            ସଚିବ ବଦନେ

ବିସ୍ମୟ-ବ୍ୟଞ୍ଜୀ ନୟନେ,

ବୋଇଲେ ନିଶ୍ଚୟ            ଭାଗ୍ୟଧର ମୁହିଁ

ଲଭି ଏ ସୁପୁତ୍ର-ଧନେ ।

 

ଭାଷିଲେ ଅମାତ୍ୟ            କେଉଁ ବିଦ୍ୟାରେ ବା

ଆମ୍ଭ ଯୁବରାଜ ଊଣା,

ବିଶ୍ୱ-ବିଦ୍ୟାମାତା            ବୀଣାପାଣିଙ୍କର

ଯା ପ୍ରତି ପୂର୍ଣ୍ଣ କରୁଣା ।

 

ଚତୁର୍ବେଦେ ଶାସ୍ତ୍ରେ            କାବ୍ୟେ ପୁରାଣେ ତ

ଲଭିଛନ୍ତି ପୂର୍ବ ଖ୍ୟାତି,

ଧନୁର୍ବେଦେ ଏବେ            ପ୍ରକାଶିଲେ ଯଶ

ହୋଇ ଏ ବ୍ୟାଘ୍ର ଅରାତି ।

 

ଦୂରୁହୂଁ ଦୂରୁହ            ଏକାକୀ ବଧିବା

ଏ ଭୀଷଣ ମହାବଳ,

ସ୍ପର୍ଶନେ କି କାର୍ଯ୍ୟ            ଦର୍ଶନ ମାତ୍ରେ ଯେ

ହରିପାରେ ଧୈର୍ଯ୍ୟ ବଳ ।

 

ଲୋକରକ୍ଷାକାରୀ-            କ୍ଷତ୍ରିୟ-ବାଞ୍ଛିତ

ସୁଗୁଣେ ନୃପ-ନନ୍ଦନ,

ମଣ୍ଡି କରୁଛନ୍ତି            ଜଗଜ୍ଜନ ମନ-

ନୟନ-ପ୍ରୀତିବର୍ଦ୍ଧନ ।

 

ପ୍ରକୃତି ବୈଚିତ୍ର୍ୟ            ପାରାବାରେ ମନ୍ଥି

ଯେଉଁ କାବ୍ୟ-ପାରିଜାତ,

ଉଦ୍ଧାରୁଅଛନ୍ତି            ଏକାଧାରେ ତହୁଁ

ହୁଏ ରସ ବାସ ଜାତ ।

 

ବୈଚିତ୍ୟୁ ସଂଜାତ             ସୌନ୍ଦର୍ଯ୍ୟ, ତାହା ଯେ

ଜ୍ଞାନ-ନେତ୍ରେ ପାରେ ଦେଖି,

ତାହାକୁ ହିଁ ସିନା            ପ୍ରକୃତ ଶାଶ୍ୱତ

ଶୋଭାପାୟୀ ପଣେ ଲେଖି ।

 

କି ଅଛି ଅଜଣା            ଛାମୁରେ ଅଧିକ

କରିବି କିସ ଜଣାଣ,

ସାରା ରାଜ୍ୟ ଲୋକେ            କରୁଛନ୍ତି ସଦା

ଯୁବରାଜ ଯଶୋଗାନ ।

 

ହେଲେଣି ତ ଆସି            ପ୍ରାପ୍ତବୟସ୍କ ସେ

ବିବାହ ମହାସଂସ୍କାର,

କରାଇବା ପ୍ରତି            ଅବଧାନ ଏବେ

ହେଉ ନୃପ ଗୁଣାଧାର ।

 

ବିବାହ-ବନ୍ଧନ            ନରଜୀବନର

ପ୍ରଧାନ ସଂସ୍କାର ବ୍ରତ,

ଶୁଭାଶୁଭମୟ            ସଂସାର ଗୃହର

ପ୍ରଥମ ପ୍ରବେଶ ପଥ ।

 

ମନ୍ତ୍ରିବାଣୀ ଶୁଣି            ଭାଷିଲେ ସହର୍ଷେ

ପଦ୍ମପୁର-ନରନାହା,

ମନେ ମନେ ଯାହା            ଭାବୁଥିଲି ତୁମ୍ଭେ

କଲ ଉତ୍ଥାପନ ତାହା ।

 

ପୁରୋହିତେ ପେଷି            କରାଅ ବହନେ

ଯୋଗ୍ୟ ପାତ୍ରୀ ଅନ୍ୱେଷଣ,

ସଂଯୋଗ କରିବା            କୁମାର-ମଣିରେ

ଶୋଭାଙ୍ଗୀ କନ୍ୟା-କାଞ୍ଚନ ।

 

ପରିଣୟ ଅନ୍ତେ            ପୁଷ୍ପାକର କରେ

ସମର୍ପି ରାଜ୍ୟ ସତ୍ୱର,

ପରଜା ପାଳନ-            ଗୌଣ କର୍ତ୍ତବ୍ୟରୁ

ଲଭିବି ମୁଁ ଅବସର ।

 

ଘୃଣ୍ୟ ଜ୍ଞାନଶୋଷୀ            ବିଷୟ-ମୋଦକ

ବହୁଦିନ ମୋତେ ଘାରି,

ଆତ୍ମଜ୍ଞାନ ହରି            ବିଅର୍ଥେ ମୋହର

ଦେଉଛି ଆୟୁଷ ସାରି ।

 

ଦୃଢ଼ ନିରଙ୍କୁଶ            ମାୟା-ଜାଲିକା ତ

ହେବାର ଛିନ୍ନ ନୁହଇ,

ଦୈବେ ହେଲେ ଛିନ୍ନ            ପରକ୍ଷଣେ ପୁଣି

ଗଣ୍ଠି ପଡ଼ିଯାଏ ତହିଁ ।

 

ପ୍ରାବୃଟେ ତରୁଣ            ଲତା ପ୍ରାୟ ବଢ଼େ

ନିତ୍ୟ ମନେ ସୁଖ-ଆଶା,

ନିବାର ନୁହଇ            କାହିଁରେ ସେ ଯଥା

ମଦ୍ୟପ ମହାପିପାସା ।

 

ଚିର ହାହାମୟ            ଦୁଃଖପୂର୍ଣ୍ଣ ଭବେ

ନିତ୍ୟ ସୁଖ ନାହିଁ କାହିଁ,

ସୁଖ ଅଭିହିତ            ଭବେ ଯା ତା’ ସିନା

ଦୁଃଖର ବିକଟ ଛାଇ ।

 

ସୁଖଭୋଗୀ ବୋଲି            ଗଣେ ଯେ ନିଜକୁ

ଭୋଗକରେ ତାକୁ ସୁଖ,

ବୃଥା ଭ୍ରମେ ବୁଡି            ମଣେ ସେ ଅଜ୍ଞାନ

ଦିନେଶେ ଶୀତମୟୂଖ ।

 

କୋଟି ଭୋଗଦ୍ରବ୍ୟେ            ଦୁର୍ବାର ଲାଳସ

ହୁଏ ନାହିଁ ତୃପ୍ତ ସୁଦ୍ଧା,

ଯେତେ ଭୁଞ୍ଜିଲେ            ହେଁ ଅତ୍ୟଗ୍ନି ରୋଗୀର

ବଢ଼େ ସିନା କ୍ରମେ କ୍ଷୁଧା ।

 

ଆଶା-ଦରପଣେ            ଦେଖି ଦେଖି ମୁଖ

ପଡ଼ିଲିଣି ମୁହିଁ ଥକି,

ବଳୁ ନାହିଁ ମନ            ସଂସାର-ବଜାରେ

ହେବାକୁ ଆଉ ଗହକି ।

 

ବଡ଼ ଦଗାଦାର            ଏ ପ୍ରାଣ ଏହାକୁ

ପରତେ ନାହିଁ ସର୍ବଥା,

ଗତ ବୋଲି ସିନା            ସତତ ଏହାକୁ

ଭାବିବା ଉଚିତ କଥା ।

 

ହେଉଛି ନିକଟ            କାକ-ଉର୍ଣ୍ଣନାଭ

କ୍ରମେ ନିତି ଛାପି ଛାପି,

ଡ଼େଇଁ ପଡ଼ି ଦିନେ            ଜୀବନ-କ୍ଷମିକା

ଅତର୍କିତେ ଦେବ ଚାପି ।

 

କରୁଅଛି ମୁହିଁ            ଏ ସଙ୍କଳ୍ପ ଏବେ

ବିଷୟୁ ହୋଇ ବିରତ,

କାଟିବ ପଶ୍ଚିମ-            ଜୀବନ ଆଚରି

ପୁତ ବାନପ୍ରସ୍ଥ-ବ୍ରତ ।

 

ଏହା ଭାଷି ରାଏ            ଭଦ୍ରାସୁନ ଉଠି

ବିଜେ କଲେ ଯୋଗଣକୁ,

ମେଲାଣି ମାଗିଣ            ମନ୍ତ୍ରିବର ତହୁଁ

ବାହୁଡ଼ିଲେ ଭବନକୁ ।

 

ଏ ଅନ୍ତେ ସଚିବ-            ପୁଙ୍ଗବ ହୁକାରି

ଯଥାକାଳେ ପୁରୋହିତେ,

ବିବରି କହିଲେ            ନରପତିଙ୍କର

ଆଦେଶ ପ୍ରଦୃଷ୍ଟ ଚିତ୍ତେ-

 

‘‘ଯାଅ ବିପ୍ରମଣି            ରାଜ୍ୟୁ ରାଜ୍ୟାନ୍ତରେ

କରିଣ ତୁମ୍ଭେ ଭ୍ରମଣ,

ରାଜ-ନନ୍ଦନଙ୍କ            ବିବାହାର୍ଥେ କର

ଯୋଗ୍ୟ ପାତ୍ରୀ ଅନ୍ୱେଷଣ ।’’

 

‘‘ତଥାସ୍ତୁ ଉଚ୍ଚାରି’’            ଶୁଭ ଅନୁକୂଳେ

ଯାତ୍ରା କରି ପୁରୋହିତ,

କେଉଁ କେଉଁ ରାଜ୍ୟେ            ଭ୍ରମିଲେ ସେକଥା

ହେଉଛି ସ୍ଥୂଳେ ବର୍ଣ୍ଣିତ ।

 

ପ୍ରଥମେ ପୁରୋଧା            ପ୍ରବେଶିଲେ ଯାଇ

ସୁରମ୍ୟ ହୁମା ନଗରେ,

ଚୁମ୍ବି ଯା ଚରଣ            ମହୋଦଧି ବାଚି

ଚିର ଜୟଧ୍ୱନି କରେ ।

 

ଉପକୂଳେ ଯାର            ଶୋଭେ ଧାଡି ଧାଡି

ପ୍ରକାଣ୍ଡ ଲବଣ ସ୍ତୂପ,

ଦୂରୁ ଦେଖାଯାଏ            ଜଳ-ଦେବତାଙ୍କ

ବସନ ଗୃହ ସ୍ୱରୂପ ।

 

ଭଲ-ମଲ୍ଲ-ପଲ୍ଲୀ            ପାଲୁରେ ତଦନ୍ତେ

ମିଳିଲେ ଭୂସୂରବର,

ପିଚୁମର୍ଦ୍ଦ କୁଞ୍ଜେ            ଚିଲାନିଜ ଯହିଁ

ଦୋଳି ଖେଳେ ନିରନ୍ତର ।

 

ବିଶ୍ୱ ପ୍ରାଣାରାମ            ଶ୍ରୀରାମ ସାକେତ-

ସରସୀ-ଶୋଭା ରାଜୀବ,

ବନ ଯାତ୍ରାକାଳେ            ସଂସ୍ଥାପିଲେ ଯହିଁ

ଅଳେଶ୍ୱର ନାମେ ଶିବ ।

 

ଗିରି-ଗଭାମୟୀ            ସେ ସ୍ଥଳୀ ନୀରନ୍ଧ୍ର

ଅରଣ୍ୟାନୀ ସମାଚ୍ଛନ୍ନ,

ଦିବସରେ ସୁଦ୍ଧା            ଶ୍ରୂତ ହୁଏ ତହିଁ

ବିକଟ ବ୍ୟାଘ୍ର ଗର୍ଜ୍ଜନ ।

 

ବାୟୁକୋଣେ ତାର            ସୁବୀର ପ୍ରସୂତି

କିରୁଳି ନାମେ ନଗରୀ,

ତୋଳିଛି ବରାଙ୍ଗ            ଯହିଁ ‘‘ଶତ ଶୃଙ୍ଗ’’

ଗହ୍ୱର-ଗର୍ଭ ଶିଖରୀ ।

 

ସ୍ୱର୍ଣ୍ଣପ୍ରସୂ ରାଜ୍ୟ            ବୋଲି ଗଞ୍ଜାମରେ

ବିଶ୍ରୁତ ଯାହାର ଯଶ,

ସ୍ୱଦେଶେ ବିଦେଶେ            ଯୋଗାଏ ଉତ୍କୃଷ୍ଟ

ମଧୁର ଆମ୍ର ପନସ ।

 

ଶୂରବୃନ୍ଦ ଯାର            ଅଶ୍ୱତ୍ଥାମା ଶିଷ୍ୟ ୧

ବୋଲି ଲଭିଛନ୍ତି ଖ୍ୟାତି,

ଯାହାଙ୍କ ଅବ୍ୟର୍ଥ            ଲକ୍ଷ୍ୟରୁ ନିଷ୍କୃତ

ଲଭନ୍ତି ନାହିଁ ଅରାତି ।

 

୧ - ଏକଦା ବିରୁଳିରେ ମହାଭାରତ ପାଠ ହେଉଥିଲା । ନାଗରିକମାନଙ୍କ ସହିତ ଜନୈକ ଅପରିଚିତ ବ୍ରାହ୍ମଣ ପ୍ରତ୍ୟହ ମହାଭାରତ ଶୁଣି ଶେଷରେ କେଉଁଆଡ଼େ ଚାଲି ଯାଉଥିଲେ । ଦ୍ରୋଣବଧ ବୃତ୍ତାନ୍ତ ପାଠସମୟରେ ସେ କ୍ରୁଦ୍ଧ ହୋଇ ହସ୍ତସ୍ଥିତ ଖଡ଼ ଡଶଙ୍ଗକୁ ଉପବିଷ୍ଟ ପ୍ରସ୍ତରରେ ବିଦ୍ଧ କଲେ । ତାହା ପ୍ରସ୍ତର ମଧ୍ୟରେ ସମ୍ପୂର୍ଣ୍ଣ ଗଳିଗଲା। ତହୁଁ ସେ ସେଠାରୁ ପ୍ରସ୍ଥାନ କରାନ୍ତେ ଜନ୍ରକ ବିରୁଳି ବାସୀ କ୍ଷତ୍ରିୟ ତାହାଙ୍କ ଅନୁଗମନପୂର୍ବକ ବନ ମଧ୍ୟରେ ତାହାଙ୍କର ପଦଧାରଣ କରି କହିଲେ, ‘‘ଆପଣ କେଉଁ ମହାପୁରୁଷ, ମୋତେ ପରିଚୟ ଦେବା ହେଉନ୍ତୁ ଏବଂ ଆପଣ ଯେଉଁ ବିଦ୍ୟା ଦେଖାଇଲେ, ମୋତେ ସେହି ବିଦ୍ୟା ପ୍ରଦାନ କରନ୍ତୁ।’’ ତହୁ ବ୍ରାହ୍ମଣ କହିଲେ- ‘‘ମୁଁ ଅଶ୍ୱତ୍ଥାମା, ମୋର ପିତାଙ୍କର ବଧ ଅନ୍ୟାୟରେ ହୋଇଥିବାରୁ ସେହି କଥା ଶୁଣି ମୋର କ୍ରୋଧ ଉଦ୍ରେକ ହୁଅନ୍ତେ ମୁଁ ପ୍ରସ୍ତରରେ ଖଡ଼ ପ୍ରହାର କଲି । ଏ କାଳରେ ସେ ବିଦ୍ୟା ତୁମ୍ଭମାନଙ୍କ ହସ୍ତରେ ହେବ ନାହିଁ । ଅତଏବ ମୁଁ ତୁମ୍ଭଙ୍କୁ ଅବ୍ୟର୍ଥ ଲକ୍ଷ୍ୟଭେଦ ଶିକ୍ଷା ଦେବି ।’’ ଏହା କହି ଖଡ଼ରେ ଧନୁର୍ବାଣ ପ୍ରସ୍ତୁତ ପୂର୍ବକ ଶିକ୍ଷା ଦେଇ ଅନ୍ତର୍ଦ୍ଧାନ ହେଲେ । କାଳକ୍ରମେ ବିରୁଳିରେ ତାଙ୍କର ଶିଷ୍ୟ ଉପଶିଷ୍ଟ ବିସ୍ତୃତ ହେଲେ । ବିରୁଳି ବୀରମାନଙ୍କର ବାଣ ଅବ୍ୟର୍ଥ ବୋଲି ଗଞ୍ଜାମରେ କିମ୍ବଦନ୍ତୀ ଅଛି।

 

ପୂର୍ବଶ୍ରେଣୀ ଗିରି-            କନ୍ଦରା-ନିବାସୀ

ମକରେଶ୍ୱରରାଖ୍ୟ ହର,

ସାର୍ଥକିଅଛନ୍ତି            ଗଙ୍ଗାଧର ନାମେ

ଶିରେ ଧରି ପୂତ ଝର ।୨।

୨ - ମହାଦେବଙ୍କ ମସ୍ତକରୁ ସର୍ବଦା ନିର୍ଗତ ହୁଏ ।

 

ଖଲ୍ଲିକୋଟ ଯାକୁ            କରିଛି ‘‘ନିର୍ମଳ-

ଝର’’ ତୀର୍ଥେ ପରିଣତ,

ସେ ଦୁର୍ଗ ନିସର୍ଗ            ଅପସରରୂପେ

ଶୋଭେ ମାରୁଆ ପର୍ବତ ।

 

କ୍ଷତ୍ରବୃନ୍ଦ ଯାର            ମହାବୀର୍ଯ୍ୟାଶାଳୀ

କରାଳ ଯେସନ କାଳ,

ବୀରନୃତ୍ୟ କାଳେ            ନାଚେ ତାଳେ ତାଳେ

ମସ୍ତକେ ବାବୁରି ବାଳ ।

 

ବିକଟ ସଙ୍କଟ-            ଉପମୂର୍ତ୍ତି ପ୍ରାୟ

ହରିଡ଼ାମୂଳ ସଙ୍କଟ, ୧

ଅନୁକ୍ଷଣ ଯହିଁ            ଶ୍ୱାପଦ କୁହାଟ

ହେଉଥାଏ ପରକଟ ।

୧ - ସ୍ୱନାମପ୍ରସିଦ୍ଧ ଗିରିସଙ୍କଟ । ଏହାର ଦୁଇ ପାର୍ଶ୍ୱରେ ହିଂସ୍ରଜନ୍ତୁପୂର୍ଣ୍ଣ ବିଶାଳ ନଭଶୂମ୍ଭୀ ପର୍ବତ ଦଣ୍ଡାୟମାନ।

 

ନିର୍ଝର ଶିରାଳ            ନାରାୟଣୀ ଖୋଲେ

ନିବସନ୍ତି ନାରାୟଣୀ ୨

ବସନ୍ତେ ଦେବୀଙ୍କ            ପୟରେ ଅଶୋକେ

ଖଟନ୍ତି ପୁଷ୍ପ ଖଟଣି ।

୨ - ନାରାୟଣୀ ଖୋଲରେ ନାରାୟଣୀ ଦେବୀଙ୍କର ମନ୍ଦିର ଅଛି । ଏଠାରେ ଅଶୋକ ଏବଂ ଧାନୁଆ ଲଙ୍କାମରିଚ ଗଛ ବହୁତ ଦୃଷ୍ଟ ହୁଏ ।

 

ଦେବୀଙ୍କର ତୀବ୍ର            କୋପାନଳ ପ୍ରାୟ

ଚୌପାଶେ ଧାନୁଆ ଲଙ୍କା,

ଦରଶନେ ମନେ            ସୁଖ ଦିଏ ମାତ୍ର

ପରଶନେ ଆଣେ ଶଙ୍କା ।

 

ଦୁର୍ଗ ପୂର୍ବଭାଗେ            ଚାରୁ ଚିଲ୍ଲାମ୍ବରା

ଗୋପକୁଦା ବରକୁଦା,

ନିର୍ଭୟରେ ଯହିଁ            ହରିଣ-ଶିଶୁଏ

କ୍ରୀଡ଼ୁଥାନ୍ତି ମାରି କୁଦା ।

 

ଚିଲ୍ଲାଚାରୀ ମୀନେ            ଧରି କୁରୁବଳ ୩

ଉଚ୍ଚ ବୃକ୍ଷେ ହୃଷ୍ଟଚିତ୍ତେ,

ଦିବସ ଦୁଃସହ            ଉପବାସ ଅନ୍ତେ

ପାରଣା କରେ ନିଶୀଥେ ।

୩ - ଚିଲ୍ଲାଚାରୀ ବୃହତ୍‌ପକ୍ଷି ବିଶେଷ ।

 

ଖଲ୍ଲିକୋଟ ପରେ            ଅଷ୍ଟଦୁର୍ଗ ନାମେ

ନଦୀମାତୃକ ପ୍ରଦେଶ, ୪

ଘୋର ଅବଗ୍ରହ            କାଳେ ହୁଏ ନାହି

ଯହିଁ ଶସ୍ୟକ୍ଷୟ ଲେଶ ।

୪ - ଧନେଇ, ବଗତା ବାଘୁଆ ଓ ଖରଖରୀ-ଏହି ନଦିଚତୁଷ୍ଟୟ ହେତୁ ଆଠଗଡ଼ ରାଜ୍ୟରେ ଅନାବୃଷ୍ଟି ବାଧେ ନାହିଁ ।

 

ଯାମ୍ୟେତରେ ତାର            ଘୁମୁଷର ଗଡ଼

ଭଞ୍ଜବଂଶ       ରାଜଧାନୀ,

ବିରାଜିତ ଯହିଁ            ସୁବିଶାଳ ଶାଳ-

ଶ୍ୟାମାୟିତ ଅରଣ୍ୟାନୀ ।

 

ବାଘ-ଆରୋହିଣୀ            ବାଘଦେଈ ଚଣ୍ଡୀ

ଯେ ରାଜ୍ୟର ଅଧିଦେବୀ,

କାଚସ୍ୱଚ୍ଛନୀରା            ପୁଣ୍ୟ ମହାନଦୀ ୫

ବହେ ଯା ପୟର ସେବି ।

୫ - ଏହା ବଡ଼ନଦୀ ନାମରେ ମଧ୍ୟ ଖ୍ୟାତି ।

ବନପଥେ ତହୁଁ            ଦକ୍ଷିଣାଭିମୁଖେ

ଯାତ୍ରା କରି ଦ୍ୱିଜବର,

ରଣ-କୀର୍ତ୍ତିମୟୀ            ରଣଭା ରାଜ୍ୟରେ

ମିଳିଲେ ଯାଇ ସତ୍ୱର ।

ଏଥୁ ଅନନ୍ତରେ            ହରିଡ଼ା-ନିବିଡ଼

ସୋରଡ଼ା ପଶ୍ଚାତେ ରଖି,

ଗମିଲେ ଦକ୍ଷିଣେ            ପଟ୍ଟ-ପୁରୋହିତ

ବଡ଼ଗଡ଼ ଗଡ଼ ଲକ୍ଷି ।

ବିରାଜିତ ଯହିଁ            ୠଷ୍ୟାଶ୍ରମପୁତ

ଅଭ୍ରଂକଷ ଗିରିମାଳ,

ଯେ ଗିରି-କନ୍ଦରା            ୠଷିକୁଲ୍ୟା ନଦୀ

ବିଜନ ଅନ୍ତୁଡ଼ିଶାଳ ୬

 

୬ - ୠଷିମାଳ ପର୍ବତରୁ ୠଷିକୁଲ୍ୟା ନଦୀ ନିର୍ଗତ ହୋଇଅଛି ।

 

ବଡ଼ଗଡ଼ ପୂର୍ବେ            ରମ୍ୟ ଧରାକୋଟ

ସମୃଦ୍ଧିବନ୍ତ ନଗର,

ପ୍ରତିପାଳନ୍ତି ଯେ            ରାଜ୍ୟେ ପୁଣ୍ୟଶ୍ଲୋକ

ନଳରାଜା ବଂଶଧର ।

 

ୠଷିକୁଲ୍ୟା କୁଳେ            ବସନ୍ତି ଯା ବକ୍ଷେ

ଅଷ୍ଟସ୍ଥାନେ ଚନ୍ଦ୍ରଚୂଡ଼, ୧

ଶାର୍ଦ୍ଦୂଳ-ଭୀଷଣ            ‘‘ସୂବଳ’’ ଯା ମାଥେତ

ମାରାଗମଣି ମହୁଡ଼ ।

୧ - ୠଷିକୁଲ୍ୟା ଉଭୟ କୂଳସ୍ଥ ଅଷ୍ଟଶାସନ ଓ ଅଷ୍ଟସମ୍ଭୂ ମନ୍ଦିର ଧରାକୋଟ ରାଜବଂଶର କୀର୍ତ୍ତି । ପ୍ରଚଳିତ ନାମ ଶୁଳିଆ ପର୍ବତ।

 

କ୍ଷତ୍ରବୀର ଯାର            ଅପ୍ରଧୃଷ୍ୟ ଯାଙ୍କୁ

ନ ପାରନ୍ତି ଶତ୍ରୁ କଣ୍ଟି,

ରଖିଛନ୍ତି ଯଶ            ହରିହର ଲୌହ

ସାବକେ ପକାଇ ଗଣ୍ଠି ।୨

 

୨ - ହରିହର ସିଂହ ନାମରେ ଧରାକୋଟରେ ଜଣେ ଅସାଧାରଣ ବଳଶାଳୀ କ୍ଷତ୍ରିୟ ବୀର ଥିଲେ । ସେ ଗୋଟିଏ ବୃହତ୍‌ସାବୁଳରେ ଗଣ୍ଠି ପକାଇଅଛନ୍ତି । ତାଙ୍କର ସ୍ମୃତି ସ୍ୱରୂପ ସେହି ସାବୁଳ ଦଶହରା ଦିନ ସୂଚିତ ହୁଏ।

 

ଆଗ୍ନେୟ କୋଣରେ            ସେରଗଡ଼ ନାମେ

ସୁନ୍ଦର ରାଜ୍ୟ ବିଦିତ,

ପୁରାକାଳୁ ଯେହୁ            ରଖିଛି ଉତ୍କଳେ

ଜ୍ୟୋତିଷ ଚର୍ଚ୍ଚା ଜୀବିତ ।

 

ଗଭୀରା ପ୍ରଖରା            ଅନ୍ଧୁଣୀ ଯାହାର

ବକ୍ଷଲମ୍ବୀ ମୁକ୍ତାହାର,

ଅକସ୍ମାତ ଆସି            ଉପସ୍ଥିତ ହୁଏ

ଭୀଷଣ କନ୍ୟା ତାହାର ।

 

ଘୋଡ଼ାହାଡ଼ ତୀରେ            ଗଙ୍ଗବଂଶୀ ରାଜ୍ୟ

ଶୋଭାଙ୍ଗୀ ସାନଖେମଣ୍ଡି,

ଶାଶ୍ୱତ ଭୂଷଣ            ତପ୍ତ ପ୍ରସ୍ରବଣେ ୩

ଅଛି ଯେହୁ ଅଙ୍ଗ ମଣ୍ଡି ।

୩ - ସାନଖେମୁଣ୍ଡି ରାଜ୍ୟରେ ଗୋଟିଏ ତପ୍ତ ପ୍ରସ୍ରବଣ ଅଛି ।

 

ଦୂରେ ସିଂହରାଜ ୪            ଚୁମ୍ବନ୍ତି ଯା ଚୂଡ଼ା

ପ୍ରଥମେ ପ୍ରାତେ ସବିତା,

ବାତ-ହିମାଳୟ            ମହେନ୍ଦ୍ର ସଙ୍ଗେ ଯେ

ଆଚରେ ପ୍ରତିଯୋଗିତା ।

୪ - ସିଂହରାଜ ପର୍ବତ ପ୍ରାୟ ମହେନ୍ଦ୍ରର ସମକକ୍ଷ ।

ଦାନ-ଯଜ୍ଞପୂତ            ବୃହତ ଖେମୁଣ୍ଡି

ବିସ୍ତାରିଛି ଯାମ୍ୟେ ଶିରୀ,

ବଢ଼ାଇଛି ଯାର            ନିସର୍ଗ ମାଧୁରୀ

ମଞ୍ଜୁକୁଞ୍ଜରେଖା ଗିରି ।

ଶଇଳ-ମେଖଳା            ଦେଉଳମାଳିନୀ

ଅମର ବିହାର ସ୍ଥଳୀ,

ନିବସନ୍ତି ତହିଁ            ଲକ୍ଷ୍ମୀ ସରସ୍ୱତୀ

ବିସର୍ଜି ସପତ୍ନୀ କଳି ।

ସ୍ଥିତ ପୂର୍ବେ ତାର            ମହୁରୀ ନଗରୀ

କେରାଣ୍ଡିମାଳ ପୟରେ, ୫

ମହାଶକ୍ତି ପୀଠ            ତାରିଣୀଶଖରୀ ୬

ବିରାଜେ ତାହା ଉତ୍ତରେ ।

 

୫ - ପଶ୍ଚମିଘାଟ ପର୍ବତଶ୍ରେଣୀ ଗଞ୍ଜାମରେ କେରାଣ୍ଡମାଳ ନାମରେ ଅଭିହିତ ।

୬ - ତାରାତାରିଣୀ ପର୍ବତରେ ତାରିଣୀ ଦେବୀ ଅଧିଷ୍ଠିତ ।

 

ମହୁରୀ ପଶ୍ଚିମେ            କୁଠାରୀ-ପାଳିତ

ଚିକିଟି ରାଜ୍ୟ ବିଦିତ,

ପ୍ରବାଳ ଦେଉଳ            ପରାଏ ଯା ବକ୍ଷେ

ଲୋହିତ ଗିରି ଶୋଭିତ ।

 

କେରତୀରେ ତହିଁ            ଅଧିଷ୍ଠିତା ବିନ୍ଧ୍ୟ-

ବାସିନୀ ମହେଶ-ଯୋଷା,

ଶିରେ ଶୋହେ ଯାର            ମନ୍ଦାର-ବନ୍ଦିତ

ତୈଲଙ୍ଗୀୟ ବକ୍ର ଖୋଷା ।

 

ପୂର୍ବେତରେ ତାର            କୁରଙ୍ଗୀ-ସେବିତ

ବିସ୍ତୃତ ସୁରଙ୍ଗୀ ମହୀ,

ଏରଗଲ ଗଣ୍ଡ ୧            ନୀରାମୃତ ପୂତ

ଚିର କବି କୀର୍ତ୍ତିମୟୀ ।

 

୧-ସ୍ୱରଙ୍କୀ ରାଜ୍ୟାନ୍ତର୍ଗତ ବାହୁଦାର ଏକଅଂଶ ଏଲଗଲ ଗଣ୍ଡ ନାମରେ ନାମିତ । ଏହି ଗଣ୍ଡର ଉଭୟ ପାର୍ଶ୍ୱରେ ନିବିଡ଼ ଅରଣ୍ୟାନୀସଙ୍କୁଳ ଉତ୍ତୁଙ୍ଗ ପର୍ବତମାଳା ଏପରି ଭାବରେ ଅବସ୍ଥିତ ଯେ, ଗଣ୍ଡଜଳରେ ସୂର୍ଯ୍ୟକିରିଣ ପଡ଼ିବାର ଉପାୟ ନାହିଁ । ଏ ସ୍ଥାନର ନଦୀ ଶଯ୍ୟା ଅତି ସଂକୀର୍ଣ୍ଣ, ଗଭୀର ଓ ଗଣ୍ଡଶୈଳସଙ୍କୁଳ ।

ନିବସନ୍ତି ଯହିଁ            ଚନ୍ଦ୍ରବଂଶୀ ନୃପ-

ଇଷ୍ଟଦେବୀ କ୍ରୂରାଶିନୀ,

ଭୀଷଣ ଶାର୍ଦ୍ଦୂଳ            ଖଟେ ଯାଙ୍କ ପଦେ

ପ୍ରକାଶି ଭୟେ ଦୟିନୀ ।

ଗଞ୍ଜାମମଣ୍ଡଳେ            ଦ୍ୱିତୀୟ ମହେନ୍ଦ୍ର

ଉଭା ତାଳଗୁଡ଼ି ୨ ଯହିଁ,

ଯା ପଦେ ଶ୍ୟାମଳ            କମଳା କାନନେ

ଉତ୍ପୁଚ୍ଛେ ନାଚେ ବରହୀ ।

୨- ସୁରଙ୍ଗୀର ସର୍ବୋଚ୍ଚ ପର୍ବତ । ଏହି ପର୍ବତ ପାଦଦେଶରେ ବିସ୍ତୃତ କମଳା ଉଦ୍ୟାନ

ଶୋଭାପାଏ । ଏହାର ଫଳ ଶ୍ରହଟ୍ଟ କମଳାସ୍ୱରୂପ ମଧୁର ।

ସୁରଙ୍ଗୀ ଦକ୍ଷିଣେ            ଜରାଡ଼ା ନଅର

ଜରାସନ୍ଧ ଗିରି ତଳେ,

 

ସୌମିତ୍ରି ସ୍ଥାପିତ            ଚଣ୍ଡୀ ଛନ୍ତି ଯହିଁ

‘‘ଲକ୍ଷ୍ମଣ ଚଣ୍ଡୀ’’ ଅଚଳେ ।

ସମ୍ମୁଖେ ତାହାର            ଜଳନ୍ତର ଦୁର୍ଗେ

ନିମେଇଶୁଣୀ ମନ୍ଦିର

ସ୍ୱନାମପ୍ରସିଦ୍ଧ            ପର୍ବତ ଶିଖରେ

ଦୂରୁରୁ ଦିଶେ ରୁଚିର ।

ମହେନ୍ଦ୍ର ତନୟା            ମୁହାଣେ ଯେଠାବେ

ଯୁଧିଷ୍ଠିର ମହାଭାଗ,

ବିପୁଳ ଦାନର            ଅନୁଷ୍ଠାନ ସହ

କରିଥିଲେ ମହାଯୋଗ ।

ତାଙ୍କ ପ୍ରତିଷ୍ଠିତ            ଜନାର୍ଦ୍ଦନ କ୍ଷେତ୍ର

ରତ୍ନ ରେଣୁମୟ ସ୍ଥାନ,

ଅଦ୍ୟାପି ଯେଠାରୁ            ମିଳଇ ବିବିଧ

ରତନ କଣିକାମାନ ।

ଜଳନ୍ତର ରାଜ୍ୟ            ପଶ୍ଚିମ ସୀମାନ୍ତେ

ନଗର ବୁଢ଼ାରସିଂହ,

 

ଜନ୍ମିଥିଲେ ଯହିଁ            ଅମାନୁଷୀକାୟ

ନିଃଶଙ୍କ କ୍ଷତ୍ରିୟ ସିଂହ । ୩

 

୩- ବାରଡ଼ାଙ୍ଗୁଆ ନିଃଶଙ୍କ ନାମରେ ଜଣେ ଅମାନୁଷୀ ବଳଶାଳୀ କ୍ଷତ୍ରିୟ ରାଜା ପୂର୍ବେ ରାଜପଣ କରୁଥିଲେ । ମହେନ୍ଦ୍ର ପର୍ବତର ଆପାଦମସ୍ତକ ଲମ୍ୱିତ ଗୋଟିଏ ସିଆଡ଼ିଲତା ସାହାଯ୍ୟରେ ସେ ପ୍ରତ୍ୟହ ପର୍ବତ ଉପରକୁ ଉଠି ଦେବଦର୍ଶନ କରୁଥିଲେ ।

ପର୍ଶୁରାମଙ୍କର            ପବିତ୍ର ଆଶ୍ରମ

ପାର୍ଶ୍ୱେ ପର୍ଶୁରାମ କୁଣ୍ଡ,

ରୋଗପାପତାପ            ଦୂର ହୋଇଯାଏ

ବୁଡ଼ାଇଲେ ତହିଁ ମୁଣ୍ଡ ।

କାନନ-କୁନ୍ତଳ            କାଣ୍ଡଗଳା ଗିରି

ଉତ୍‌ଶିଖ ତାହା ଅନ୍ତିକେ,

ଫୁଟିଯାଇଅଛି            ଯା ବିଶାଳ ପିଣ୍ଡ

ପାବନି ମହାବିଶିଖେ ।

ଗୋବଧ ପାପର            ପ୍ରାୟଶ୍ଚିତ୍ତ ରୂପେ

ଶୁରସିଂହ ଗୁଡ଼ାକେଶ,

ଛାପିଛନ୍ତି ଯହିଁ            ତିନି ସ୍ଥାନେ ତିନି

ଦିବ୍ୟମୂର୍ତ୍ତି ବ୍ୟୋମକେଶ । ୪

 

୪- କିମ୍ୱଦନ୍ତୀ ଅଛି ଯେ, ଅର୍ଜ୍ଜୁନ ଗଣ୍ଡା ଭ୍ରମରେ ଗୋବଧ କରି ସେହି ପାପରୁ ମୁକ୍ତ ହେବା ସକାଶେ ମୃତ ଗୋରୁକୁ ସମୁଦ୍ରରେ ନିକ୍ଷେପ କରିବା ମାନସରେ ଘେନି ଯାଉଁ ଯାଉଁ ମହେନ୍ଦ୍ର ପର୍ବତରେ ଗୋରୁର କାନ ଛିଡ଼ି ପଡ଼ିଲା । ତହୁଁ ଅର୍ଜ୍ଜୁନ ସେଠାରେ ଗୋକର୍ଣ୍ଣେଶ୍ୱର ମହାଦେବ ସ୍ଥାପନ କଲେ । ସେହିପରି ମହେନ୍ଦ୍ରତନୟା ତୀରସ୍ଥ ପୁତିଙ୍ଗି ଗ୍ରାମରେ ପୁଣ୍ଟି ପଡ଼ିଯିବାରୁ ସେଠାରେ ପୁଟେଶ୍ୱର ଶିବକୁ ଏବଂ ବାରୁଆ ଗ୍ରାମଠାରେ କୋଟି କୋଟି ରକ୍ତବିନ୍ଦୁ ପଡ଼ିବାରୁ ସେଠାରେ କୋଟିଲିଙ୍ଗେଶ୍ୱର ନାମରେ ଶିବମୂର୍ତ୍ତି ସ୍ଥାପନ କଲେ ।

 

ପୁଟେଶ୍ୱର ହର            ସୁନ୍ଦର ମନ୍ଦିର

ମୁଗୁନିଶିଳା ନିର୍ମିତ,

ଉତ୍କଳ ଶିଳ୍ପୀଙ୍କ            ସୂକ୍ଷ୍ମ ସ୍ଥାପତ୍ୟର

ଗାଉଛି ଗୌରବ-ଗୀତ ।

 

ନୈର୍ଋତେ ପାରଳା            ସାହିତ୍ୟ-ସଙ୍ଗୀତ

ଜ୍ୟୋତିଷ ଶିଳ୍ପକୁଶଳା,

ରାଜଲକ୍ଷ୍ମୀ ସହ            ଉତ୍କଳ-କମଳା

ଯେ ରାଜ୍ୟେ ସଦା ଅଚଳା ।

 

ସାଗର-ସକାଶ            କୃଷ୍ଣ ସରୋବର ୧

ଯା ବକ୍ଷ କୌସ୍ତୁଭମଣି,

 

ଦେବଗିରି ଆଦି ୨            ମହୀଧର ସଂଖ୍ୟା

ନ ହୁଏ ସହଜେ ଗଣି ।

୧-ଏହା ପାରଳାର ସର୍ବଶ୍ରେଷ୍ଠ ଜଳାଧାର ।

୨- ଦେବଗିରି ପାରଳା ରାଜ୍ୟର ସର୍ବୋଚ୍ଚ ପର୍ବତ ।

ବିଶାଳ ଅଜୟ-            ଗଡ଼ ଶୈଳ ତଳେ

ଅଜିତ ଅଜୟଗଡ଼,

ଦୁର୍ଗରକ୍ଷୀ ରୂପେ            ସଦା ରୁଣ୍ଡ ଯହିଁ

ଦୂରନ୍ତ ପାତି ମାଙ୍କଡ଼ ।

ଯା ଛଟକେ ଟେକ            ଟେକିଲି, ପାରଳା

ଉତ୍ତର ପୂର୍ବେ ବିଦିତ,

କରନ୍ତି କଦମ୍ୱ-            ବଂଶୀ ନୃପେ ଯାର

ଶାସନଦଣ୍ଡ ଚାଳିତ ।

କଙ୍କତିକା ଶିଳ୍ପି            କର୍କଶ କରତ

ଶବ୍‌ଦେ ଯେ ସଦା ମୁଖର, ୩

ବିରାଜେ ଯେ ରାଜ୍ୟେ      ବହୁଠାବେ ଶ୍ୱେତ-

ଶତଦଳଶୋଭୀ ସର ।

୩-ଟେକଲିରେ ଉତ୍କୃଷ୍ଟ ପାନିଆଁ ପ୍ରସ୍ତୁତ ହୁଏ ।

 

ତଦୁତ୍ତର ଭାଗେ            ତରଳା, ଯେ ରାଜ୍ୟେ

ଉତ୍କଳ-ମହୀମଣ୍ଡନ,୪

କାମେଶ୍ୱର ଶିବ            କାଟିଣୀ ଦୁର୍ଗାଙ୍କୁ

କରିଥିଲେ ସଂସ୍ଥାପନ ।

୪- ପୁରୁଷୋତ୍ତମ ଦେବ କାଞ୍ଚିଯାତ୍ରା ସମୟରେ ବର୍ଣ୍ଣିତ ଶିବଦୁର୍ଗାଙ୍କୁ ସ୍ଥାପନ କରିଥିଲେ ।

 

ଅତସା ନୀଳିମା-            ନିନ୍ଦୀ ନୀଳତର

ସାତଭଉଣିଆ ଗିରି,

ହୋଇଛି ଯାହାର            ଅକ୍ଷୟ ଅଭେଦ୍ୟ

ଉତ୍ତଙ୍ଗ ଦୁର୍ଗ ପାଚୀରି ।

 

ମହୀ-ମହିଳାର            ମଞ୍ଜୁ ଅଳଙ୍କାର

ମଞ୍ଜୁଷା ତାହା ଉତ୍ତରେ,

ମହେନ୍ଦ୍ର-ତନୟା            ସହ ସ୍ୱର୍ଣ୍ଣମୁଦ୍ରା ୫

ଯହିଁ ଖରେ ଗତି କରେ ।

୫- ପ୍ରଚଳିତ ନାମ ସୁନାମୁଦିଆ ନଦୀ ।

 

ରାଟି ଗିରିପଦେ            ବଟବୃକ୍ଷେ ଯହିଁ

ଜଗନ୍ନାଥ ବଳରାମ

କାଞ୍ଚି ଅଭିଯାନେ            ଅଶ୍ୱ ବାନ୍ଧି ତହିଁ

କରିଣ ଥିଲେ ବିଶ୍ରାମ ।

 

ସେଦିନୁ ସେ ମହା-            ମହୀରୁହ ରୌପ-

କବଚେ ହୋଇ ପିହିତ,

ଷୋଡ଼ଶୋପଚାରେ            ସାଟୋପେ ହେଉଛି

ଦେବତା ତୁଲ୍ୟ ପୂଜିତ ।

 

ରାଜ୍ୟୁ ରାଜ୍ୟାନ୍ତରେ            ଭ୍ରମି ଏହିମତେ

ଉପଯୁକ୍ତ ପାତ୍ରୀ କାହିଁ,

ନ ପାଇ ପୁରୋଧା            ଉପସ୍ଥିତ ହେଲେ

ଶେଷେ ରତ୍ନଗଡ଼େ ଯାଇ ।

 

ତହିଁ ରାଜଜେମା            କଳ୍ପଲତା କଥା

ଶୁଣି ଜନଶ୍ରୁତି-ମୁଖେ,

ପାତ୍ରଯୋଗ୍ୟ ପାତ୍ରୀ            ଅଛି ବୋଲି ଭାବି

ବସା କଲେ ଆଶା ସୁଖେ ।

 

ଏଥୁ ଅନନ୍ତରେ            ତହିଁ ବିପ୍ରମଣି

ନିବସି ଦିବସ ସାତ,

ରାଜପାରିଷଦ            ସାହାଯ୍ୟରେ କଲେ

ରାଜାଙ୍କ ସହ ସାକ୍ଷାତ ।

 

ନିଜ ପରିଚୟ            ଅନ୍ତେ ନୃପବରେ

ଆଶିଷ କଲେ ବିଶେଷ,

ଆସନ ଦେଖାଇ            କଲେ ରାଏ ତାଙ୍କୁ

ବସିବା ପାଇଁ ଆଦେଶ ।

 

ସ୍ୱାଗତ ସମ୍ଭାଷ            ପରେ ପୁରୋହିତ

ବିନୟେ ଧୀରେ ସର୍ବଥା,

ବୋଇଲେ ମଣିମା            ଶୁଣିବା ହେଉନ୍ତୁ

ମୋର ଆଗମନ କଥା ।

 

ପଦ୍ମପୁରେ ରାଜ୍ୟ            ଯୁବରାଜଙ୍କର

ଯଶୋଗାଥା ଲୋକମୁଖେ,

ଶୁଣା ତ ଥିବ ମୁଁ            ଜଣାଇବି କିବା

ବାହୁଲ୍ୟ ଛାମୁ ସମ୍ମୁଖେ ।

 

ଛାମୁଙ୍କ ଦୁହିତା            କଳ୍ପଲତା ଏକା

ତାହାଙ୍କ ଯୋଗ୍ୟ ସଙ୍ଗିନୀ,

ରୋହିଣୀ ବିନା କି            ଆନ ତାରା ହେବ

ଶଶାଙ୍କ ଅଙ୍କ-ଶୋଭିନୀ ।

 

ଏହା ଭାଷି ତହୁଁ            ବର୍ଣ୍ଣିଲେ ଭୂସୁର

ପୁଷ୍ପାକର ଗୁଣରୂପ,

ଅଳଙ୍କାରଯୁକ୍ତ            କରି ଉପସ୍ଥିତ

ଚତୁର କବିସ୍ୱରୂପ ।

 

ଶୁଣି ନରମଣି            ସଚିବେ ନିରେଖି

ବୋଇଲେ ହେ ମନ୍ତ୍ରିବର,

ଶୁଣିଲ ତ ତୁମ୍ଭେ            ସାକ୍ଷାତେ ସୁଖ୍ୟାତି

ଯୋଗ୍ୟତା ପୁଷ୍ପାକରର ।

 

ପଦ୍ମପୁର-ପତି            ମଣ୍ଡିଛନ୍ତି ପଦ୍ମ

ଚିତ୍ତ-ସଦ୍ମ ସୂର୍ଯ୍ୟବଂଶ,

ସେହି ମହାବଂଶେ            ଆମ୍ଭର ତ ସୁଦ୍ଧା

ହୋଇଅଛି ଅବତଂସ ।

 

ତାହାଙ୍କ ସହିତ            ସମ୍ୱନ୍ଧ ବନ୍ଧନେ

କି ଅଛି ଆମ୍ଭ ଆପତ୍ତି,

ବରଞ୍ଚ ଏହାକୁ            ବୋଲିବା ଉଚିତ

ସୌଭାଗ୍ୟ ବିଷୟ ଅତି ।

 

ଜେମା ଯୋଗ୍ୟବର            ନିଶ୍ଚେ ପୁଷ୍ପାକର

ଆସୁଛି ଆମ୍ଭ ମନକୁ,

ରୁପେ ଗୁଣେ ଶୀଳେ            ପଟାନ୍ତର ଏକା

ସେ ଦୁହେଁ ଦୁଇଜଣଙ୍କୁ ।

 

ବିଦ୍ୱାନ ବିଦୁଷୀ            ଯୋଗ୍ୟ ସମ୍ମିଳନ

ବିହି ଘଟାଇଲା ଆଣି,

ରସଗର୍ଭ ଘନ            ଯୋଗ୍ୟ ସଖୀ ସିନା

ବିଜୁଳି ଲାବଣ୍ୟରାଣୀ ।

 

ଯାଅ ବିପ୍ରବର            ରାଜାଙ୍କୁ ତୁମ୍ଭର

କର ବେଗେ ନିବେଦନ,

କୁମାରଙ୍କ ଶୁଭ            ପରିଣୟ ପାଇଁ

କରନ୍ତୁ ସେ ଆୟୋଜନ ।

 

ତଥାସ୍ତୁ ଉଚ୍ଚାରି            ଆଗନ୍ତୁକ ଦ୍ୱିଜ

ଛାମୁରୁ ହେଲା ମେଲାଣି,

ବିଜେ କଲେ ରାଏ            ବିଚାରି-ମଣ୍ଡପେ

କର୍ତ୍ତବ୍ୟ ସମୟ ଜାଣି ।

 

ଜଗତୀ ଉପରେ            ରତ୍ନଖଚୀ ଖଟେ

ସମାସୀନା କଳ୍ପଲତା,

ସମବୟସୀଏ            କହୁଛନ୍ତି ବସି

ନାନା କଉତୁକ କଥା ।

 

ଏକାଳେ ସଖୀଏ            ଜେମା ପାଶେ ଆସି

ସମୁତ୍ସୁକେ ବାରମ୍ୱାର,

କହିଲା କହିବି            ଶୁଭକଥା ଏକ

ଦେବ କିସ ପୁରସ୍କାର ?

 

ଭାଷିଲେ ଜେମା ତୋ            ବେପାର ବୁଦ୍ଧିକୁ

ପଟାନ୍ତର ସଖୀ ନାହିଁ,

ଦ୍ରବ୍ୟ ନ ଦେଖୁଣୁ            ଆଗତୁରା ତାର

ଦର କେ ଛିଡ଼ାଏ କାହିଁ ?

 

ବୋଲେ ସଖୀ ତେବେ      ହେଉ ଦ୍ରବ୍ୟ ଦେଖା

ପଶ୍ଚାତେ ହେବ ତା ମୂଲ,

ଏତେ ଦିନେ ଦେଈ            ଇଷ୍ଟଦେବ ତବ

ଭାଗ୍ୟେ ହେଲେ ଅନୁକୂଳ ।

 

ପଡ଼ୁଛି କି ମନେ            କୁନ୍ତୀ ଦେବାଳୟେ

ପଢ଼ିଥିଲ ଯା’ କବିତା,

ଆସନ୍ନ ଭବିଷ୍ୟେ            ହେବ ତୁମ୍ଭେ ଧନି !

ତାଙ୍କ କରେ ସମର୍ପିତା ।

 

ଏ ଆନନ୍ଦ ବାର୍ତ୍ତା            କର୍ଣ୍ଣୁ କର୍ଣ୍ଣାନ୍ତରେ

ଖେଳୁଛି ଦୁର୍ଗେ ବିଚରି,

ପଦ୍ମପୁରୁ ଆସି            ପୁରୋଧା ଗଲେଣି

ସମ୍ୱନ୍ଧ ନିଶ୍ଚୟ କରି ।

 

ରାଜଲକ୍ଷ୍ମୀ, ଶୋଭା-      ଲକ୍ଷ୍ମୀରୁପେ ତୁମ୍ଭେ

ପାଇବ ସେ ପୁରେ ପୂଜା,

ପାସୋରିବ ନାହିଁ            ସେକାଳେ ଏତିକି

ମାଗୁଣି ମୃଣାଳଭୁଜା ।

 

ଶିକ୍ଷାଗୁରୁ ରୂପେ            ନ ଲଭି ଯାହାଙ୍କୁ

ଶେବୁଥିଲ ରମ୍ଭାଊରୁ,

ସେହି ଯୁବରାଜ            ପୁଷ୍ପାକର ଏବେ

ହେବେ ତବ ପ୍ରାଣଗୁରୁ ।

 

ମାନବୀ ପ୍ରକୃତି            ବୋଳିଦେଲା ଜେମା-

ବଦନେ ଳଜ୍ଜା ବହଳେ,

ମାତ୍ର ପରକ୍ଷଣେ            ହର୍ଷ ଅନୁରାଗ

ତଡ଼ିଲା ସେ ଭାବେ ବଳେ ।

 

ଇଚ୍ଛିଣ ମଙ୍ଗଳ-            ବାର୍ତ୍ତା ବାହିବାକୁ

ଦେବାକୁ ଯୋଗ୍ୟ ବଧାଇ,

ରତ୍ନକଣ୍ଠି-କଣ୍ଠି            ରତ୍ନକଣ୍ଠି ସଖି

କଣ୍ଠରେ ଦେଲା ଲମ୍ୱାଇ ।

 

ଜେମାଙ୍କ ମଙ୍ଗଳ-            କୃତ୍ୟ କଥା ଶୁଣି

ପରିବାରୀ ସହଚରୀ,

ଅପୂର୍ବ ଆନନ୍ଦ-            ପାରାବାର ଗର୍ଭେ

ଖେଳିଲେ ସର୍ବେ ସନ୍ତରି ।

 

ଆସନ୍ନ ପ୍ରଣୟ            ଆଣିଦେଲା ଜେମା

ମନେ କେତେ ନବଭାବ

ସଫଳିଲେ ଆଶା            ହୁଏ ସିନା ପିଣ୍ଡେ

ନୂତନ ଜୀବନ ଲାଭ ।

 

Unknown

ଷଷ୍ଠ ସର୍ଗ

 

କିଛି ଦିନାନ୍ତରେ            ବିଦେଶୁ ବାହୁଡ଼ି

ରାଜ-ପଟ୍ଟପୁରୋହିତ,

ପଦ୍ମା-ପ୍ରିୟସଦ୍ମ            ପଦ୍ମପୁର ଦୁର୍ଗେ

ହେଲେ ଆସି ଉପନୀତ ।

 

ସୁଧା-ସୁଶୀତଳ            ମାତୃଭୂମି-କୋଳ

ପରଶି ବିପ୍ରପୁଙ୍ଗବ,

ପ୍ରବାସ ଭ୍ରମଣ-            ଭୁକ୍ତ ପୂର୍ବକ୍ଳେଶ

ବିସ୍ମିତ ହେଲେ ସରବ ।

 

କି ମୋହନ ମନ୍ତ୍ର            ଜାଣେ ଜନ୍ମଭୂମି

ଦର୍ଶନ ମାତ୍ରେ ପଲକେ,

ବୈଦ୍ୟୁତିକ ବଳେ            ହରିନିଏ ହୃଦୁ

ଶ୍ରାନ୍ତି ଶୋକ ତାପ ଦକେ ।

 

ଚିର ଅମଳିନା            ମାତୃଭୂମି ଛବି

ହୁଏ ନାହିଁ ପୁରାତନ,

ଯେତେ ଦେଖୁଥିଲେ            ପ୍ରତେ ହେଉଥାଏ

ତେତିକି ନିତ୍ୟ ନୂତନ ।

ମାତୃଭୂମି ଦୃଶ୍ୟ            ମାତୃଭୂମି ନାମ

ଉଭୟେ ମଧୁରତର,

ସମକକ୍ଷ ତାର            ହେବ ନାହିଁ ତିଳେ

ଗୋକ୍ଷୀର ଖଣ୍ଡ ଶାକର ।

ବୋଲନ୍ତି ଜଗତେ            ଏ ମାନବ ପୁରେ

ଜନନୀ ଏକା ତ୍ରିଦଶୀ, *

ମାତ୍ର ତାହାଠାରୁ            ନିଶ୍ଚେ ଜନ୍ମଭୂମି

କୋଟି ଗୁଣେ ଗରୀୟସୀ ।

*ଦେବୀ

ଶୈଶବରେ ସିନା            ସନ୍ତାନେ ଜନନୀ

କରଇ ପ୍ରତିପାଳନ,

ମାତ୍ର ମାତୃଭୂମି            ସ୍ୱୀୟ ତନୁଦାନେ

ପ୍ରତିପାଳେ ଆଜୀବନ ।

 

କୁକର୍ମ ଦର୍ଶନେ            ସୁଜନନୀ ସୁଦ୍ଧା

ପ୍ରକାଶେ କୃତ୍ରିମ ରୋଷ,

ମାତ୍ର ଧରେ ନାହିଁ            ଜନ୍ମଭୂମି କେବେ

ସନ୍ତାନର ଦୋଷାଦୋଷ ।

 

କରୁଛନ୍ତି କ୍ଷତ            କରୁଛନ୍ତି ଦଗ୍ଧ

ସନ୍ତାନେ ତାହାର ଅଙ୍ଗ,

ଅମେଧ୍ୟ ନିକ୍ଷେପ            ନାହିଁ ସୁଦ୍ଧା ତାର

କିଞ୍ଚିତ ମାତ୍ର ଭ୍ରୁଭଙ୍ଗ ।

 

କିଛିଦିନେ ମାତା            ସନ୍ତାନେ ଉପେକ୍ଷି

ଚାଲିଯାଏ ଲୋକାନ୍ତରେ,

ମାତ୍ର ମାତୃଭୂମି            ମୃତ୍ୟୁ ପରେ ସୁଦ୍ଧା

ପାଉଁଶ ବହେ ବକ୍ଷରେ ।

 

ଜୀବ ଧମନୀରେ            ବହୁଅଛି ଯେଉଁ

ରୁଧିର ପ୍ରବାହବାର,

ଅଟେ ସିନା ତାହା            ମହା-ମହୀୟସୀ

ମାତୃଭୂମି ସ୍ତନ୍ୟଧାର ।

 

କରୁଅଛି ନିତ୍ୟ            ତା ମହାଶକତି

ଚରାଚରେ ଶକ୍ତିମାନ,

ଭୂତଗଣଙ୍କର            ସେହି ଏକା ଭବେ

ସମ୍ୱଳ ବଳିନିଦାନ ।

 

ଜନ୍ମଭୂମି ସହ            ମାନବର ଅଛି

ଆଣବିକ ଆକର୍ଷଣ,

ତେଣୁ ତା ଦର୍ଶନେ            ତା ନାମ ଶ୍ରବଣେ

ପୁଲକି ଉଠଇ ମନ ।

 

ଜନ୍ମଭୂମି ସଙ୍ଗେ            ତୁଳନା ପ୍ରସଙ୍ଗେ

ଅମରା ଲେଖା ଇତରେ,

ତୁଳାପାତ୍ରେ ପଡ଼ି            ଲଘୁ ହେତୁ ତାହା

ଯାଇଛି ଉଠି ଉପରେ ।

 

ମାତୃଭୂମି ମୁକ୍ତି            ବେନି ଦେବୀ ହେଲେ

ମୂର୍ତ୍ତି ଧରି ଏକତ୍ରିତ,

ସାର୍ବାଗ୍ରେ ସାଧକ            ଭକ୍ତି ସ୍ରୋତ ହେବ

ପ୍ରଥମା ପ୍ରତି ଧାବିତ ।

 

ଏଣୁକରି ସିନା            ମହାସାନିକରେ

ଉପେକ୍ଷି ବ୍ରତ ତପସ୍ୟା,

ଆଚରନ୍ତି ସଦା            ମନ ପ୍ରାଣ ସହ

ଜନ୍ମଭୂମି ବରିବଷ୍ୟା ।*

*ସେବା

ସ୍ୱଦେଶ-ସେବକ            ପଦେ କ୍ରୀତଦାସ

ଧର୍ମ ଅର୍ଥ ମୋକ୍ଷ କାମ,

ଭବାବ୍ଧି-ତରଣେ            ତାରକ ମନ୍ତର

ଜନ୍ମଭୂମି ପୁଣ୍ୟ ନାମ ।

ଜନ୍ମିଛି ମାନବ            ଶିରେ ଧରି ମର୍ତ୍ତ୍ୟ

ଜନ୍ମଭୂମି ଋଣଭାର,

ନ ଶୁଝିଣ ତାହା            ବଢ଼ାଏ ଯେ ସୁଧ

ବିଫଳ ଜୀବନ ତାର ।

ସ୍ୱଦେଶ ସେବାରେ            ଆତ୍ମସମର୍ପଣ

ନ କରେ ଯେ ଅଭିମାନୀ

ପଶୁ ବୋଲି ତାକୁ            ସମ୍ୱୋଧିଲେ ସୁଦ୍ଧା

ହେବ ପଶୁ ମାନହାନି ।

 

ଜନ୍ମଭୂମି ଭକ୍ତି            ମାତୃଭୂମି ପୂଜା

ଦେବତ୍ୱ ମାନବ ପ୍ରାଣେ,

ସେହି ଏକା ସିନା            ଜୀବନ୍ମୁକ୍ତ ଯେହୁ

ଏ ନିଗୂଢ଼ ମର୍ମ ଜାଣେ ।

 

ଏଥୁ ଅନନ୍ତରେ            ଋତ୍ୱିକ-ପ୍ରବର

ପ୍ରବେଶ ନୃପତି କତି,

ଦେଖି ତାଙ୍କୁ ରାଏ            ସହାସ୍ୟ-ବଦନେ

ବିହିଲେ ନମ୍ରେ ପ୍ରଣତି ।

 

ଅଞ୍ଜଳି ବିସ୍ତାରି            ଆଶୀର୍ବାଦ ଅନ୍ତେ

ଆସନ କରି ଗ୍ରହଣ,

ନିବେଦିଲେ ଦ୍ୱିଜ            ପଦ୍ମପୁର ଭୂପେ

ବିନୟ ଧୀରେ ଏସନ ।

 

ଭୋ ନୃପ ଛାମୁଙ୍କ            ଅନୁଜ୍ଞା ପ୍ରମାଣେୟ

ରାଜ୍ୟୁ ରାଜ୍ୟାନ୍ତରେ ଭୂମି,

ପାତ୍ର ଯୋଗ୍ୟ ପାତ୍ରୀ            ନ ଦେଖିଣ କାହିଁ

ହେଲି ମାତ୍ର ଖାଲି ଶ୍ରମୀ ।

 

କର୍କରିଳ ପଥେ            ଶେଷେ ଗିରିଗୁରୁ

ମହେନ୍ଦ୍ରର ସନ୍ନିହିତ,

ରତ୍ନ-ଊର୍ଜ୍ଜସ୍ୱଳ            ରତ୍ନଗନ ରାଜ୍ୟେ

ହେଲି ଯାଇ ଉପସ୍ଥିତ ।

 

ନଗରୀ ମାଧୁରୀ            ହେରି ବନଚାରୀ

ବ୍ରହ୍ମଚାରୀ ହେବେ ରଙ୍କା,

ସୁବଳୟ ପଦେ            ସାଗର ମେଖଳା

ଯେସନ କନକ ଲଙ୍କା ।

 

ଜଣା ତ ଛାମୁରେ            ଶୂରସିଂହ ତହିଁ

କରୁଛନ୍ତି ରାଜପଣ,

ସୁରାଜା-ସୁଲଭ-            ଗୁଣ ଧୁରନ୍ଧର

ରାଜନୀତି ବିଚକ୍ଷଣ ।

 

କଳ୍ପଲତା ନାମେ            ତାହାଙ୍କ ଦୁହିତା

ସୁକୁମାରୀ ନିରୁପମା,

ସୁନ୍ଦରୀ ସୃଷ୍ଟିରେ            ପୁରନ୍ଦରୀ ବାଳା

ଶୋଭା-ସ୍ୱର୍ଗ-ତିଳୋତ୍ତମା ।

 

କେତେ କାଳ ବସି            କେତେ ଶ୍ରମେ ଆହା

ନିର୍ମାଣିଛି ତାକୁ ବିଧି,

ନିଖିଳ-ସୁଷମା-            ରାଜ୍ୟେ ଚକ୍ରବର୍ତ୍ତୀ

ନିଶ୍ଚେ ସେ ଲାବଣ୍ୟନିଧି ।

ସୃଜିଲା ଯେ ବିଧି            କୁମାର-ବିଧୂଙ୍କୁ

ଶୋଭା ଷୋଳକଳା ଭରି,

ସେହି ତ ସୃଜିଛି            ଏ କୁମୁଦିନୀକି

ବିଧୁପରାୟଣା କରି ।

ପୁଷ୍ପାକରଙ୍କର            ସୁଯୋଗ୍ୟ ସଙ୍ଗିନୀ

ରାଜବାଳା କଳ୍ପଲତା,

ଅତଣ୍ଡି ବିନା କି            ତମାଳେ ଶୋଭିବ

ପାଣ୍ଡୁରା କଣ୍ଡୁରା ଲତା ।*

*ବାଇଡ଼ଙ୍କ

ନୃପ ଦୁଲାଳୀକି            ମଣନ୍ତି ସକଳେ

ମହାଲକ୍ଷ୍ମୀ ଅବତାର,

ଜନ୍ମକାଳୁ ତାର            ପ୍ରତିବର୍ଷ ତୋଳା

ଲାଗିଛି ରାଜଭଣ୍ଡାର ।

 

ନାଗରିକେ ଜେମା-            ପ୍ରଶସ୍ତି ବ୍ୟାଖ୍ୟାନେ

ହୋଇଛନ୍ତି ଶତଜିହ୍ୱ,

ସୁନ୍ଦରୀ ରାଣୀର            ବାହ୍ୟ ଅଭ୍ୟନ୍ତର

ଉଭ ଶୋଭା ରମଣୀୟ ।

 

ଏହିପରି ତାର            ରୂପଗୁଣଗାଥା

ଶୁଣି ଶୁଣି ଲୋକମୁଖେ,

ସୁ ସମୟେ ଦିନେ            ଉପସ୍ଥିତ ହେଲି

ଯାଇ ନୃପତି ସମ୍ମୁଖେ ।

 

ସଚିବ ସହିତେ            ବିଶ୍ରାମ-ମଣ୍ଡପେ

ବସିଥିଲେ ଯଶୋଧନ,

ଶିଷ୍ଟାଚାର ପରେ            ବିବାହ ପ୍ରସ୍ତାବ

କଲି ତହିଁ ଉତ୍ଥାପନ ।

 

ଆମ୍ଭ ଯୁବରାଜ            ସୁଖ୍ୟାତି ଶ୍ରବଣେ

ବୀର ରତ୍ନଗଡ଼ ପତି,

ଅମାତ୍ୟ ସଦସ୍ୟ            ସହଚର ସହ

ଲଭିଲେ ସନ୍ତୋଷ ଅତି ।

 

ଭାଷିଲେ ଭୂପେଶ            ଶାସ୍ତ୍ରାଦେଶ ଏହା

ଯୋଗ୍ୟ କୁଳ ଯୋଗ୍ୟ ପାତ୍ର,

ମିଳିଲେ କର୍ତ୍ତବ୍ୟ            କନ୍ୟା ସମ୍ପ୍ରଦାନ

ନ ବିଚାରି କିଛିମାତ୍ର ।

 

ଏକା ସୂର୍ଯ୍ୟକୁଳେ            ବଜ୍ରପାଣି, ଆମ୍ଭେ

ଲଭିଛୁଁ ଦୁହେଁ ଜନମ,

ପଦବୀ ଗୌରବ            ବଂଶ ତୁଳନାରେ

ନାହିଁ କିଛି ତାରତମ୍ୟ ।

 

ବିଶେଷେ ତାହାଙ୍କ            ସୁତ ପୁଷ୍ପାକର

କ୍ଷତ୍ରିୟ ବଂଶ ଭୂଷଣ,

ଜାମାତା ପଦରେ            ବରଣେ ତାହାଙ୍କୁ

ମଣେ ମୁଁ ଭାଗ୍ୟ ଲକ୍ଷଣ ।

 

କହ ଦ୍ୱିଜ ତବ            ନୃପେ କରନ୍ତୁ ସେ

ପରିଣୟ ଆୟୋଜନ,

ଶୁଭ କାର୍ଯ୍ୟ ଶୀଘ୍ର            କରିବା ଉଚିତ

ବିଳମ୍ୱେ କି ପ୍ରୟୋଜନ ?

 

ଏହା ଭାଷି ମୋତେ            ମେଲାଣି ପ୍ରଦାନ

କଲେ ରତ୍ନଗଡ଼ ପତି,

ନିବେଦିଲି ସର୍ବ            ବିଚାରି କର୍ତ୍ତବ୍ୟ

କରାଯାଉ ମହାମତି ।

 

ଶୁଣି ଏ ଭାରତୀ            ହେଲେ ନରମଣି

ଆନନ୍ଦେ ଆତ୍ମବିସ୍ମୃତ,

ଆଦେଶିଲେ ମନ୍ତ୍ରୀ            ପ୍ରତି କରିବାକୁ

ପୁରୋହିତେ ପୁରସ୍କୃତ ।

 

ପୁଣି ଆଦେଶିଲେ            ବିବାହ ସମ୍ଭାର

ଯଥାତଥ ଆହରଣେ,

ପଥ ସୁସଂସ୍କାରେ            ମଣ୍ଡପ ନିର୍ମାଣେ

ନଗର ପୁର ମଣ୍ଡନେ ।

 

ଯେ ଆଜ୍ଞା ଉଚ୍ଚାରି            ବାହାରିଲେ ମନ୍ତ୍ରୀ

ପାଳିବାକୁ ରାଜାଦେଶ,

ବିଜେ କଲେ ତହୁଁ            ଶୁଦ୍ଧାନ୍ତାଭିମୁଖେ

ହରଷେ ଖରେ ନରେଶ ।

 

ଆସ୍ଥାନ ମଣ୍ଡପେ            ବିଜେ କରିଛନ୍ତି

ଯୁବରାଜ ପୁଷ୍ପାକର,

ଯଥଯୋଗ୍ୟ ସ୍ଥାନେ            ଉପବିଷ୍ଟ ସଖା

ଅନୁଚର ପରିକର ।

 

ଜୟଧ୍ୱଜ ସହ            ଲାଗିଛି ଗଭୀର

ରାଜନୀତି ଆଲୋଚନା,

ଯୁକ୍ତି ପ୍ରତିଯୁକ୍ତି            ସହ ଚାଲିଅଛି

ଅବାଧେ ନାନା ଜଳ୍ପନା ।

 

ଭାଷିଲେ କୁମାର            ବୋଲନ୍ତି ସକଳେ

ରାଜପଦେ ଅଛି ସୁଖ,

ମାତ୍ର ମୋ ବିଚାରେ            ସେ ସୁଖରେ ଈଷା

ନ ବହିବ ସୁଦ୍ଧା ମୂର୍ଖ ।

 

ନୃପତି ପ୍ରଜାଙ୍କ            ଧନ, ମାନ, ପ୍ରାଣ-

ପ୍ରହରୀ ସିନା କେବଳ,

ନିଜେ ଦୁଃଖ ସହି            ପରେ ସୁଖ ଦାନେ

ରତ ଥାନ୍ତି ଅବିରଳ ।

 

ବୋଇଲେ ମନ୍ତ୍ରିଜ            ପଦାର୍ଥେ ଯେ ଦୁଃଖ

ଦୁଃଖ ନୁହେଁ କେବେ ତାହା,

ମଣିନ୍ତି ତାହାକୁ            ମହାତ୍ମା ମାନବେ

ମୁକ୍ତି ରାଜ୍ୟ ମୁଖ୍ୟ ରାହା ।

 

ତାହାଠାରୁ ବଳି            ଅନାବିଳ ସୁଖ

ନାହିଁ କିଛି ଭବେ ଆନ,

ପରାର୍ଥେ ସଂସାରେ            ଧରେ ଯେ ଜୀବନ

ସାର୍ଥ ଏକା ତାହା ପ୍ରାଣ ।

 

ରାଜାଙ୍କ ନିମନ୍ତେ            ରାଜ ପ୍ରାଣ ଖାଲି

ବିହି ସୃଷ୍ଟି କରି ନହିଁ,

ମଣି ପ୍ରଭା ସିନା            ନିଜ ପାଇଁ ମାତ୍ର

ଦୀପପ୍ରଭା ସର୍ବ ପାଇଁ ।

 

ରାଜ୍ୟ ରୂପେ ଗୃହେ            ନିବାସ କରନ୍ତି

ପ୍ରଜାପୁଞ୍ଜ-ପରିବାର,

ନୃପତି ଅଟନ୍ତି            ଗୃହକର୍ତ୍ତାରୂପୀ

ଚାଳକ ପାଳକ ତାର ।

 

ଏକାଳେ ପ୍ରବେଶ            ପୁରୋହିତ ସୁତ

ପୂରିଅଛି ମୁଖ ହାସେ,

ଉପବିଷ୍ଟ ହେଲେ            ନିର୍ଦ୍ଦିଷ୍ଟ ଆସନେ

ଯାଇ ଜୟଧ୍ୱଜ ପାଶେ ।

 

ପୁଚ୍ଛିଲେ ମନ୍ତ୍ରିଜ            କିପାଁ ସଖେ ଆଜି

ଆନନ୍ଦେ ପୂରିଛି ଚିତ୍ତ,

ସେ ବୋଲେ ଆନନ୍ଦ-            ସମ୍ୱାଦ ଶ୍ରବଣେ

କିଏ ନୁହେଁ ଆନନ୍ଦିତ ।

 

ବୋଲେ ଜୟଧ୍ୱଜ            ସେ ଆନନ୍ଦେ ପରା

ଏକା ତୁମ୍ଭ ଅଧିକାର,

ଉତ୍ତରିଲେ ସେହୁ            ତୁମ୍ଭେ ସିନା ସବୁ

ବାଣ୍ଟି ବୁଲ ଦ୍ୱାର ଦ୍ୱାର ।

 

ହସି ହସି ତହୁଁ            ଭାଷିଲେ ମନ୍ତ୍ରିଜ

ଏ ତ ଚିରନ୍ତନ ପ୍ରଥା,

ବଣ୍ଟାବଣ୍ଟି ଛଡ଼ା            ପୁରୋହିତଙ୍କର

ଥାଏ ନାହିଁ କିଛି କଥା ।

 

ସେ ବୋଲେ ପୁରୋଧା            ଉପକାର ଭଲା

କାହାର ନାହିଁ ବିଦିତ,

କମଳିନୀ ସହ            ରବିଙ୍କି ଖଞ୍ଜିଲା

ସିନା ଉଷା-ପୁରୋହିତ ।

 

ପୁରୋହିତ ରୂପେ            ପ୍ରାବୁଟ ସମ୍ପାଦେ

ଘନ କେକୀ ପରିଣୟ,

ତୁମ୍ଭେ ସୁଦ୍ଧା ସଖେ            ପୁରୋଧା କରଣୀ

ବୁଝିବ ଦିନେ ନିଶ୍ଚୟ ।

 

ଥାଉ ସେ ସମସ୍ୟା            ହେବ ଯଥାକାଳେ

ଚାକ୍ଷୁଷ ମୀମାଂସା ତାର,

ଏବେ ଯୁବରାଜ            ମଙ୍ଗଳ ପ୍ରସଙ୍ଗ

ଶୁଣ ହେ ମନ୍ତ୍ରିକୁମାର !

 

ରାଜନନ୍ଦନଙ୍କ            ବିବାହ ନିର୍ବାହେ

ବଳିଛି ନୃପତି ମନ,

ଫେରି ଆସିଲେଣି            ଜନକ ମୋହର

କରି ପାତ୍ରୀ ନିରୁପଣ ।

 

ରତ୍ନଗଡ଼ ଜେମା            କଳ୍ପଲତା ସହ

ଅଚିରେ ମଙ୍ଗଳକୃତ୍ୟ,

ଘଟିବ ଏକଥା            ଶୁଣି ମୋ ହୃଦୟେ

ବିସ୍ତାରିଛି ମୋଦନୃତ୍ୟ ।

 

ରୂପେ ଗୁଣେ ଭବେ            ଅନୁପମା କନ୍ୟା

ବୋଲି ବୋଲୁଥିଲେ ତାତ,

ମର୍ତ୍ତ୍ୟର କୁସମ            ନୁହେଁ ସେ ସୁନ୍ଦରୀ

ସ୍ୱର୍ଗଚ୍ୟୁତ ପାରିଜାତ ।

 

ସଙ୍ଗୀତ ସାହିତ୍ୟ            ରଚନାରେ ଅତି

ନିପୁଣା ନୃପତନୁଜା,

କାବ୍ୟ-ସୁକୁଶଳା-            ସଖୀ ସଙ୍ଗେ ସଦା

ଆଚରେ ଭାରତୀ ପୂଜା ।

 

କବି କବି ମେଳେ            ଉଠିବ ଏଣିକି

ଯେ ଗୁର ଗମ୍ଭୀର ଭାବ,

ବିଶ୍ୱଜନ ମନ            ରଞ୍ଜି ତଡ଼ିବ ସେ

ସାହିତ୍ୟ-କୋଷୁଁ ଅଭାବ ।

 

ପରସ୍ପରେ ଲଭି            ପରସ୍ପର ହୃଦେ

ଖେଳିବ ଆନନ୍ଦ ଢେଉ,

ଆନନ୍ଦ ସମ୍ୱାଦ            ଜଣାଇଲି ଏବେ

ପୁରସ୍କାର ଆଜ୍ଞା ହେଉ ।

 

ତହୁଁ ପୁଷ୍ପାକର            ବୋଇଲେ ହୋଇଣ

ହରଷ-ରସେ ଭ୍ରସଳ,

ଆନ୍ଦର ସିନା            ଯୋଗ୍ୟ ପୁରସ୍କାର

ସେହି ଆନନ୍ଦ କେବଳ ।

 

ଆନନ୍ଦ ସ୍ୱର୍ଗୀୟ,            ତେଣୁ ତାହା ଏକା

ପ୍ରକୃତ ପାରିତୋଷିକ,

ନରକର ଦୂତ            ପାର୍ଥିବ ସମ୍ପଦ

ତାହାଠାରେ ଶତ ଧିକ ।

 

ପୁରସ୍କାରରୂପେ            ଆନନ୍ଦ ଆସନେ

ଅର୍ଥ ବସାଏ ଯେ ଜନ,

ଲୋଭୀ ସ୍ୱାର୍ଥପର            ବ୍ୟତୀତ କି ଅଛି

ତାର ଯୋଗ୍ୟ ବିଶେଷଣ ।

 

ସହାସ୍ୟେ ଭାଷିଲେ            ପୁରୋହିତପୁତ୍ର

ଲୋଡ଼ା ନାହିଁ କିଛି ବୀର,

ପାଇ ମୁଁ ସନ୍ତୁଷ୍ଟ            ଯୋଗ୍ୟ ପୁରସ୍କାର

ଏ କବି-ଚାତୁରୀ ଗିର ।

 

ଏଥୁଅନ୍ତେ ସର୍ବେ            ମେଲାଣି ଘେନିଣ

ସ୍ୱଗୃହେ କଲେ ଗମନ,

ପହଡ଼-ମନ୍ଦିରେ            ବିଜେ ହେଲେ ତହୁଁ

ଏକାକୀ ନୃପ-ନନ୍ଦନ ।

 

ହେଲା ନାହିଁ ନିଦ୍ରା            ରହିଲେ ଜାଗ୍ରତେ

ପଲ୍ୟଙ୍କ-ଅଙ୍କେ ଶାୟିତ,

ଅପ୍ରତ୍ୟାଶୀ ପୂର୍ବ            ଭାବାବେଶେ ହୃଦ-

ସିନ୍ଧୁ ହେଲା ଉତେଜିତ ।

 

ଆନନ୍ଦ-ନନ୍ଦିନୀ            ଦୁର୍ବାର ଉତ୍କଣ୍ଠା

କରେ ଯା ହୃଦୟେ ଘର,

ନିଦ୍ରାଦେବୀ ଖରେ            ନିକଟୁ ତାହାର

ଘେନନ୍ତି ଛାଡ଼ପତର ।

 

ଭାବୀ ବାନ୍ଧବୀର            ବାଣୀ ଆରାଧନା

କରିବା ବେଳୁ ଶ୍ରବଣ,

ଅଲକ୍ଷ୍ୟେ ତାହାର            ବିଶ୍ରମ୍ଭ-ଚୁମ୍ୱକ

ଆକର୍ଷୁଛି ପ୍ରାଣ ମନ ।

 

କଳ୍ପନା ସେବକ            କଳ୍ପ-ତୂଳିକାକୁ

ସଂକଳ୍ପ-ରଙ୍ଗରେ ଦ୍ରବି,

ଆଙ୍କିଗଲେ କତେ            ସଂକଳ୍ପ ସୁଖର

ସୁନ୍ଦର ସଂକଳ୍ପ ଛବି ।

 

ଭାଳିଲେ କୁମାର            ନୃପତି-ନନ୍ଦିନୀ

ହେଲେ ମୋ ପ୍ରାଣସଙ୍ଗିନୀ,

ଚିରାଭିଳଷିତ            ସାହିତ୍ୟ ସେବାରେ

କ୍ଷେପିବି ଦିବାଯାମିନୀ ।

 

ଧର୍ମ ଅଚରଣେ            ସହକାରିଣୀ ସେ

ହେବ ମୋର ଅବିରତ,

ବିନା ସାଧନାରେ            ସ୍ୱର୍ଗସୁଖ ଆସି

ମର୍ତ୍ତ୍ୟେ ହେବ କରଗତ ।

 

ଜାଣିଲି ନିଶ୍ଚୟ            ସୌଭାଗ୍ୟ ଦେବତା

ସୁପ୍ରସନ୍ନ ମୋହ ପ୍ରତି,

ସୁଲଭ କି ପୂର୍ବ-            ସୁକୃତ ନ ଥିଲେ

ମନୋମତା ପ୍ରିୟବତୀ ।

 

ଏଣେ ନିରନ୍ତର            ନଗର ମଣ୍ଡନେ

ରତ ନାଗରିକ ବାର,

ମାନବ ମଲାଙ୍ଗ            ଭଣ୍ଡ ସାଧୁକନ୍ଧେ

ବିନ୍ୟାସି ଆଳସ୍ୟଭାର ।

 

ବହୁଛି ଆନନ୍ଦ-            ଜାହ୍ନବୀ ପ୍ରବାହ

ସ୍ଥଳକୂଳ ତାର ନାହିଁ

ପଶିଛି ଶରଣ            ନିରାନନ୍ଦ ରୋଗୀ

ଅସନ୍ତୋଷୀ ପଦେ ଯାଇଁ ।

 

ଅଟ୍ଟାଳିକା ଚୂଳେ            ସ୍ଥାପୁଅଛି କେହି

କଳସ ଶୁଭ ଶକୁନ,

ଦେଉଳ ମନ୍ଦିର            ଭିତ୍ତିରେ କେହି ବା

ବିଲେପୁଅଛନ୍ତି ଚୂନ ।

 

ଲାଗିଅଛି କେହୁ            ସରଣୀ ସଂସ୍କାରେ

କେ ଅବା ପୁର ସଂସ୍କାରେ,

ଅସଂଖ୍ୟ ବେଠିଆ            ବହୁଛନ୍ତି ଦ୍ରବ୍ୟ

ଗନ୍ତାଘରେ ବୋଝେ ଭାରେ ।

 

ପାଇକମଣ୍ଡଳୀ            ଘଷି ଇଟାଗୁଣ୍ଡା

ନିର୍ମଳନ୍ତି ଫରି ଖଣ୍ଡା,

କେହି କଟି କଛେ            କିଙ୍କିଣୀ କିଣିଣ

ଗଣୁଅଛି ଗଣ୍ଡା ଗଣ୍ଡା ।

 

ବିପଣି ବୁଲିଣ            ନବ ପରିଚ୍ଛଦ

କିଣନ୍ତି ବିଭବଶାଳୀ

କେତେ ଦୀନହୀନ            ଜୀର୍ଣ୍ଣ ଅଙ୍ଗୀ ପରେ

ପକାଉଅଛନ୍ତି ତାଳି ।

 

ଚାନ୍ଦିନୀ ଉପରେ            ବସି ବିପ୍ରମାନେ

ଭିଡ଼ନ୍ତି ହାବେଳୀ ବାଣ,

ସୋଲ ଫୁଲ ଝାଡ଼ି            କାହିଁ ବା ବାଳୀଏ

କରନ୍ତି ମିଳି ନିର୍ମାଣ ।

 

ଦନ୍ତାଳି ଓଟାରି            ଶିଖାଉଅଛନ୍ତି

ଅଶ୍ୱସାଦୀ ଅଶ୍ୱେ ନାଚ,

ଗବାକ୍ଷ କବାଟେ            ଖଞ୍ଜୁଅଛି କେହି

ବିବିଧ ବର୍ଣ୍ଣର କାଚ ।

 

ଚାଟ ପିଲା ପ୍ରାୟ            ଭାଟେ ରାୟବାର

ଘୋଷୁଛନ୍ତି ଉଚ୍ଚସ୍ୱରେ,

ନଅର ସମ୍ମୁଖେ            ବିବାହ ମଣ୍ଡପ

ମଣ୍ଡୁଛନ୍ତି ସୁତ୍ରଧରେ ।

 

ଫେରି ଆସିଲେଣି            ଲଗ୍ନ ସ୍ଥିର କରି

ପାଟ ଜଉତିଷ ଯାଇ,

ସେ ଶୁଭ ବାସର            ଭେଟିବାକୁ ଆଉ

ଅଧିକ ବିଳମ୍ୱ ନାହିଁ ।

 

ଯେତିକି ନିକଟ            ହୋଇ ଆସୁଥିଲା

ମଙ୍ଗଳ ବିଭା ଦିବସ,

ବୃଦ୍ଧି ଲଭୁଥିଲା            ତେତିକି ସଭିଙ୍କ

ଉତ୍ସାହ ପୁଣି ହରଷ ।

 

ଉତ୍ସବୋପଲକ୍ଷେ            ବହିଛନ୍ତି ସର୍ବେ

ଭବିଷ୍ୟ ସ୍ୱାର୍ଥ ପିପାସା,

କା’ ଇଚ୍ଛା ଭୋଜ            ନେକାହାର ଦର୍ଶନେ

କାର ପୁରସ୍କାରେ ଆଶା ।

 

ଶତମୁଖୀ ହୋଇ            ବହୁଛି ନଗରେ

ପ୍ରଖରେ ଲାଲସା-ନଦୀ,

ତ୍ୟାଗୀ ନେତ୍ରେ ଯାହା            ବିଷ-ତରଙ୍ଗିଣୀ

ଲୋଭି ନେତ୍ରେ ବିଷ୍ଣୁ ପଦୀ ।

 

ଅପରାଧୀନରେ            ଭାବିଲେ ନିଶ୍ଚୟ

ଖଣ୍ଡିବ ଆମ୍ଭ ଦୁର୍ଦ୍ଦଶା,

ଋଣୀଏ ଋଣରୁ            ମୁକ୍ତ ହେବା ପାଇଁ

ବାନ୍ଧିଲେ ମନେ ଭରସା ।

 

ଆଶା-ଦରପଣେ            ଦେଖୁଛନ୍ତି ଭାବି-

ସୁଖ ପ୍ରତିବିମ୍ୱ ନରେ,

ପ୍ରଲୋଭନ-ଗ୍ରନ୍ଥ            ଫିଟିଥୁଆ ଆହୋ

ସମସ୍ତଙ୍କ ସମ୍ମୁଖରେ ।

 

କେ ଭାବେ ନିଶ୍ଚୟ            ଅଛି ମୋ ଭାଗ୍ୟରେ

ଗୌରଭଗର୍ଭ ପଦବୀ,

କୁଣ୍ଡଳ କଟକ            ପଟ୍ଟବସ୍ତ୍ର ଲାଭ

ଭାବିଲେ ପଣ୍ଡିତ କବି ।

 

ଏହିପରି ଆଶା-            ଆନନ୍ଦ-ମୋଦକେ

ହୋଇଛନ୍ତି ସର୍ବେ ମତ୍ତ,

ମାତ୍ର କିଏ ଜାଣେ            ହେବ ସେ ଆନନ୍ଦ

ନିରାନନ୍ଦେ ପରିଣତ ।

 

କିଏ ଜାଣିଥିଲା            ଏ ସୁଖ ପୀୟୁଷ

ହେବ ଶେଷେ ଆହା ବିଷ,

ବାରିଗର୍ଭ ଘନ            ଶୀତଳ ଗରଭେ

ପ୍ରଚ୍ଛନ୍ନେ ଅଛି କୁଳିଶ !

 

କାହାକୁ ବା ଜଣା            ଏ ଆସନ୍ନ ସୁଖ

ଏଡ଼େ ବଡ଼ ଦଗାଦାର,

ଲୁଚାଇଣ ଥିଲା            ପୃଷ୍ଠ ଅନ୍ତରାଳେ

ଦାରୁଣ ଦୁଃଖ-କୁଠାର !

 

ବିବାହ ଉତ୍ସବ            ଦଶଦିନ ପୂର୍ବେ

ରତ୍ନଗଡ଼ ନରପତି,

ଖଳକୁଟେ ଭୁଲି            ମଙ୍ଗଳ ନିର୍ବନ୍ଧେ

ପ୍ରକାଶିଲେ ଅସମ୍ମତି ।

 

ଖଳର ଅସାଧ୍ୟ            କି ଅଛି, ସେ ସର୍ବ

ଅବିଗୁଣର ଆଧାର,

ପଣ୍ୟ ବିନା ସୁଦ୍ଧା            ଖୋଲିପାରେ ସେହୁ

ସହସ୍ର ଶତ ବେପାର ।

 

ସର୍ପଠାରୁ ବଳି            ଖଳ ଉଗ୍ର ତାହା

ପାରୁଁ କେ ଲଭିବ ତ୍ରାହି,

ମନ୍ତ୍ରୌଷଧି ବଳେ            ବଶ ହୁଏ ସର୍ପ

ଖଳର ଔଷଧି ନାହିଁ ।

 

ତୀବ୍ର ବିଷଦିଗ୍ଧ            କଳ୍ପନା ତାହାର

ସର୍ବ ଉପଦ୍ରବ ମୂଳ,

ଥାଉ ଆନ କଥା            ତୋଳି ପାରେ ଖଳ

ଆକାଶୁ ଅଦ୍ଭୁତ ଫୁଲ ।

 

ପୁଣି କରିପାରେ            ତିଳକୁ ତାଳ ସେ

ବିନ୍ଦୁକୁ ଅଗାଧ ସିନ୍ଧୁ,

ଉଆଁସ ରାତିରେ            ଉଦୟ କରାଏ

ପୌର୍ଣ୍ଣମାସୀ ପୂର୍ଣ୍ଣଇନ୍ଦୁ ।

 

ଖଳ ଲୋକେ ମିଳି            ଜଣାମଣା କଲେ

ରତ୍ନଗଡ଼ ନରବରେ,

ଭ୍ରମେ ପଡ଼ି ସିନା            କରୁଛନ୍ତି ଛାମୁ

କନ୍ୟାଦାନ ଅପାତ୍ରରେ ।

 

ମାୟାବୀ ପୁରୋଧା            ଭୁଲାଇଲା ପଢ଼ି

ପ୍ରତାରଣା-ଭାଗବତ,

ତାହାରି କୁହୁକେ            ବିମୋହିତ ହୋଇ

ମିଛେ ମଣିଛନ୍ତି ସତ ।

 

କିଏ ଜାଣେ ନାହିଁ            ଭଲା ପୁଷ୍ପାକର

କୁରୂପ ବଧିର ହୁଣ୍ଡା,

ଜଡ଼ଭୂତ ହୋଇ            ବସିଥାଏ କରି

ସତତ ମୁହ କୁଷୁଣ୍ଡା ।

 

ଏଡ଼େ ଅଲକ୍ଷଣ            ରାଜପୁତ୍ର କାହିଁ

ରାଜକୁଳେ ଦେଖା ନାହିଁ,

ବାନର-ବକ୍ଷରେ            ଗଜମୋତି ହାର

ନି ଦିଅ ରାଏ ଲମ୍ବାଇ ।

ଜେମାକୁ ତା କରେ            ସମର୍ପଣେ କେବେ

ନ ବଳାନ୍ତୁ ଆଉ ଚିତ୍ତ,

ଗନ୍ଧ-ଗୋହିରାକୁ *            ସୌମ୍ୟ କୁଞ୍ଜଲତା

ଉଠାଇବା ଅନୁଚିତ ।

* ଦୁର୍ଗନ୍ଧ ପାଣ୍ଡୁର ବର୍ଣ୍ଣର ବୁକ୍ଷବିଶେଷ ।

ଅଶୋଭନ ସିନା            ପାଟଡ଼ୋର ସହ

ଝୋଟ ଡ଼ୋରେ ଦେବା ଗଣ୍ଠି,

ହେବ କି ସଙ୍ଗତ            ଗୁନ୍ଥିଲେ ରାଜନ

ଗୁଞ୍ଜ ସଙ୍ଗେ ସୁନାକଣ୍ଠି ।

ସଂସ୍କୃତ ଶ୍ଲୋକର            ପାଦ ପୂର୍ଣ୍ଣ କଲେ

ଅର୍ଥହୀନ ଗ୍ରାମ୍ୟ ଗୀତେ,

ଗୁରୁ ଚଣ୍ଡାଳର            ସଂଯୋଗ ବୋଲିଣ

ବୋଲନ୍ତି ତାକୁ ପଣ୍ଡିତେ ।

 

ତୁଟି ନ ପାରିଣ            କୁଟିଳ ଖଳର

ସୁଦୃଢ଼ ରହସ୍ୟ-ବନ୍ଧ,

କୋଷ୍ଠି ଅମେଳର            ଛଳ କରି ଭୁପ

ଦେଲେକ ଭାଙ୍ଗି ନିର୍ବନ୍ଧ ।

 

ଏ ଦାରୁଣ ବାର୍ତ୍ତା            ଶୁଣି ପଦ୍ମପୁର-

ନୃପତି ହେଲେ ହତାଶ,

ଅନ୍ତଃପୂରେ ସୁଦ୍ଧା            ସବେଗେ ବହିଲା

ହତାଶାରୂପୀ ବତାସ ।

 

ଗଡ଼ବାସୀ ହୃଦେ            ବଢ଼ୁଥିଲା ଯେଉଁ

ଉତ୍ସାହ ଜୁଆର ଘଟା,

କେଡ଼େ ବେଗେ ଆହା            ପଡ଼ିଗଲା ତହିଁ

ଘଡିକେ ଭୀଷଣ ଭଟା ।

 

ନୈରାଶ୍ୟ-ପିଶାଚ            ଆରମ୍ଭିଲା ତାଙ୍କ

ହୃଦୟେ ତାଣ୍ଡବ ନୃତ୍ୟ,

ସମସ୍ତଙ୍କ ମୁଖ            ବିଷାଦ-ବିବର୍ଣ୍ଣ

କି ସାମନ୍ତ କିବା ଭୃତ୍ୟ ।

 

ବୀର ପୁଷ୍ପାକର            ଯଥାକାଳେ ଏହି

ଦୁଃସମ୍ବାଦ ହୋଇ ଶ୍ରୁତ,

ଦୁଃଖିତ କେବଳ            ହେଲେ ମାତ୍ର ସିନା

ହେଲେ ନାହିଁ ଧୈର୍ଯ୍ୟଚ୍ୟୁତ ।

 

ସମୀର ହିଲ୍ଲୋଳେ            ହୁଅନ୍ତି ବେଲ୍ଲିତ

ବିଟପୀ ବଲ୍ଲରୀଦଳ,

ମାତ୍ର ପ୍ରଭଞ୍ଜନେ             ହୁଏ ନାହିଁ ସୁଦ୍ଧା

ଗିରିଚୂଡ଼ା ଟଳମଳ ।

 

ସପ୍ତମ ସର୍ଗ

 

ଏଥୁ ଅନନ୍ତରେ            ଜେମା ରୂପ ଧରି

ନିଶୀଥେ ନିୟତି ରାଣୀ,

ସ୍ୱପନେ କୁମାରେ            ଆହ୍ୱାନି ବୋଲିଲେ

କୋମଳ ମଧୁର ବାଣୀ ।

 

‘‘ଶୁଣ ହେ ସୁନ୍ଦର            ମୋ ପରିଚୟ ମୁଁ

ଧରେ କଳ୍ପଲତା ନାମ,

ଜନକ ମୋହର            ରତ୍ନଗଡ଼-ପତି

ନିଖିଳ ଗୁଣାଭିରାମ ।

 

ମହେନ୍ଦ୍ର-ମେଖଳେ            କୁନ୍ତୀ ଦେବାଳୟେ

ପଢ଼ି ମୁଁ ତୁମ୍ଭ କବିତା,

ସେଦିନୁ ହୋଇଛି            ବଳେ ବଳେ ତବ

ପୟରେ ଚିର-ବିତ୍ରୀତା ।

 

ସେହି କବିତାରୁ            ତବ ପୁଣ୍ୟ ମୂର୍ତ୍ତି

ଗଢ଼ିନେି ସଂକଳ୍ପରେ,

ସଂକଳ୍ପୋପଚାରେ            ପୂଜୁଅଛି ନିତି

ଶ୍ରଦ୍ଧା ପ୍ରୀତି ଭକ୍ତିଭରେ ।

 

ମୋହୋ ବିଚାରରେ      ପ୍ରାପ୍ତିଠାରୁ ପ୍ରାପ୍ତି-

ଆଶାରେ ସୁଖ ପ୍ରଚୁର,

ହେଉ ପଛେ ତୁଛା            ଆଶା-ମୋଦକ ସେ

ମାତ୍ର ତା’ ବଡ଼ ମଧୁର ।

 

ବାସ୍ତବେ ସଂକଳ୍ପ            ସୁଖ ଅପାର୍ଥିବ

ଖୋଜେ ନାହିଁ ତାହା କାର୍ଯ୍ୟେ,

ବୁଝେ ତାର ମୂଲ            ସେହୁ ସିନା ଯେହୁ

ଭ୍ରମିଛି ସଂକଳ୍ପ-ରାଜ୍ୟେ ।

 

ଆଶା ଆତୁରତା            ବେଗେ କରେ ସେହି

ସଂକଳ୍ପ ସୁଖେ ଆହ୍ୱାନ

ତହୁଁ ସେ ହୃଦୟେ            କରେ ଅଧିଷ୍ଠାନ

ଆରୋହି ସଂକଳ୍ପ-ଯାନ ।

 

କିସ ନିବେଦିବି            ସ୍ୱଭାବେ ଅବଳା

ବୁଦ୍ଧି ମୋ ଅତି ଦୁର୍ବଳ,

ସୁଧାପାୟୀଠାରେ            ସୁଧାର ପ୍ରଶଂସା

ବାହୁଲ୍ୟ ସିନା କେବଳ ।

 

ଏସନେ ସଂକଳ୍ପ            ସୁଖ ଭୁଞ୍ଜୁଥିଲି

ଆଚରି ସଂକଳ୍ପ-ବ୍ରତ,

ମାତ୍ର ସେ ସଂକଳ୍ପ            ହେବାକୁ ବସିଲା

ପ୍ରକୃତରେ ପରିଣତ ।

 

ଶୁଣିଲି ଯେ ଦିନ            ତବ ପୁତପଦେ

ଅର୍ପିବେ ମୋତେ ଜନକ,

ଭାବିଲି ପ୍ରାୟଶଃ            ସଦିଚ୍ଛା ସଂସାରେ

ହୁଏ ନାହିଁ ନିରର୍ଥକ ।

 

ମାତ୍ର କାଳଚକ୍ର            ସନ୍ଦେହ ମୀମଂସା

କଲା ଖରେ ଘୂରି ଆସି,

ତବ କରେ ପିତା            ଅର୍ପିବାକୁ ମୋତେ

ଅମତ’ ଛନ୍ତି ପ୍ରକାଶି ।

 

ଶୁଣିଲା ବେଳୁଏ            ଦାରୁଣ ସମ୍ବାଦ

ବିଷାଦ ନୈରାଶ୍ୟମୟ,

ଯେ ଯାପନାନକ            ଜଳୁଛି ହୃଦେ ତା

କି କହିବି ସଦାଶୟ !

 

ନିନ୍ଦା ଅପବାଦ            ପ୍ରସୂତି ଯଦ୍ୟପି

ନୁହନ୍ତି ସ୍ୱେଚ୍ଛାଚାରିତା,

କି ଚାରା ମୋ ହୃଦେ      ସାହସି ପଶନ୍ତା

ଛାର ଏ ବେଦନା-ଚିତା ।

 

ଗୁରୁଦ୍ରୋହୀ ହେବି             ଚଳିଲେ ସ୍ୱତନ୍ତ୍ରେ

ପିତୃଇଚ୍ଛା ପ୍ରତିକୂଳେ,

ବରପୂର୍ବା ହୋଇ            ଅନ୍ୟଥା ନାଶିବି

ସତୀତ୍ୱ-ଧନେ ସମ୍ବୁଳେ ।

 

ଉଭୟ ସଙ୍କଟେ            ପଡ଼ି କିଂକର୍ତ୍ତବ୍ୟ

ପାରୁ ନାହିଁ ସ୍ଥିର କରି,

ହେଉଅଛି ଛଟ-            ପଟ ନାଗସାପ

ଛୁଚୁନ୍ଦ୍ରା ଧରିଲା ପରି । *

 

ପିତୃଇଚ୍ଛା, ନାରୀ-            ଧର୍ମ ଲଙ୍ଘିବାକୁ

ବହକ ତ ଖଟୁ ନାହିଁ,

ଜାଣୁ ଜାଣୁ ଅହୋ            ଏଡ଼େ ମହାପାପ

ଅରଜିବି କାହିଁ ପାଇଁ ?

 

ମରିବିତ ଦିନେ            ଆଜି ଜାଣି ଆସି

ପହଞ୍ଚିଲା ସେ ସମୟ,

ଏହା ଭାବି ମୁହିଁ            ଦେହ ବିସର୍ଜନେ

ହୋଇଛି କୃତନିଶ୍ଚୟ ।

 

ବରିଛି ତୁମ୍ଭଙ୍କୁ            ମନେ ମନେ ପୂର୍ବେ

ଧର୍ମତଃ ତୁମ୍ଭେ ମୋ ପତି

ଘେନିବାକୁ ତେଣୁ            ଅନ୍ତିମ ବିଦାୟ

ଉପସ୍ଥିତ ତୁମ୍ଭ କଳି ।

* ନାଗ ସାପ ଛୁଚୁନ୍ଦ୍ରା ଧରି ଖାଇଦେଲେ ମରିଯାଏ କିମ୍ବା ନ ଖାଇ ଛାଡ଼ିଦେଲେ ଅନ୍ଧ ହୋଇଯାଏ । ସୁତରାଂ ଉଭୟ ଦିଗରେ ସଙ୍କଟ ।

 

ଯୋଗବିଦ୍ୟାବଳେ            ଆସିଲି ଏ ସ୍ଥଳେ

ଭେଦି ନିଶା ବିଭୀଷିକା,

ଘେନୁଛି ବିଦାୟ            ଶ୍ରୀଚରଣୁ ଏବେ

ଏ କିଣା ପାଦ-ସେବିକା ।’’

 

ଏହା ଭାଷି ଛଦ୍ମ-            ରୁପିଣୀ ନିୟତି

ଯୋଡ଼ି ବଳୟିତ କର,

ପୁଷ୍ପାକରେ ନମି            ପ୍ରଦକ୍ଷିଣ କରି

ଉଭେଇଗଲା ସତ୍ୱର ।

 

ଭାଙ୍ଗି ଯାନ୍ତେ ନିଦ୍ରା            ଉଠି ବସି ଖଟେ

ନିଶାନ୍ତେ ରାଜନନ୍ଦନ,

ଦୃଷ୍ଟପୂର୍ବ ସ୍ୱପ୍ନ-            ବୃତ୍ତାନ୍ତ ସମ୍ବନ୍ଧେ

କଲେ କେତେ ଆନ୍ଦୋଳନ ।

 

ଘଟିଲା ପହିଲେ            ସ୍ୱୀୟ ମନ ପ୍ରତି

ଅବିଶ୍ୱାସ ସମ୍ପୂର୍ଣ୍ଣତଃ,

ସେ କହିଲା ସ୍ୱପ୍ନ,            ମାତ୍ର ଯୁବରାଜ

ମଣିଲେ ଘଟଣା ସତ ।

 

ଭାବିଲେ ଏ ନୁହେଁ            ଭ୍ରାନ୍ତି-ବିଳାସିନୀ

ସ୍ୱପନ ଦେବୀ ଛଳନା,

ନିଶ୍ଚେ ଯୋଗବଳେ            ଆସିଥିଲା ଏଥେ

ଛଇଳା ନବ ରତନା ।

 

ଶୁଣିଥିଲି ତ ସେ            ଆୟତ୍ତ କରିଛି

ସକଳ ବିଦ୍ୟା ବିଭବ,

ଯୋଗଶାସ୍ତ୍ର ଶିକ୍ଷା            ହେବ ବା କିପାଇଁ

ତାହା ପକ୍ଷେ ଅସମ୍ଭବ ।

 

କାହୁଁ ସେ ଜାଣିଲା            କୁନ୍ତୀ ଦେବାଳୟେ

ଲେଖିଛି ମୁହିଁ କବିତା,

ପ୍ରତେ ହୁଏ ଏଣୁ            ଯୋଗ ମହାବିଦ୍ୟା

ସାଧିଛି ନିଶ୍ଚେ ଲଳିତା ।

 

ନୋହିଲେ କି ଗଣ୍ଡ            ନେତ୍ର ଭାଲ ଏଡ଼େ

ଦିଶନ୍ତା ଜାଜ୍ଜ୍ୱଲ୍ୟମାନ,

ଦେବୀ ପ୍ରାୟ ପୁଣି            ଝିମିଟ ମଧ୍ୟରେ

ଲଭନ୍ତା କି ଅନ୍ତର୍ଦ୍ଧାନ ।

 

ଶୁଣିଥିଲି ଯାହା            ଜନଶ୍ରୁତି ସୁତ୍ରେ

ଦେଖିଲି ତହୁଁ ଅଧିକ,

ରୂପେ ଗୁଣେ ବାଳା            ରୁପଗୁଣଭୂଷା

ଏ କଥା ନୁହେଁ ଅଳୀକ ।

 

ଏ ଲାବଣ୍ୟ-ଲୀଳା            ସୁଶୀଳାମଣିକି

ଭାଗ୍ୟଫଳେ ଅଙ୍କେ ବହି,

ଏତେ ଦିନ ପରେ            ସାର୍ଥ କଲେ ସିନା

ବସୁନ୍ଧରା ନାମେ ମହୀ ।

 

ମୋହଲାଗି ଯେବେ            ପ୍ରାଣ ହରାଇବ

କରିଅଛି ଟାଣପଣ,

ହେବି ତେବେ ମୁହିଁ            ରାଜ-ତନୟାର

ମୃତ୍ୟୁର ମୂଳକାରଣ ।

 

ଅତଏବ ଯାଇ            ରତ୍ନଗଡ଼େ ମୁହିଁ

ଭିଆଇ ନାନା ଉପାୟ

ରାଜନନ୍ଦିନୀର            ସଂକଳ୍ପ ପଥରେ

ଘଟାଇବି ଅନ୍ତରାୟ ।

 

ଏସନ ବିଚାରି            ବୀର ପୁଷ୍ପାକର

ଅଶ୍ୱେ ଚଢ଼ି ପ୍ରାତଃକାଳେ,

ସଂଗୋପନ ଭାବେ            ବାହାରିଲେ ପୁରୁ

ସଙ୍ଗେ ଘେନି ଅଶ୍ୱପାଳେ ।

 

ବାରୁଣୀ-ତୋରଣେ            ଦେବ ବିକର୍ତ୍ତନ

ପ୍ରବେଶିଲେ ହସି ହସି,

ପ୍ରକୃତି ନିକ୍ଷପ୍ତ            ହେମ କନ୍ଦୁକ କି

ଆସିଲା ତଳକୁ ଖସି ?

 

କିମ୍ବା ଦିବା-ନୃପ            ରାଜକାର୍ଯ୍ୟ ଶେଷେ

ଅସ୍ତଗିରି-ଗନ୍ତାଘରେ,

ରବିରୁପ ରାଜ-            ମକୁଟ ମସ୍ତକୁ

ଉତ୍ତାରି ରଖିଲେ ଖରେ ।

 

ବଧୁଲୀ-ପାଟଳା            ଗୋଧୁଳି ଆସିଲା

ତ୍ରିଦିବ ବିଭବ ଘେନି,

ସନ୍ଧ୍ୟା ଅବତୀର୍ଣ୍ଣ            ସକାଶେ ସୃଜିଲା

ପ୍ରବାଳ ପାବଚ୍ଛଶ୍ରେଣୀ ।

 

ଚୌଦିଗୁ ଶୁଭିଲା            ଭଦ୍ରନାମା ଥଣ୍ଟ-

କୁଠାର ଆଘାତ ସ୍ୱର,

ଜଣାଇଦେଲା କି            ସନ୍ଧ୍ୟାଗ୍ରମ ପକ୍ଷୀ

ନାଗରା ପିଟି ସତ୍ୱର ?

 

ବେଳ ବୁଡ଼ିଲାଣି            ବାଣି ସାତଭାୟା

ବିଶ୍ରାମିଲେ ବଂଶବନେ,

ଚିର କଳିପ୍ରିୟା            କଳିହୁଡ଼ୀ ନୀଡ଼େ

ରଟିଲା ଉଚ୍ଚେ ସଘନେ ।

 

ପଶ୍ଚିମାଭିମୁଖେ            ଉଡ଼ିଗଲେ କାକେ

ରାବି ରାବି ପନ୍ତି ପନ୍ତି,

ଉଡ଼େ କି ରଜନୀ-            ରାଣୀଙ୍କ ଅସିତ

ବିଜୟ ବଇଜୟନ୍ତୀ ?

 

ଆନ ଖଗବର୍ଗ            ରାବି ରାବି ସୃଷ୍ଟି

ପୂର୍ଣ୍ଣ କଲେ କୋଳାହଳେ,

ଦ୍ୱିଜ ନାମ ହେତୁ            ସନ୍ଧ୍ୟା ବନ୍ଦନା ବା

ଆବୃତ୍ତି କଲେ ସକଳେ ।

 

କେବଳ ନୀରବ            ଚକୋର ଦମ୍ପତି

ଛିନ୍ନତାର ବୀଣା ପରି,

ଆସନ୍ନ ବିପଦେ            ନିରେଖି ତାଙ୍କର

ବାକ୍ୟ ବୁଦ୍ଧି ଗଲା ହରି ।

 

ଗୋରୁଯୂଥ ଘେନି            ଗ୍ରାମେ ବାହୁଡ଼ିଲେ

ରଖୁଆଳ ପିଲାଗଣ,

ଗ୍ରାମ୍ୟ ଗୀତ ଗାଇ            କନ୍ଧେ ହସ୍ତେ ଧରି

ବରଡ଼ା-ଛତା ପାଞ୍ଚଣ ।

 

ଚାହୁଁ ଚାହୁଁ ନଭେ            ଉଠିଲାକ ଫୁଟି

ସାନ୍ଧ୍ୟତାରା ଦୀପ୍ତିମତୀ,

ସ୍ୱର୍ଣ୍ଣ-ଦୀପ ଧରି            ସାୟାହ୍ନେ ବାରୁଣୀ

କରେ କି ପ୍ରୀତି-ଆରତି ?

 

ସେ ସଙ୍କେତ ଦେଖି            କୁଳବାଳାକୁଳ

ତୁଳସୀ-ଚଉ ରା ପାଶେ,

ଜାଳି ସନ୍ଧ୍ୟାବତୀ            ବିହିଲେ ପ୍ରଣତି

ବୃନ୍ଦାବତୀ ତୁଷ୍ଟି ଆଶେ ।

 

ବାଜିଲା ମଧୁରେ            ଗ୍ରାମେ ପ୍ରତିଘରେ

ସନ୍ଧ୍ୟା ଆଗମନୀ ଶଙ୍ଖ,

ଗୋଟି ଗୋଟି ହୋଇ      କୋଟି କୋଟି ତାରା

ଛାଇଲେ ଆକାଶ-ଅଙ୍କ ।

 

ବହୁ ନେତ୍ର ଫେଡ଼ି            ରଜନୀ ସମ୍ରାଜ୍ଞୀ

ଚାହିଁଲେ ସ୍ୱରାଜ୍ୟେ ଅବା,

କିମ୍ବା ବସିଗଲା            ଅନମ୍ବର ଦେଶେ

ପୁଣ୍ୟାତ୍ମାଙ୍କ ଧର୍ମସଭା ।

 

କିବା ଦେବେ ନର            ପାର୍ଥିବ ବେଭାର

ଦେଖି ହସୁଛନ୍ତି ବସି,

ତାରାବ୍ୟାଜେ ତାଙ୍କ            ଅଂଶୁଳ ଦଶନୁ

ଉଠୁଛି ଶୋଭା ବିକଶି ।

 

ଶିରୀଷାଦି ବହୁ-            ଶୀର୍ଷପତ୍ର ତରୁ

ମୁଦିଲେ ପତ୍ର-ନୟନ,

ରଜନୀ ଆଗତ            ଜାଣି କି ସକଳେ

ଆଶ୍ରିଲେ ସୁଖ ଶୟନ ?

 

ନିଶା ସଙ୍ଗେ କଲେ            ସ୍ୱାଗତ ସମ୍ଭାଷ

କୌଶିକୀ ସହ କୌଶିକ,

ଗୁପ୍ତ ସ୍ଥାନ ତେଜି            ରାତ୍ରିଚର ଜୀବେ

ଭ୍ରମିଲେ ହୋଇ ନିର୍ଭୀକ ।

ରୋଗୀ ସ୍କନ୍ଧେ * ପୁଣି      କମଳିନୀ ସ୍କନ୍ଧେ

ଥୋଇ ନିଜ ଦୁଃଖଭାର,

ହସିଲା କୁମୁଦ            ବିଧୁ-ବିନୋଦିନୀ

ଉଜ୍ଜ୍ୱଳି ନୀର, କାସାର ।

* ରାତ୍ରରେ ରୋଗୀର ରୋଗଯନ୍ତ୍ରଣା ଅଧିକ ହୁଏ ।

ଘଡିକ ପୂର୍ବେ ଯେ            କାନ୍ଦୁଥିଲା ଅହୋ

ଦୁର୍ଭାର-ଦୁଃଖ-କବଳେ,

କେଡ଼େ ବେଗେ ତାକୁ      ଦେଲାକ ହସାଇ

ନିୟତି କି ମନ୍ତ୍ରବଳେ !

ନିୟତି କନ୍ଦାଏ            ନିୟତି ହସାଏ

ବ୍ରତ ତାର କନ୍ଦାହସା ।

କରିପାରେ ସେହୁ            ଉପଳେ ଅଚଳ

ମତ୍ତ ମତଙ୍ଗଜେ ମଶା ।

 

ହସିବା କେବଳ            କ୍ଷଣସ୍ଥାୟୀ, ତେବେ

ହସିବାରେ କେଉଁ ସୁଖ,

ଆଜୀବନ ବସି            କାନ୍ଦୁଥିଲେ ଅବା

ଖଣ୍ଡିପାରେ ଭବ-ଦୁଃଖ ।

 

ଆସିବା ସମୟେ            କାନ୍ଦେ ଜୀବ ପୁଣି

ଯିବାକାଳେ ଯାଏ କାନ୍ଦି,

ସ୍ଥିତିକାଳେ କାନ୍ଦେ            ସଂସାର ଜଞ୍ଜାଳ-

ଜାଲେ ହୋଇ ଆପେ ବାନ୍ଧି ।

 

କାନ୍ଦଣା ଜୀବର            ଜୀବନସମ୍ବଳ

ସାଧନାର ମୁଖ୍ୟ ରାହା,

କାନ୍ଦିଲେ ଜନନୀ            ଅଳି ଦ୍ରବ୍ୟ ଦିଏ

ହସିଲେ କି ଦିଏ ତାହା ?

 

ଦେଶ ଦୁଃଖେ ଯେହୁ      କାନ୍ଦେ ତାର ସିନା

କାନ୍ଦଣା ଏକା କାନ୍ଦଣା,

ଆନର କାନ୍ଦଣା            ନତୁ ଲୋଭ ମୋହ

ସ୍ୱାର୍ଥର ତୀବ୍ର ଛଳନା ।

 

ରାତ୍ରି ଅର୍ଦ୍ଧଯାମେ            ପୁଷ୍ପାକର କରି

ରତ୍ନଗଡ଼େ ପଦାର୍ପଣ,

ରାଜନବରର            ଉପକଣ୍ଠେ କଲେ

ଅଶ୍ୱରୁ ଅବତରଣ ।

 

ଅଶ୍ୱପାଳେ ଅର୍ପି            ରତ୍ନହାର ତାକୁ

ମେଲାଣି ଦେଇ ସତ୍ୱର,

ନିଜ ଆଗମନ            ପ୍ରକାଶ ବିଷୟେ

ନିଷେଧି ଥରକୁ ଥର ।

 

ଅଶ୍ୱ ଘେନି ଯାନ୍ତେ            ଅଶ୍ୱଦାସ, ବୀର

କ୍ଷଣେ ତହିଁ ହୋଇ ଠିଆ,

ନଗରାଭିମୁଖେ            ଯାତ୍ରା କଲେ ପରେ

ପଦବ୍ରଜେ ଏକୁଟିଆ ।

 

ଚାଲିଛନ୍ତି ପଥ            ଭୟ ଅବା ବାଧା

କାହାପ୍ରତି ନିଘା ନାହିଁ,

ଉଦବିଗ୍ନମନାକୁ            କେବେ କେଉଁ ବିଘ୍ନ

ଓଗାଳିଅଛି ବା କାହିଁ ?

 

ନଅର ପାର୍ଶ୍ୱରେ            ମନୋରମା ନାମେ

ମାଲୁଣୀ କରେ ବସତି,

ଅତର୍କିତେ ତହିଁ            ପ୍ରବେଶିଲେ ଯାଇ

ଭାବୀ ପଦ୍ମପୁର-ପତି ।

 

ପଟ ଚିରୁଥିଲା            ବସି ସେ ମାଲୁଣୀ

ହୋଇ ଅତି ଖରକର,

ପଚାରିଲେ ତାକୁ            ଏ ଗ୍ରାମେ ମିଳେ କି

ବିଦେଶୀଙ୍କ ପାଇଁ ଘର ।

 

ଶୁଣି ମନୋରମା            ଭାଷିଲା ହେ ବାବୁ

ଅଛି ଦେବି ଘର ଆସ,

ତରତରେ ଯାଇ            ଫିଟାଇଦେଲା ସେ

ନୃପତି ଯୋଗ୍ୟ ଆବାସ ।

 

ବସା କରି ତହିଁ            ରହିଲେ ଭୂପଜ

ମାନସେ ଲଭି ଉଷତ,

ସାଗ୍ରହେ ତାହାଙ୍କୁ            ସେବିଲା ମାଲୁଣୀ

ପ୍ରାଚୀନା କିଙ୍କରୀବତ ।

 

ଶ୍ରମନାଶ ପରେ            ମନୋରମା, ବୀରେ

ପୁଚ୍ଛିଲା କରି ଆଦର,

‘‘ରାଜପୁତ୍ର ପ୍ରାୟ            ଦିଶୁଛ ତ ବାପ

କେଉଁ ରାଜ୍ୟେ ତୁମ୍ଭ ଘର ?’’

 

ଉତ୍ତରିଲେ ତହୁଁ            ନରେଶ-ନନ୍ଦନ

‘‘ନୁହେଁ ମୁଁ ରାଜକୁମାର,

ଆସିଛି ଏ ରାଜ୍ୟେ            ରହି କିଛିଦିନ

କରିବି ବୋଲି ବେପାର ।’’

 

ତାହା ଶୁଣି ହସି            ଭାଷିଲା ମାଲୁଣୀ

‘‘ଛଳନା କର କିପାଇଁ,

ପଣତ ଉହାଡ଼େ            ଦୀପପ୍ରଭା କେବେ

ଲୁଚାଇ ତ ହେବ ନାହିଁ ।

 

ଅସ୍ଥାନେ ପଛକେ            ପଡ଼ିଥାଉ ମୋତି

ମାତ୍ର ତା ଦ୍ୟୁତିନିଚୟ,

ମୋତି ବୋଲି ତାକୁ            ଚିହ୍ନାଇଦିଅନ୍ତି

ଜନସମାଜେ ନିଶ୍ଚୟ ।

 

ସୁନ୍ଦର ସୃଷ୍ଟିରେ            ଏକଛତ୍ର ପତି

ତୁମ୍ଭେ ହେ ସୁନ୍ଦରୋତ୍ତମ,

ରତ୍ନାକର ବିନା            ଲଭେ କି ରତନ

ପଲୁତ ପଙ୍କେ ଜନମ ?’’

 

ବାକ୍‌ଚାତୁରୀ ଛଳେ            ରଖି ସେ ପ୍ରସଙ୍ଗ

ଯୁବରାଜ ଗୁଣାଧାର,

ସମ୍ମିତେ ମାଗିଲେ            ମାଳାକାରିଣୀକୁ

ଆତ୍ମପରିଚୟ ତାର ।

 

ସେ ବୋଲେ ‘‘ମୁଁ ଅଟେ      ମାଳାକାର-ନାରୀ

ନାମ ମୋର ତିଳୋତ୍ତମା,

ମାତ୍ର ଡ଼ାକୁଛନ୍ତି            ଜେମାଦେଈ ଏବେ

ସ୍ନେହବଶେ ମନୋରମା ।

 

ଆଜୀବନ ଏକା            ଜୀବିକା ମୋହର

ଜେମାଙ୍କ ଖଟଣୀ ଫୁଲ,

ତାଙ୍କ ବିନା ଆନ            କିଏ ବା ବୁଝିବ

ମୋ ଗୁନ୍ଥା ଫୁଲର ମୂଲ ?

 

କେଜାଣି କପାଇଁ            ତିନିଦିନ ହେଲା

ବଢ଼ୁ ନାହିଁ ଆଉ ନୀତି,

ବେଣ ଭୂଷଣରେ            ଇଚ୍ଛା ନାହିଁ ଜେମା

ଧରିଛନ୍ତି ଶୋକରୀତି ।

 

ବିବାହ ନିର୍ବନ୍ଧ            ଭାଙ୍ଗିଯିବାରୁ ବା

ଉଦାସ ଭାବ ଏସନ,

ଜଗତ-ଠାକୁରେ            ଜଣା ଏକା ତାହା

କିଏ ଜାଣେ କାହା ମନ ?’’

 

ଶୁଣି ଏ ଭାରତୀ            ଭାବିଲେ କୁମାର

‘‘ପୁରିବ ମୋ ମନୋରଥ,

ବିନା ଅନ୍ୱେଷଣେ            ଅଗ୍ରତେ ବିଧାତା

ଦେଖାଇ ଦେଲାଣି ପଥ ।

 

ଏହି ମନୋରମା            ସାହାଯ୍ୟେ କେବଳ

ହେବ କାର୍ଯ୍ୟ ସହଜରେ,

ଏ ଭେଳା ସହାୟେ            ତରିବି ମୁଁ ନିଶ୍ଚେ

ମୋହରି ଇଚ୍ଛା-ସାଗରେ ।’’

 

ଏସନ ଭାବିଣ            ପୁଷ୍ପାକର କଲେ

ଆନନ୍ଦ-ଭଣ୍ଡାର ଜୁର,

ସ୍ୱତଃସିଦ୍ଧ ସିନା            ସାଫଲ୍ୟରୁ ଫଳ-

ଆଶାରେ ସୁଖ ପ୍ରଚୁର ।

 

ଏ ଅନ୍ତେ ହୁଅନ୍ତେ            ରଜନୀ ଅଧିକ

ଶୋଇବାକୁ ଗଲେ ବୀର,

ବିଦାୟ ଘେନିଣ            ମନେରମା ତହୁଁ

ଚଳିଲା ନିଜ ମନ୍ଦିର ।

 

ଜେମା ଲାଗିପାଇଁ            ପ୍ରଭାତରୁ ଉଠି

ଗୁନ୍ଥିଲା ମାଲୁଣୀ ଫୁଲ,

ଦେଖିଣ କୁମାର            ମିଳିଲେ ତା ପାଶେ

ଆନନ୍ଦେ ହୋଇ ଉତ୍‌ଫୁଲ୍ଲ ।

 

ନାନାବର୍ଣ୍ଣ ଫୁଲେ            ଗୁନ୍ଥିଲେ ଯତନେ

ଅତି ରମଣୀୟ ହାର,

ଅଦୃଷ୍ଟପୂର୍ବ ତା            ଶିଳ୍ପର ମହିମା

ଦିଶଇ ବଡ଼ ବାହାର ।

 

ଗୁନ୍ଥିବା କୌଶଳେ            ପୁଷ୍ପରେ ଅକ୍ଷର

ବିନ୍ୟାସି ଶୂର-ସବିତା,

ଦିବ୍ୟ ବର୍ଣ୍ଣମାଳେ            ହାର ମଧ୍ୟସ୍ଥଳେ

ରଚିଥିଲେ ଏ କବିତା-

 

‘‘ସବୁକଥା ଜେମା            ପ୍ରାକ୍ତନ ଅଧୀନ

ପ୍ରବଳ ସେ ସବୁଠାବେ,

ମାନି ତାହା ଆଜ୍ଞା            ରହିବା ଉତିତ

ସୁଖେ ଦୁଃଖେ ସମଭାବେ ।

 

କିବା ଉପଦେଶ            ଦେବି ମୁଁ ତୁମ୍ଭେ ବା

କେଉଁ ବିଷୟରେ ଆଜ୍ଞା,

ଚାଲିଲେ ପ୍ରାକ୍ତନ            ପ୍ରତିକୂଳେ ହେବ

ଈଶ୍ୱର ଆଜ୍ଞା ଅବଜ୍ଞା ।

 

ଅତଏବ ଦେବି !            ବିଷମ ସଂକଳ୍ପ

ଆଚରିବା ନୁହେଁ ଧର୍ମ,

କାବ୍ୟପ୍ରବୀଣାକୁ            ନାହିଁ ତ ଅଜଣା

ଧର୍ମାଧର୍ମ ଗୂଢ଼ ମର୍ମ ।

 

ଆସିଅଛି ମୁହିଁ            ଭାବନା ନ କର

ଉପାୟେ ସାଧିବା କାର୍ଯ୍ୟ,

ଉପାୟରେ ସିନା            ସଙ୍କଟରୁ ସୁଧା

ଲଭିଥିଲେ ପକ୍ଷିରାଜ ।

 

ଧୈର୍ଯ୍ୟଶୀଳେ, ଧୈର୍ଯ୍ୟ      ସମ୍ଭାଳି ରହିବା

ସାଫଲ୍ୟ ଲାଭର ରାହା,

ଧଇର୍ଯ୍ୟ ଉଦ୍ଯୋଗ            ଅଭୀଷ୍ଟ ସିଦ୍ଧିର

ଅଟେ ସିନା ବେନି ବାହା ।’’

 

ଏହି ପାଞ୍ଚପଦ            କବିତାରେ ରଚି

ପାଞ୍ଚଟି କୁସୁମହାର,

ମନୋରମା ହସ୍ତେ            ଅର୍ପିଲେ ଜେମାଙ୍କୁ

ଦେବାପାଇଁ ଉପହାର ।

 

ଦେଖିଣ ମାଲୁଣୀ            ଲଭିଲା ଆନନ୍ଦ

ଦୀନନିଧି ଲାଭ ଭଳି,

ଜେମାଙ୍କ ଛାମୁରେ            ଅର୍ପିବାକୁ ହାର

ଗଲା ଅତି ତ୍ୱରା ଚଳି ।

 

ଅଷ୍ଟମ ସର୍ଗ

 

ଅଟ୍ଟାଳୀ ଉପରେ            ନରେଶ ଦୁଲାଳୀ

କରୁଛି କିସ କଳ୍ପନା,

ପରିଚାରିକାଏ            ଚଉପାଶେ ବେଢ଼ି

ବଡ଼ାଉଛନ୍ତି ମାଜଣା ।

 

ସିଦ୍ଧିଦେବୀଙ୍କୁ କି            ଘେରି ବସିଛନ୍ତି

ବିବିଧ ସାଧନାକୁଳ,

ଅବା ଶତଦଳ            ଚଉପଟେ ଫୁଟ

ରହିଛି କହ୍ଲାର ଫୁଲ ?

 

ଆଭାସି ଉଠୁଛି            ଜେମା ମୂରତିରୁ

ଗଭୀର ଚିନ୍ତାଶୀଳତା,

ଅକୁଳ ଅଗାଧ            ଭାବନା-ସାଗରେ

ମଗ୍ନ ଆଜ କଳ୍ପଲତା ।

 

ବହୁଅଛି କେତେ            ମନୋରଥ-ସ୍ରୋତ

ହୃଦୟେ ମୂହୁଃ ସଞ୍ଚରି,

ଧୈର୍ଯ୍ୟଶୀଳା ତାହା            ରଖୁଛି ସମ୍ଭାଳି

ଗୁପତେ ଧୈର୍ଯ୍ୟ ଆବରି ।

 

ରଖେ ଯଥା ଅନ୍ତଃ-            ସଲୀଳା ସାଳନ୍ଦୀ

ମେଘାସନ ଶୈଳବାଳା,

ନିଦାଘ ସମୟେ            ସିକତା ଘୋଡ଼ାଇ

ଶୀତ ସ୍ୱଚ୍ଛ ସ୍ରୋତମାଳା ।

 

ବୃଷ୍ଟିଜଳ ପାତେ            ବୁଦ୍‌ବୁଦ ପରାଏ

ଉଠି କେତେ ମନୋଭାବ,

ପରକ୍ଷଣେ ତାହା            ହୃଦ-ସରୋବରେ

ଏଭୁଅଛି ତିରୋଭାବ ।

 

ଗଣ୍ଡେ କର ଥୋଇ            ନିର୍ନିମେଷ ନେତ୍ରେ

ଭାଳଇ ଏସନ ଧନୀ,

ଖଳ ଲୋକେ ମୋର      ସୌଭାଗ୍ୟ କୋଷ୍ଠିରେ

ହେଲେ ସିନା ରନ୍ଧ୍ରଶନି ।

 

ପକ୍ଷପାତଶୂନ୍ୟ            ନ୍ୟାୟେ ଯାହାଙ୍କର

ଦୁର୍ଜନ ସାହସ ତୁଟେ,

କର୍ମ ଦୁର୍ବଳକୁ            ସେ ପିତା ମୋହର

ଭୁଲିଗଲେ ଖଳକୂଟେ ।

 

ରାଜପୁବୀ ହେଲେ            କି ହେବ ପ୍ରତ୍ୟୁତ

ଭାଗ୍ୟ ମୋର ପ୍ରତିକୂଳ,

ଭାଗ୍ୟବତୀ ବୋଲି  ବୋଲେ ଯେ ମୋତେ ସେ

ଜାଣେ ନାହିଁ ଭାଗ୍ୟମୂଲ ।

 

ବଳେ ବଳେ ଯାଚି            ବିହି ଆହା ମୋତେ

କଲା କେଡ଼େ ପ୍ରତାରିତ,

ବଢ଼ାନ୍ତେ ହସ୍ତ ମୁଁ            ସେ ମହାରତନ

କଲା କାହିଁ ଲୁକାୟିତ ।

 

ମଧୁର ପଦାର୍ଥ            ସନ୍ତାନେ ଦେଖାଇ

ଅଲକ୍ଷ୍ୟରେ ଦେଲେ ପିତା,

ସନ୍ତାନ ମନରେ            କି କଷ୍ଟ ହୁଏ ତା

ଜାଣନ୍ତି ନାହିଁକି ପିତା ?

 

କି କରିବି ମୁହିଁ            ବୁଦ୍ଧି ଦିଶୁ ନାହିଁ

ମନଭ୍ରମେ ଇତସ୍ତତ,

ଦୃଢ଼ ବାଡ଼ବଦ୍ଧ            ପିଞ୍ଜରା ମଧ୍ୟରେ

ନବଧୃତ ପକ୍ଷବାତ ।

 

ଅପରକୁ କଷ୍ଟ            ପ୍ରଦାନେ ଯେ, କଷ୍ଟ

ସେ କି କେବେ ଭୁଞ୍ଜି ନାହିଁ,

କଷ୍ଟର ଯାତନା            ଜାଣିଲେ ସେ ତାହା

ଆନ ଦେବ କାହିଁ ପାଇ ?

 

ଔଷଧାର୍ଥେ ବିଷ            ଲୋଡ଼ା ବୋଲି ବିହି

ସୃଜିଲେ ପବନାଶନେ,

କେ କହିବ ମୋତେ            ମାତ୍ର ସୃଷ୍ଟି କଲେ

ଖଳକୁ କି ପ୍ରୟୋଜନେ ?

 

ସେ ପିଶୁନେ ସିନା            ସାଧିଲେ ମୋହର

ସର୍ବନାଶ ହାୟ ହାୟ,

ନର ଜୀବନର            ପ୍ରଧାନ ସଂସ୍କାରେ

ଘଟାଇଣ ଅନ୍ତରାୟ ।’’

 

ଜେମାର ଏ ସନ            ଭାଳୁଣି କାଳରେ

ମାଲୁଣୀ ମିଳି ସେଠାରେ

ଛାମୁରେ ଅଦୂରେ            ଫୁଲଡ଼ାଲା ଥୋଇ

ଟେକିଲା କୁସୁମହାରେ ।

 

ଅପୂର୍ବ ସୁଷମା            ନିରେଖି ସେ ହାର

ହସ୍ତେ ନେଲେ ଜେମାମଣି,

ପାଞ୍ଚଗୋଟି ହାର            ଏକତ୍ର ହୋଇଛି

ଜାଣିଲେ ସେ ତାହା ଗଣି ।

 

ତହିଁ ବିଖଚିତ            ପାଞ୍ଚପଦ ଗୀତ

ନୀରବରେ କେତେ ଥର

ଆବୃତ୍ତି କରିଣ            ଦେଖିଲେ ସ୍ୱାକ୍ଷର

ଯୁବରାଜ ପୁଷ୍ପାକର ।

 

ଜେମାମନୁ ପୂର୍ବ            ଶୋକ ତଡ଼ିଲା ଏ

ଅଦ୍ଭୁତପୂର୍ବ ସମସ୍ୟା,

କୁସଂସ୍କାରେ ଯଥା            ତଡ଼ିଦିଏ ଶିକ୍ଷା

ଗଳଥା ଦାନେ ସହସା ।

 

ମାଲୁଣୀକି ଚାହିଁ            ପୁଚ୍ଛିଲେ ନୃପଜା

ଗୁନ୍ଥିଛି ଏ ଫୁଲ କିଏ,

ସେ ବୋଲେ ‘‘କାଲି ଠୁଁ      ବସା କରି ଅଛି

ମୋ ଘରେ ବିଦେଶୀଟିଏ ।

 

ଜାଣେ ନାହିଁ ଦେଈ            ଜାତି ସଂଜ୍ଞା ପୁଣି

କେଉଁ ରାଜ୍ୟେ ଘର ତାର,

କୌତୁକ ବଶରେ            ଗୁନ୍ଥିଥିଲା ସେହୁ

ଏହି ରମଣୀୟ ହାର ।

 

ଆଣି ମୁହିଁ ତାହା            ଭେଟିଲି ଛାମୁରେ

ତବ ମନ ତୁଷ୍ଟିପାଇଁ,

କ୍ଷମା ଆଜ୍ଞା ହେଉ            କହୁଅଛି ସତ

ଅପର ଉଦ୍ଦେଶ୍ୟ ନାହିଁ ।’’

 

ପ୍ରସନ୍ନ ଦୃଷ୍ଟିରେ            ମେଲାଣି ଦେଇଣ

ମାଲୁଣୀକି ମଦାଳସୀ,

ଜପମାଳା ପ୍ରାୟ            ଫୁଲମାଳ ଧରି

ଭାଳିଲେ ଏସନ ବସି-

 

‘‘ଧନ୍ୟ ହେଲି ଆଜି            ପରଶି ଏ ମାଳା

ଭାରତୀ-ଭକ୍ତ ରଚିତ,

କୁନ୍ତି ଦେବାଳୟ            କବିତା ସ୍ୱଗତ

ହେଉଛି ମନେ ଉଦିତ ।

 

ସେହି ଦିନୁ ପୁଣି            ଆଜ ଦିନ ମୋର

ପ୍ରାଣେ ଚିରସ୍ମରଣୀୟ,

ପିଇଲି ଯେ ମଧୁ            ନୁହେଁ ତାହା ସରି

ସ୍ୱର୍ଗୀୟ ଛଣା ଅମିୟ ।

 

ହର ହୁନ୍ଦରିଆ            ଯୁବରାଜ ଖାଲି

ନୁହନ୍ତି କାବ୍ୟ-ରସିକ,

ଏଭଳି ପୁରୁଷ            ହାତ ନ ଧରିଲି

ଜୀବନ ମୋହର ଧିକ !

 

କି ଆଶ୍ଚର୍ଯ୍ୟ ମୋର            ହୃଦଗତ ଭାବ

ଜାଣିଲେ ବୀର କେମନ୍ତେ,

ଅଦ୍ଭୁତ ସାଧନା            ସାଧିଛନ୍ତି ସେହୁ

ହେଉଛି ଏସନ ପ୍ରତେ ।

 

ମୋହ ଛାର ପାଇଁ            କେତେ କଷ୍ଟ ସହି

କଲେ ଏଥେ ଆଗମନ,

ଲେଖିଛନ୍ତି ପୁଣି            ମୋ ଶିବ ସାଧନେ

କରିବେ ବୋଲି ଯତନ ।

 

ଯେ ଯତନ ପଛେ            କରନ୍ତୁ ମାତ୍ର ସେ

ମୋ ପକ୍ଷେ ଯାତନା ସମ,

କିପାଁ ମନାସିଲେ            ନୃପତି-ନନ୍ଦନ

କରିବାକୁ ଏ କରମ !

 

ଅସ୍ତ୍ର ବିଦ୍ୟାବଳେ            ଯୁବା-ଶିରୋମଣି

ସୁନିପୁଣ ଅତିଶୟ,

ଭାଗ୍ୟଦୋଷେ ମୋର      ସେ ବିଦ୍ୟାର ବୀର

ଘେନିବେ ନିକି ଆଶ୍ରୟ ।

 

ତେବେ ତ ଘଟିବ            ମହାନର୍ଥ, ଜଳି

ଉଠିବ ସମରାନଳ,

ସମର୍ପିବେ କେତେ            ବୀରେ ରଣଚଣ୍ଡୀ-

ପୟରେ ଶିର-କମଳ ।

 

ଆଜୀବନ କେତେ            ବିକଳାଙ୍ଗ ହୋଇ

ଭୁଞ୍ଜିବେ ଦାରୁଣ କ୍ଲେଶ,

ଧନେ ଜନେ ବଳେ            ହୀନକଳ୍ପ ହୋଇ

ନାରଖାର ହେବ ଦେଶ ।

 

କେତେ ପରିବାର            ଅନାଥ ହୋଇଣ

କରିବେ ଶୋକେ ବିଳାପ,

ସହସ୍ର ଫଣାରେ            ମର୍ମସ୍ଥଳେ ମୋର

ଦଂଶିବ ସେ ଶୋକ-ସାପ ।

 

କେତେ ମହାପ୍ରାଣ            ମୋ ଯୋଗୁଁ ଅର୍ପିବେ

ଜୀବ-ଯଜ୍ଞେ ପୂର୍ଣ୍ଣାହୁତି,

ଏଡ଼େ ଅମଙ୍ଗଳ            ହେତୁ ହୋଇ ମୁହିଁ

ଅର୍ଜିବି କେଉଁ ସୁକୃତି ?

 

ଏ ପାତକଠାରୁ            ବରଞ୍ଚ ସର୍ବଥା

ମରଣ ଶ୍ରେୟଜନକ,

ଜାଣୁ ଜାଣୁ ଅହୋ            ଭୁଞ୍ଜିବି ସିନା ମୁଁ

ଜୀବନ୍ତେ ମହାନରକ !

 

ଆଶା-ମରୀଚିକା-            ଅନୁଗା ମୃଗୁଣୀ

ହୋଇ ଲଭିବି କି ସୁଖେ,

ବାସନା-ଫଣିନୀ-            ଲୋଭ-ମଣିଲୁବା

ହୋଇ ପଡ଼ିବି ତା ମୁଖେ ।

 

ଜନକ ମୋହର            ମହାଧର୍ମଶୀଳ

ନରକୁଳେ ଦେବଋଷି,

ବ୍ରତପରାୟଣା            ପୁଣ୍ୟଶ୍ଲୋକା ମାତା

ସୁଗୁଣବତୀ ବିଦୁଷୀ ।

 

ସେ ପିତାମାତାଙ୍କ            ସୁତା ହୋଇ-ଛି ଛି

ହେବି କି ମୁଁ ଅଭାଜନ,

ଚନ୍ଦନ ପାଦପ            ଶାଖା କେତେବେଳେ

କରେ କି ଗନ୍ଧ ବର୍ଜ୍ଜନ ?

 

ଏହିପରି ବାଳା            ଭାଳୁ ଭାଳୁ ଢ଼ଳି

ପଡ଼ିଲାକ ଅନାୟତ୍ତେ,

ପାଳତିଏ ଦେଖି            ଉଚ୍ଚରେ ଚିତ୍କାରି

ଉଠିଲେ ଅତି ଆରତେ ।

 

ତୋଳିଧରି ଜେମା-            ମୁଖେ ବାରି ସିଞ୍ଚି

ସଧୀରେ କରି ବ୍ୟଜନ,

ତରତରେ ନେଇ            କରାଇ ଦେଲେ ସେ

ସୁପାତି ଶେଯେ ଶୟନ ।’’

 

କ୍ଷଣେ ଜେମାମୁଖ            ଫିକା ପଡ଼ିଗଲା

ହୋଇ ସ୍ୱେଦ-କଣ୍ଟକିତ,

ପର୍ଯ୍ୟୂସିତ ହେମ-            କମଳ କି ଆହା

ହେଲା ହିମ-କଣିକିତ ।

 

କରକା ପରାଏ            ଶୀତଳ ଲାଗିଲା

କଳ୍ପଲତା ଦେହସାରା,

ପଳାଇ ଯାଇଛି            ଜୀବନ-ତସ୍କର

ଗୁପ୍ତେ ତେଜି ପିଣ୍ଡ-କାରା ।

 

ଦୁର୍ଲକ୍ଷଣ ଦେଖି            କାନ୍ଦିଲେ ଚେଡ଼ିଏ

ରଚି ଘୋର କୋଳାହଳ,

ଅନ୍ତଃପୁର ମଧ୍ୟୁ            ଉଠିଲା ସଘନେ

କରୁଣ ଶୋକ ଚହଳ ।

 

କି ହେଲା କି ହେଲା            ବୋଲି ସେବକୀଏ

ହାଣିଲେ ହୃଦୟେ ହାତ,

କେ ବୋଲଇ ହା ହା      ବିନା ମେଘେ କାହୁଁ

ହେଲା ଏ ଅଶନିପାତ !

 

ଶୋଇଅଛି ବାଳା            ଉତ୍ତାନ ଭାବରେ

ଶ୍ରମ ଘର୍ମ-ଜଳେ ବୁଡ଼ି,

ଫୁଟି ରହିଅଛି            କୁସୁମ ମାତ୍ର ତା’

ସୁରଭି ଯାଇଛି ଉଡ଼ି !

 

ପ୍ରତେ ହୁଏ ମନେ            ନୀରବ ନିଷ୍ପନ୍ଦ

ଅବସ୍ଥା ଦେଖି ତାହାର,

ପଡ଼ିଅଛି ଖାଲି            ସ୍ୱର୍ଣ୍ଣବୀଣା, ଛିଡ଼ି

ଯାଇଛି ବାଜେଣୀ ତାର ।

 

ସ୍ୱର୍ଗୀୟ ସୁଷମା            ପ୍ରକାଶୁଛି ତନୁ

ନ ଥିଲେହେଁ ପ୍ରାଣବାୟୁ,

କଳୁ ଅବା ନିଭୁ            ରତ୍ନ-ଦୀପ ସଦା

ଦିଶେ ସିନା ଦାଉ ଦାଉ ।

 

ବିଦ୍ୟୁତ ବେଗରେ            ଘୋଟିଲା ନଗରେ

ଜେମାର ମୃତ୍ୟୁସମ୍ବାଦ,

ଆବାଳଜଗତ            ନାଗରିକେ ସର୍ବେ

ଗଣିଲେ ଶୁଣି ପ୍ରମାଦ ।

 

ଯହିଁ ଶୁଣ ତହିଁ            ଜେମା-ଶୋକ ଗୀତ

କିବା ବାଟ କିବା ଘାଟ,

ମୂହୁର୍ତ୍ତ ମଧ୍ୟରେ            ନଗର ଭିତରେ

ବସିଗଲା ଶୋକ-ହାଟ ।

 

କର୍ଣ୍ଣୁ କର୍ଣ୍ଣାନ୍ତରେ            ଭ୍ରମିଏ ସମ୍ବାଦ

ଆରୋହି ମାନବ-ଯାନେ,

ଯଥାକାଳେ ଯାଇ            ପ୍ରବେଶିଲା ପୁଣି

ବୀର ପୁଷ୍ପାକର କାନେ ।

 

ଭୀଷଣ ଦାରୁଣ            ଏ ସମ୍ବାଦ ତାଙ୍କ

କରିଦେଲା ବୁଦ୍ଧି ବଣା,

ତହିଁ ପରେ ଆତ୍ମ-            ବିସ୍ମୃତି ଆସିଣ

ପ୍ରକାଶିଲା ପ୍ରତାରଣା ।

 

କେତେ କ୍ଷଣ ପରେ            ପ୍ରକୃତିସ୍ଥ ହେଲେ

ମାତ୍ର ନ ସ୍ଫୁରିଲା ଗିର,

ବିଷାଦ ନୈରାଶ୍ୟ-            ଜଡ଼ିତ ପ୍ରଶ୍ୱାସ

ବରଜି ଭାଳିଲେ ବୀର-

 

‘‘କି ବିଚିତ୍ର ଲୀଳା-            କୁଟିଳ କାଳର

ହିତେ ବିପରୀତ ହେଲା,

ଉଦ୍ଧାରିବା ଥାଉ            ଜେମାକୁ ତାହାର

ବୁଡ଼ାଇଲି ପ୍ରାଣ-ଭେଳା ।

 

ଦୁର୍ବିଚାରେ ଯେବେ            ବାନ୍ଧିନ ଥାନ୍ତି ମୁଁ

ଦୁଃସାହସ ଏଡ଼େ ଭଳି

ଅନ୍ତର୍ଦାହେ କିପାଁ            ଆମନ୍ତ୍ରି ଆଣନ୍ତି

ଅନୁତାପାନଳେ ଜଳି ।

 

କେଡ଼େ ଆଶା ଧରି            ରୋପିଲି ଉଦ୍ୟାନେ

ମଧୁର ରସାଳ ତରୁ,

ଫଳିଲା ତହିଁରେ            ଖଟା କରମଙ୍ଗା

ଆହା ମୋ କର୍ମଦୋଷରୁ !

 

କାଳବଜ୍ର ମୋର            ଦୁରାଶା-ଶଇଳେ

ଭାଙ୍ଗି କରିଦେଲା ଗୁଣ୍ଡା,

ରତ୍ନପିଣ୍ଡ ଜ୍ଞାନେ            ଧରିଥିଲି ଯାକୁ

ହେଲା ସେ ଅଙ୍ଗାରମୁଣ୍ଡା ।

 

ନାରୀହତ୍ୟା ପାପେ            ଲିପ୍ତ ହେଲି ଆସି

ଧିକ ମୁହିଁ ଅକିଞ୍ଚନ,

ଏ ମହାପାପର            ଯୋଗ୍ୟ ପ୍ରାୟଶ୍ଚିତ୍ତ

ଆତ୍ମପ୍ରାଣ ବିସର୍ଜନ ।

 

ଜୀବନଘେନାର            ଜୀବଦାନ ଶାସ୍ତି

ଗ୍ରହିବାର ଉପଯୁକ୍ତ,

ସୁବର୍ଣ୍ଣ ହଜାଇ            ସ୍ୱର୍ଣ୍ଣଦାନେ ସିନା

ଦୋଷରୁ ହୁଅନ୍ତି ମୁକ୍ତ ।

 

ଯେଉଁ ଅନୁଦ୍ଦେଶ୍ୟ            ଦେଶେ ଜେମାମଣି

ଅଛି ମହାଯାତ୍ରା କରି,

ସେ ଦେଶକୁ ଗଲେ            ଲଭିବଇଁ ଶାନ୍ତି

ତା ସଙ୍ଗେ ସଦା ବିହୁରି ।

 

ପାର୍ଥିବ ମିଳନ            ଭଙ୍ଗୁର ଅସାର

ଦିନେ ଦୁଇ ଦିନ ପାଇ

ମାତ୍ର ସେ ଦେଶର            ଚିର ମିଳନର

ବିଚ୍ଛେଦ ଘଟଇ ନାହିଁ ।

 

ଅସାଧ୍ୟ ପଛକେ            ହେଉ ଯିବି ମୁହିଁ

ତଥାଚ ସେ ରମ୍ୟସ୍ଥଳେ,

କଣ୍ଟକିତ ବୋଲି            କମଳ ପ୍ରିୟ କି

ନ ତୋଳେ ଫୁଲ୍ଲ କମଳେ ।

 

ବିଶେଷେ ଏ ମହୀ            ମହା ମରୁଭୂମି

ଶୋକ-ମୋହ-ତପ୍ତ ବୋଲି,

ପ୍ରତି ପହୁଣ୍ଡରେ            ପୋଡ଼ିଯାଏ ଗୋଡ଼

ହୁଏ ନାହିଁ ତହିଁ ଚାଲି ।

 

ସୁଖରୂପେ ଏଥି            ଖେଳେ ମରୀଚିକା

ଏ କେଉଁ ସୁଖ ଆଶେ,

ଶୀତଳ ସୁରଭି            ଶେଫାଳୀ ଉପେକ୍ଷି

ରହିବି ଶାଳ୍ମଳୀ ପାଶେ ।’’

 

ଏହିପରି ଶୋକ            ଭାଳୁଣି ସମୟେ

ହେଲା ଦେହ ଅବସନ୍ନ,

ତହୁଁ ପୁଷ୍ପକର            ପଲଙ୍କ ଅଙ୍କରେ

ସହସା କଲେ ଶୟନ ।

 

ଶୁଦ୍ଧାନ୍ତ-ସରସୀ            ଏକଇ କମଳ

ପଡିଛି ଆଜି ମଉଳି,

ଏ ଦାରୁଣ ବାର୍ତ୍ତା            ରାଜସଭା ମଧ୍ୟେ

ଶୁଣିଲେ ନୃପମଉଳି ।

 

ଖରେ ଆସି ତହୁଁ            ଦେଖିଲେ ତନୁଜା

ଶୋଇଛି ମୃତ୍ୟୁଶେଯରେ,

ଇନ୍ଦୀବରନିନ୍ଦୀ-            ନୟନ ନିମୀତି-

ପୁଷ୍ପହାର ଧରି କରେ ।

 

ମର୍ମ-ବର୍ମଭେଦୀ            ଏ କଠୋର ଦୃଶ୍ୟ

ଅସହ୍ୟ ପିତୃ-ନୟନେ,

ଅଚେତନ ହୋଇ            ପଡ଼ିଗଲେ ରାଏ

ତରୁ ଯଥା ପ୍ରଭଞ୍ଜନେ ।

 

ମୂର୍ଚ୍ଛିତାବସ୍ଥାରେ            ଦେଖିଲେ ସ୍ୱପନ

ଅଗ୍ରେ ଉଭା ହୈମବତୀ,

ଭକ୍ତି-ଆକର୍ଷିଣୀ            ବରଦା ମୂରତି

ଶିବ-ସୀମନ୍ତିନୀ ସତୀ ।

 

ନୃପଙ୍କୁ ସମ୍ବୋଧି            କୋମଳେ ଭାଷିଲେ,

‘‘ଶୁଣ ରେ ଭକ୍ତପୁଙ୍ଗବ,

ଜନ୍ମମରଣର            ଗୁପତ ରହସ୍ୟ

ଜଣା ତ ତୋତେ ସରବ ।

 

ଜାଣୁ ଜାଣୁ ବୃଥା            ପ୍ରାକୃତ ପରାଏ

ଶୋକେ ହେଲୁ ଅଚେତନ,

ମୃତ୍ୟୁ ବୋଲି ଯାକୁ            ସେ ସିନା ପ୍ରାଣୀର

ସ୍ୱବେଶ ପରିବର୍ତ୍ତନ ।

 

ବିଶାଳ ସଂସାର            ରଙ୍ଗଭୂମି ମଧ୍ୟେ

ଜୀବ ଅଭିନୟ ସାରି,

ଆନ ଅଭିନୟ            ସକାଶେ ଯାଏ ସେ

ଏକ ଅଭିନୟ ସାରି ।

 

ଅଟେ ସିନା ମୃତ୍ୟୁ            ଶରୀର ସଂସ୍କାର

ଜନ୍ମର ମୂଳ କାରଣ,

ମରଣର ପିତା            ଜନମ ଆବର

ଜନ୍ମର ପିତା ମରଣ ।

 

କହୁଅଛି ଶୁଣ            ଅବହିତେ ତୋର

କନ୍ୟାର ପୂର୍ବ ଆଖ୍ୟାନ,

ଶୁଣିଲେ ସେ କଥା            ତୁଟିଯିବ ମୋହୁ

ଶୋକାଗ୍ନି ହେବ ନିର୍ବାଣ ।

 

ଭକ୍ତିଦାନେ ମୋତେ            ବଶ କରିଅଛି

ତୋହୋ ପାଟମହାଦେଈ,

ପୂଜୁଅଛି ସଦା            ଷୋଡ଼ଶୋପଚାରେ

ପ୍ରୀତି ଦ୍ରବ୍ୟ ନିତି ଦେଇ ।

 

ଆତୁରେ ମୋଠାରେ            କନ୍ୟାଲାଭ ବର

ପ୍ରାର୍ଥିଲା ସେ ବାରମ୍ବାର,

ଦୁହିତାରୂପେ ତା            ଗର୍ଭେ ଜନ୍ମିବାକୁ

କରିଥିଲି ମୁଁ ସ୍ୱୀକାର ।

 

ସେହିପରି ଦେବୀ            ପଦ୍ମପୁରେଶ୍ୱରୀ

କରି ଶିବନାମ ଜପ,

ସୁତ-ପ୍ରାପ୍ତି ଆଶେ            ଏକନିଷ୍ଠ ମନେ

ଆଚରିଲା ତୀବ୍ର ତପ ।

 

ତୁଷ୍ଟି ଲଭି ତହୁଁ            ସଦୟ ଅନ୍ତରେ

ବର ଦେଲେ ତାକୁ ହର,

‘କ୍ଷାନ୍ତ ହୁଅ ମାତଃ,            ମର୍ତ୍ତ୍ୟେ ଜନ୍ମ ଲଭି

ହେବି ମୁଁ ତୋହ କୁମର ।’

 

ସୁକୃତି ପାଳନେ            ଯଥାକାଳେ ଆମ୍ଭେ

ଶିବଶିବା ବେନି ଜଣ,

କୈଳାସ ସୁଧାମ            ଶୂନ୍ୟ କରି କଲୁ

ମର୍ତ୍ତ୍ୟରେ ଜନ୍ମଗ୍ରହଣ ।

 

ମୋହିଲେ ମହେଶ            ପୁଷ୍ପାକରରୂପେ

ପଦ୍ମପୁର ନରବରେ,

ଦୁହିତାରୁପରେ            ତହୁଁ ମୁଁ ରାଜନ

ଜନମିଲି ତୋହ ଘରେ ।

 

ଥିଲା ନିରୂପତି            ଛୁଇଁ ବି ଯେବେ ମୁଁ

ପୁଷ୍ପାକର ପୁଷ୍ପମାଳା,

ସ୍ୱସ୍ଥାନେ ଚଳିବି            ସେହି ଦିନ ତେଜି

ବସୁମତୀ-ପାନ୍ଥଶାଳା ।

 

ମୋ ମୃତ୍ୟୁସମ୍ବାଦ            ଶ୍ରବଣ ମାତ୍ରକେ

ପୁଷ୍ପାକର ସେହି ଶୋକେ,

ବର୍ଜି ନରଦେହ            ନିଜ ରୂପ ଧରି

ବିଜେ ହେବେ ଶିବଲୋକେ ।

 

ଆଣିଲା ନିୟତି            ସେହି ପୁଷ୍ପାକରେ

ପ୍ରତାରି ତୋର ନଗରେ,

ପଡିଅଛି ପ୍ରାଣ            ତେଜି, ଖରେ ଯାଇ

ଦେଖ ତୁ ମାଲୁଣୀ ଘରେ ।

 

ମୋ ଆଜ୍ଞା ପ୍ରମାଣେ      କରାଅ ସଂସ୍କାର

ଏକତ୍ରେ ଉଭୟ ଶବ,

ଶୋକ ତେଜ ରାଏ            ଅନିତ୍ୟ ସକଳ,

ଅନିତ୍ୟ ସୁଦ୍ଧା ଏ ଭବ ।

 

ନୁହେଁ କେ ଭାଜନ            ତୁଟିବ ଅଚ୍ଛିନ୍ନ

ନିୟତି ବଜ୍ରଶୃଙ୍ଖଳ,

ଅଖିଳ ବ୍ରହ୍ମାଣ୍ଡେ            ସୃଜୁଛି ନାଶୁଛି

ନିୟତି ପ୍ରବଳ ବଳ ।

 

ଯେଡ଼େ ବଳୀଆର            ହେଉ ନିୟତିକୁ

ମାତ୍ର କେ ପାରିବ କଣ୍ଟି,

ବଳୀଠାରୁ ବଳି            ମହାବଳୀର ସେ

ଚିପିଦିଏ ଆସି ତଣ୍ଟି ।

 

ନିୟନି ନିୟମେ            ବନ୍ଧା ସିନା ସବୁ

ସୂତ୍ରେ ସାରିଣୀ ପ୍ରକାର,

ନଚାଏ ଯେବେ ସେ       ଯେଭଳି, ସେଭଳି

ନାଚେ ଏ ବିଶ୍ୱ ସଂସାର ।’’

 

ଏହା ଭାଷି ଦେବୀ            ଅନ୍ତର୍ହିତ ହେଲେ

ଲଭିଲେ ସଂଜ୍ଞା ରାଜନ,

ବିବରି କହିଲେ            ଜ୍ଞାତିବନ୍ଧୁଜନେ

ସ୍ୱପ୍ନଦୃଷ୍ଟ ବିବରଣ ।

 

ବିଜେ କଲେ ପୁଣି            ସମସ୍ତଙ୍କୁ ଘେନି

ମାଲୁଣୀ ଭବନେ ଯାଇ ।

ଦେଖିଲେ ସୁନ୍ଦର            ଯୁବା ଏକ ଖଟେ

ହୋଇଛି ଉତ୍ତାନଶାୟୀ ।

 

ନେତ୍ରପାର୍ଶ୍ୱେ ତାର            ଅଙ୍ଗୁଳି ଚାଳନେ

ନ ପଡ଼ିଲା ପ୍ରତିଚ୍ଛାୟା,

ଲକ୍ଷଣୁ ଜାଣିଲେ            ନାହିଁ ଆଉ ପ୍ରାଣ

ପଡିଅଛି ତୁଚ୍ଛା କାୟା ।

 

ମୂର୍ତ୍ତିରୁ ଆଭାସେ            ଦେହ-ଦୀପାଧାରେ

ମୃତ୍ୟୁ ସ୍ପର୍ଶ କରି ନାହିଁ,

ହସ୍ତ ବାତାଘାତେ            ଦେଇଛି ଅଲକ୍ଷ୍ୟେ

ଜୀବନ-ଦୀପ ନିଭାଇ ।

 

କୁମାରେ ନିରେଖି            ବୋଇଲେ ସକଳେ

ଆହା ଏହି ପାରିଜାତ,

କେଉଁ ଭାଗ୍ୟଧର            ସଂସାର-ନନ୍ଦନେ

ହୋଇଥିଲା ପ୍ରତିଭାତ ।

 

କାହା ବଂଶଖଣି            ଉଜ୍ଜ୍ୱଳି ଥିଲା ଏ

ଅମୁଲ୍ୟ ଭାସୁର ମଣି,

କେଉଁ ଅଭିଶପ୍ତ            ଦେବକୁମାର ଏ

ମଣ୍ଡିଛି ଆସି ଧରଣୀ ।

 

ଯେଉଁ ଗୃହାକାଶେ            ଉଇଁଥିଲା ଏହି

କଳାପୂର୍ଣ୍ଣ କଳାକର,

ସ୍ୱରଗ କି ଛାର            ସ୍ୱରଗର ସ୍ୱର୍ଗ

ତାର ସ୍ୱର୍ଗ ସେହି ଘର ।

 

ଏ ସଂସାରେ କିପାଁ            ସୁନ୍ଦର ପଦାର୍ଥେ

ସାଧଇ ବିଧାତା ଦାଉ,

ନୋହିଲେ ସ୍ୱଭାବ-            ସୁନ୍ଦର ଫୁଲେ କି

ସୁଜନ୍ତା କରି ସ୍ୱଳ୍ପାୟୁ ।

 

ଶୋଭା-ସାଆନ୍ତାଣୀ            ବିଜୁଳିକୁ ପୁଣି

କରିଛି ଅଚିରପ୍ରଭା,

ଅତଏବ ଶୋଭା-            ବିଦ୍ୱେଷୀ ବିଧାତା

କି ଅଛି ସନ୍ଦେହ ଅବା !

 

ପୁଷ୍ପାକରେ ହେରି            ବିଷମ ବ୍ୟାକୁଳେ

ମାଡ଼ିଲା କାନ୍ଦ ଭୂପାଳେ,

ମାତ୍ର ନ କାନ୍ଦିଲେ            ଅଶ୍ରୁପଥ ଶୋକ

ରୁନ୍ଧିଦେଲା ସେହିକାଳେ ।

 

ଲଙ୍ଘିଗଲେ ସୀମା            ଶୋକ ଆଉ କାନ୍ଦି

ହୁଏ ନାହିଁ କଦାଚନ,

ପରିମିତ ତାପେ            ଦ୍ରବେ ଗନ୍ଧଶିଳା

ଅତିରେକେ ହୁଏ ଘନ ।

 

ଏଥୁ ଅନନ୍ତରେ            ନୃପତି ଆଦେଶେ

ଜ୍ଞାତି ପରିଜନମାନେ,

ରାଜ-ବ୍ୟବହାରେ            ବେନି ଚତୁର୍ଦ୍ଦୋଳେ

ବହିଲେ ଶବେ ଶ୍ମଶାନେ ।

 

ଅଗ୍ରତେ ବାଜିଲା            ବହୁ ଶୋକବାଦ୍ୟ

କମ୍ପିଲା ଶବଦେ ନଗର,

ବିବାହ ଶେଷରେ            ବାହୁଡ଼ା ବିଜୟେ

କରନ୍ତି କି କନ୍ୟାବର ?

 

ରଖିଲେ ଚୌଦୋଳ      ଶବବାହୀ ଜନେ

ମହେନ୍ଦ୍ର-ତନୟା ତୀରେ,

ଚନ୍ଦନ ଇନ୍ଧନେ            ସଜାଡ଼ିଲେ ତହିଁ

ଚିତାଗ୍ନି ଯଥାବିଧିରେ ।

 

ପୁତଜଳେ ଶବେ            କରାଇଣ ସ୍ନାନ

ପିନ୍ଧାଇ ପଟ୍ଟବସନ

ଗଳେ ପୁଷ୍ପହାର            ଲମ୍ବାଇ ସର୍ବାଙ୍ଗେ

ଚର୍ଚ୍ଚିତ କଲେ ଚନ୍ଦନ ।

 

ଏଥୁଅନ୍ତେ ନେଇ            ଜ୍ୱଳନ୍ତ ଚିତାରେ

ବସାଇଲେ ବେନି ଶବ,

କୁସୁମ ନିକ୍ଷେପି            ଢ଼ାଳିଲେ ଅନଳେ

ଘଡ଼ା ଘଡ଼ା ଗବ୍ୟ ହବ୍ୟ ।

 

ପାବକ ପରଶେ            ଉଜ୍ଜ୍ୱଳିଲା ତନୁ

ବହିଲା ସୁଷମା-ଧାରା,

ସ୍ୱର୍ଣ୍ଣ ଘନାସନେ            ବିରାଜନ୍ତି କିବା

ଚନ୍ଦ୍ର ସଙ୍ଗେ ସ୍ୱାତୀ ତାରା ?

 

ଅବା ଉପବିଷ୍ଟ            ଅଭିଷେକ ହେମ-

ବେଦୀ ପରେ ରାଜାରାଣୀ

ଶବଦାହୀଙ୍କର            ହରିବୋଲ ଶବ୍ଦ

ପୁରୋହିତ ଆଶୀର୍ବାଣୀ ।

 

ଢ଼ଳା ହେଉଥିବା            ଘୃତରାଶି ସିନା

ମନ୍ତ୍ରପୁତ ତୀର୍ଥଜଳ,

ଚିତା ବିନିକ୍ଷିପ୍ତ            କୁସୁମ ନିକର

ପ୍ରଜାଙ୍କ ଭେଟି ସମ୍ବଳ ।

 

କ୍ରୋଧିତ ଉରଗ            ପରାଏ ଗରଜି

ଜଳିଲା ଅଗ୍ନି ପ୍ରଖରେ,

ସୌଦାମିନୀ ନିଭ            ଦୀପ୍ତିମତୀ ଶିଖା

ଖେଳିଲାକ ଅନମ୍ବରେ ।

 

ଚିତାନଳ ଭେଦି            ବେନି ଜ୍ୟୋତିରେଖା

ଉଠିଲା ଅତି ପ୍ରଚଣ୍ଡେ,

ରୁଦ୍ରତେଜେ ତାର            ଶବଦାହୀ ନରେ

ଅନ୍ଧ ହୋଇଗଲେ ଦଣ୍ଡେ ।

 

ହାବେଳୀ ପ୍ରାୟେ ସେ      ଊର୍ଦ୍ଧ୍ୱଗତି କରି

ମିଶିଗଲା ବିହାୟସେ,

ମିଶିଯାଏ ଯଥା            ଚପଳେ ଚପଳା

ନୀରଦ ନୀଳ ଉରସେ ।

 

ମିଶିଗଲା ଏଣେ            ସେଥି ସଙ୍ଗେ ସଙ୍ଗେ

ଚିତାନଳେ ବେନିଶବ,

ଘଡିକ ମଧ୍ୟରେ            ଭବ-ଲୀଳାଖେଳା

ସରି ତ ଗଲା ସରବ ।

 

ମୁହୂର୍ତ୍ତି ପୂର୍ବେ ଯେ            ଦିବ୍ୟତନୁ ଶୋଭା

ପ୍ରକାଶୁ ଥିଲା ବିଶେଷେ,

କେଡ଼େ ବେଗେ ଆହା      ହେଲା ପରିଣତ

ମୁଠାଏ ଭସ୍ମେ ସେ ଶେଷେ !

 

ରାଜ-ପରିକରେ            ନିଭାଇଣ ଚିତା

ପବିତ୍ର ବାରି ସେଚନେ,

ଗୃହେ ବାହୁଡ଼ିଲେ            ନର-ଜୀବନର

ପରିଣାମ ହେଳି ମନେ ।